କର୍କଟ କେନ୍ଦ୍ର ପରିଚାଳନା ପରିଷଦ ବାର୍ଷିକ ବୈଠକ:୩୮ କୋଟି ବ୍ୟୟରେ ନୂଆ ରେଡିଓଥେରାପି ୟୁନିଟ୍

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ବାର୍ଷିକ ପରିଚାଳନା ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପରିଚାଳନା ପରିଷଦର ଅଧ୍ୟକ୍ଷ ନବ କିଶୋର ଦାସ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ଆଜି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଖାସ୍କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ, ଖୁବ୍ଶୀଘ୍ର କର୍କଟ କେନ୍ଦ୍ର ପରିସରରେ ନୂଆ ରେଡ଼ିଓଥେରାପି ୟୁନିଟ୍ ଓ ସର୍ଜିକାଲ୍ ୟୁନିଟ୍ କାମ ଆରମ୍ଭ ହେବ । ସେହିପରି ବର୍ତ୍ତମାନ ନିର୍ମାଣାଧୀନ ଲିନାକ୍ କୋଠ କାମ ଶେଷ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
କର୍କଟ ରୋଗ ଚିକିତ୍ସାରେ ରେଡ଼ିଓଥେରାପି ବା ତେଜସ୍କ୍ରିୟ ବିକିରଣ ଚିକିତ୍ସାର ଅଧିକ ଗୁରୁତ୍ୱ ରହିଛି । ତେଣୁ ଏହି ଚିକିତ୍ସା ପାଇଁ କେନ୍ଦ୍ର ପରିସରରେ ନୂଆ ୟୁନିଟ୍ ଗଠନ ହେବ । ଏହି ୟୁନିଟ୍ରେ ଦୁଇଟି ଲିନିଅର୍ ଆକ୍ସିଲେଟର ମେସିନ୍, କନ୍ଭେନ୍ସନାଲ୍ ସିମୁଲେଟର, ବ୍ରାକିଥେରାପି ଓ ଡୋଜିମେଟ୍ରି ଆଦି ଅତ୍ୟାଧୁନିକ ମେସିନ୍ଗୁଡ଼ିକ ରହିବ । ଏହି ୟୁନିଟ୍ର ଶିଳାନ୍ୟାସ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଜି କରିଛନ୍ତି । ୟୁନିଟ୍ ନିର୍ମାଣ ପାଇଁ ଟେକ୍ନିକାଲ୍ ବା ବୈଷୟିକ ସହାୟତା ଟାଟା ଟ୍ରଷ୍ଟ ପକ୍ଷରୁ ଗଠିତ ‘ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସନ୍’ଯୋଗାଇ ଦେବ । ତେବେ ୟୁନିଟ୍ ପାଇଁ ଆବଶ୍ୟକୀୟ କୋଠା ଓ ସେଠାରେ ଲାଗିବାକୁ ଥିବା ମେସିନ୍ ପାଇଁ ମୋଟ୍ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ବରାଦ କରାଯାଇଛି । ସେହିପରି ବର୍ତ୍ତମାନ ନିର୍ମାଣ ଚାଲିଥିବା ଲିନାକ୍ କୋଠା କାମ ଖୁବ୍ଶୀଘ୍ର ଶେଷ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି କୋଠାଟି ୭ ମହଲା ବିଶିଷ୍ଟ ରହିଛି । କୋଠାରେ ସିଟି ସ୍କାନ୍ ମେସିନ୍, ଏମ୍ଆର୍ଆଇ ସ୍କାନ୍ ମେସିନ୍, ପେଟ୍-ସିଟି ସ୍କାନ୍ ମେସିନ୍ ପିପିପି ମୋଡ୍ରେ କାର୍ଯ୍ୟ କରିବ । ସେହିପରି କୋଠାରେ ଆଇସିୟୁ, ନିଉଟ୍ରୋପେନିଆ ୱାର୍ଡ, ପେଡ଼ିଆଟ୍ରିକ୍ ୱାର୍ଡ ସହିତ ସାଧାରଣ ବେଡ୍ ମଧ୍ୟ ରହିବ । କୋଠା ନିର୍ମାଣ ହେଲେ ବର୍ତ୍ତମାନ ଅପେକ୍ଷା ଅଧିକ ୨ଶହ ବେଡ୍ ବଢ଼ିବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଏହି କୋଠା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଓଡ଼ିଶା ଷ୍ଟେଟ୍ ମେଡ଼ିକାଲ୍ କର୍ପୋରେସନ୍ ମାଧ୍ୟମରେ କ୍ରୟ କରାଯିବାକୁ ନିଷ୍ପତ୍ତି ହୋଇଛି ।
ଅନ୍ୟପକ୍ଷରେ ନୂଆକରି ନିର୍ମାଣ ହେବାକୁ ଥିବା ସର୍ଜିକାଲ୍ ବ୍ଲକ୍ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ କରାଯାଇଛି । କର୍କଟ କେନ୍ଦ୍ର ପାଖରେ ଥିବା ଶିଳ୍ପ ବିଭାଗ, ଡିଟିଇଟି ଓ ଜିଏ ବିଭାଗର ୧୧ଟି କ୍ୱାର୍ଟର୍ସକୁ ଚିହ୍ନଟ କରାଯାଇଛି । ସେଥିରୁ ବର୍ତ୍ତମାନ ସୁଦ୍ଧା ୬ଟି କ୍ୱାର୍ଟର୍ସକୁ ଭାଙ୍ଗିବା କାମ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି । ତେବେ ଏହି ସର୍ଜିକାଲ୍ ୟୁନିଟ୍ ବା କୋଠା ନିର୍ମାଣ ହେଲେ ସେଥିରେ ୧୦ଟି ମଡ଼ୁଆଲ ଓଟି(ଅପରେସନ୍ ଥିଏଟର), ପିଜି ଛାତ୍ରଙ୍କ ପାଇଁ ଗୋଟିଏ ଏକାଡେମିକ୍ ବ୍ଲକ୍, ସିନିଅର ରେସିଡେଣ୍ଟ୍ଙ୍କ ପାଇଁ ହଷ୍ଟେଲ୍ ଓ ମଲ୍ଟି ୟୁଟିଲିଟି ସେଣ୍ଟର ରହିବ । ଏହାର ନିର୍ମାଣରେ ମଧ୍ୟ ଟାଟା ଟ୍ରଷ୍ଟ ସହଯୋଗ କରିବ । ଅନ୍ୟପଟେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଭଳି କର୍କଟ କେନ୍ଦ୍ର କର୍ମଚାରୀଙ୍କ ପେନ୍ସନ୍ ସୁବିଧା ଖୁବ୍ଶୀଘ୍ର ଲାଗୁ କରାଯିବ । ଗତ ବର୍ଷରୁ ପାଠ ପଢ଼ୁଥିବା ଏମ୍ସିଏଚ୍ ଓ ଡିଏମ୍ଏଲ୍ଟି ଛାତ୍ରମାନେ ଆସନ୍ତା ବର୍ଷ ଶେଷ ତଥା ଫାଇନାଲ୍ ପରୀକ୍ଷା ଦେବେ । ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହିତ ହୋଇଥିବା ଚୁକ୍ତି ମୁତାବକ ଚଳିତ ବର୍ଷଠାରୁ ‘ମେଡ଼ିକାଲ୍ ଫିଜିକ୍ସ’ ପାଠ୍ୟକ୍ରମର ଛାତ୍ରମାନେ ପାଠପଢ଼ା ଆରମ୍ଭ କରିବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା, ଅର୍ଥ ବିଭାଗ ଅତିରିକ୍ତ ସଚିବ ଜି. ନନ୍ଦୀ, ଡିଏମ୍ଇଟି ସୋନାମାଳି ବାଗ୍, ଏସ୍ସିବି ପ୍ରିନ୍ସିପାଲ୍ ପ୍ରଫେସର ଡା. ଜୟଶ୍ରୀ ମହାନ୍ତି, କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ, ଓଏସ୍ଏମ୍ସିଏଲ୍ର ଏମ୍ଡି ଯାମିନି ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ପୁନମ ଗୁହା, ତାପସ କୁମାର, କଟକ ଜିଲ୍ଲପାଳ ଭବାନୀ ଶଙ୍କର ଚୟନୀ, ଏମ୍ସ କର୍ତ୍ତୃପକ୍ଷ ଡି.କେ ପରିଡ଼ା, ସିଏମ୍ସି କମିସନର ଅନନ୍ୟା ଦାସ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ଚୌଦ୍ୱାର-କଟକ ବିଧାୟକଙ୍କ ପ୍ରତିନିଧି ସୁବ୍ରତ ଘଡ଼େଇ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏମ୍.ଆର୍ ଖାନ୍, ପିଏଚ୍ଡି ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡ଼େଇ, ପ୍ରଫେସର କେ.ବି ଦାସ, ପୂର୍ବତନ କର୍ପୋରେଟର ଦୀପାଳିବାଳା ଭୂୟାଁ ଓ ପବିତ୍ର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons