କଟକ,(ବି.ବି.ବ୍ୟୁରୋ): ହ୍ୱାଟସ୍ଆପ୍ରୁ ହ୍ୱାଟସ୍ଆପ୍ ଚାଲିଥିଲା ମେସେଜ୍ ଦିଆନିଆ । ମେସିଜ୍ ଦିଆନିଆ ଭିତରେ ହିଁ ଚାଲିଥିଲା କ୍ରିକେଟ୍କୁ ନେଇ ଜୁଆ ଖେଳ ବା ବେଟିଂ । କାରବାର ଏମିତି ଗୋପନୀୟ ଭାବେ ଚାଲିଥିଲା ଯେ, ବେଟିଂ ବାବଦରେ କେହି ସହଜରେ ଟେର୍ ପାଉନଥିଲେ । ମେ’ ୩୦ରୁ ଚାଲିଥିବା ବିଶ୍ୱକପ୍ କ୍ରିକେଟ୍ର ମୁଖ୍ୟତଃ ଟିମ୍ ଇଣ୍ଡିଆର ପ୍ରତିଟି ମ୍ୟାଚ୍ରେ ହେଉଥିଲା ବେଟିଂ । ଦୀର୍ଘ ଦିନ ହେଲା କଟକ ସହରରେ ଚାଲିଆସୁଥିବା ଏହି କ୍ରିକେଟ୍ ଜୁଆ ର୍ୟାକେଟ୍କୁ ବିଳମ୍ବରେ ହେଉପଛେ କମିସନରେଟ୍ ପୁଲିସ୍ ଠାବ କରିଛି । ଉକ୍ତ ର୍ୟାକେଟ୍ର ୩ ଜଣ ଅଭିଯୁକ୍ତଙ୍କୁ ପୁରୀଘାଟ ଥାନା ପୁଲିସ୍ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଖରାବାଦ ଅଞ୍ଚଳର ଅଙ୍କିତ ଅଗ୍ରୱାଲ୍, ମାଣିକଘୋଷ ବଜାର ଅଞ୍ଚଳର ଅମିତ୍ ଅଗ୍ରୱାଲ୍ ଓ ହରିପୁର ଅଞ୍ଚଳର ଅନୀଲ ସିପାଣୀ । ଗିରଫଦାରୀ ସମୟରେ ପୁଲିସ୍ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଲ୍ୟାପଟପ୍, ୨ଟି କମ୍ପୁଟର ଡେକ୍ସଟପ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି ।
ମିଳିଥିବା ସୂଚନାନୁସାରେ, ଚଳିତ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଲା ଦିନୁ କେତେକ ଅଭିଯୁକ୍ତ କ୍ରିକେଟ୍ ବେଟିଂ ଆରମ୍ଭ କରିଥିଲେ । ଭାରତ ମ୍ୟାଚ୍ର ପ୍ରତିଟି ମ୍ୟାଚ୍ରେ ଚାଲିଥିଲା ବେଟିଂ । ଏମିତିକି ବେଳେବେଳେ ପ୍ରତି ଓଭର ଏବଂ ପାୱାର ପ୍ଲେ ଓଭରରେ ମଧ୍ୟ ବେଟିଂ ଚଳାଇ ଟଙ୍କା ବାଜି ଲଗାଉଥିଲେ । ମାଣିକଘୋଷ ବଜାର ଅଞ୍ଚଳର ଅମିତ୍ ଜୁଆ ଖେଳରେ ପୂରା ପାରଙ୍ଗମ ବୋଲି ପୁଲି୍ ସୂଚନା ଦେଇଛି । ଅମିତ୍ ତାର ସହଯୋଗୀ ଅଙ୍କିତ ଓ ଅନିଲ୍ ସହ ମିଶି ହ୍ୱାଟସ୍ଆପ୍ରେ କିଏ ଜିତିବ ଆଉ ହାରିବ ସେ ସମ୍ପର୍କରେ ବେଟିଂ ଚଳାଇଥିଲେ । କିଏ ମ୍ୟାନ୍ ଅଫ ଦ ମ୍ୟାଚ୍ ହେବ ଏବଂ କେଉଁ ବୋଲର କେତେ ୱିକେଟ୍ ନେବେ ସେ ସମ୍ପର୍କରେ ମଧ୍ୟ ବେଟିଂ ଲଗାଇ ଅଭିଯୁକ୍ତମାନେ ଟଙ୍କା ରୋଜଗାର କରୁଥିଲେ ବୋଲି ପୁଲିସ୍ କହିଛି । ମ୍ୟାଚ୍ର ଫଳାଫଳକୁ ନେଇ ୱାଟସ୍ଆପ୍ରେ ବେଟିଂ ଚାଲିବା ସହ ଅନ୍ଲାଇନ୍ରେ ଟଙ୍କା ଟ୍ରାଞ୍ଜାକସନ୍ ହେଉଥିଲା । ଏମିତି ପ୍ରାୟ ଦେଢ଼ ମାସ ହେଲା ଅଭିଯୁକ୍ତ ଜୁଆ ର୍ୟାକେଟ୍ କ୍ରିକେଟ୍ରେ ବେଟିଂ ଲଗାଇ ଲକ୍ଷାଧିକ ଟଙ୍କା କମାଇଥିବା ଜଣାପଡିଛି । ଗତକାଲି ସେମିଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭାରତ ଭେଟିଥିଲା । ନ୍ୟୁଜିଲାଣ୍ଡ୍ର ପ୍ରଥମ ପାଳି ବ୍ୟାଟିଂ ଶେଷହେବାକୁ ଆଉ ଅଳ୍ପ କେଇଟା ବଲ୍ ବାକିଥିବା ହଠାତ୍ ବର୍ଷା ହୋଇଯିବାରୁ ଖେଳକୁ ସ୍ଥଗିତ ରଖାଯାଇଥିଲା । ମ୍ୟାଚ୍ ସ୍ଥଗିତ ହୋଇଯିବା ପରେ ଅଭିଯୁକ୍ତମାନଙ୍କୁ ବେଟିଂ କରିବା ପାଇଁ ଭଲ ସୁଯୋଗ ମିଳିଯାଇଥିଲା । ଅନ୍ତିମ ପର୍ଯ୍ୟାୟ ଖେଳ ଏବଂ ହାରଜିତ୍କୁ ନେଇ ୧୦ ହଜାର ଟଙ୍କାରୁ ବେଟିଂ ଆରମ୍ଭ ହୋଇ ଟଙ୍କା ପରିମାଣ ବେଳକୁ ବେଳ ବଢ଼ିଥିଲା । ବେଟିଂରେ ଭାଗ ନେଉଥିବା କିଛି ଜୁଆଡ଼ିଙ୍କ ମଧ୍ୟରେ ଗତକାଲି ରାତିରେ ଟଙ୍କା ବାଜି ଲଗାଇବାକୁ ନେଇ କିଛି କେଁ ବାହାରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ଯୋଗୁଁ ଗୋପନୀୟ ଭାବେ ଚାଲିଥିବା କ୍ରିକେଟ୍ ବେଟିଂ ବାହାରକୁ ପ୍ରଘଟ ହୋଇଥିଲା । ଡିସିପିଙ୍କ ନିକଟରେ ବେଟିଂ ଖବର ପହଞ୍ଚିବା ପରେ ଘଟଣାର ଅନୁଧ୍ୟାନ କରିବା ପାଇଁ ସେ ପୁରୀଘାଟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁରୀଘାଟ ଥାନା କ୍ରିକେଟ୍ ବେଟିଂ ବାବଦରେ ଖୋଳତାଡ଼ କରିବା ପରେ ୩ ଜଣ ଅଭିଯୁକ୍ତ ଧରାପଡିବା ପରେ ର୍ୟାକେଟ୍ର ଆଉ କିଛି ଅଭିଯୁକ୍ତ ଏବେ ସହର ଛାଡ଼ି ବାହାରେ ଲୁଚି ବୁଲୁଥିବାର ଜଣାପଡିଛି । ଅନ୍ୟପକ୍ଷରେ ଏହି ବେଟିଂ ମାମଲାରେ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ସେମାନଙ୍କ ପାଖରୁ ଫଟା ପାହୁଲାଟିଏ ମଧ୍ୟ ଜବତ କରିପାରିନାହିଁ ।


Comments are closed, but trackbacks and pingbacks are open.