ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଡ୍ରଗସ୍ କଣ୍ଟ୍ରୋଲ୍ ଟିମ୍ ଆଜି କଳିଙ୍ଗ ହସ୍ପିଟାଲରେ ଚଢ଼ଉ କରିଛି । ଚଢ଼ଉ ବେଳେ ହସ୍ପିଟାଲରୁ ୬ଟି ନିମ୍ନମାନର ଔଷଧ ଜବତ କରିଛି । ଟିମ୍ ଏହି ଔଷଧକୁ ଜବତ କରି ଏହାକୁ ପରୀକ୍ଷା ପାଇଁ ପଠାଇଛି । ଏହାର ବିକ୍ରି ଉପରେ କଟକଣା ଜାରି ହୋଇଛି ।
ସୂଚନା ଅନୁସାରେ, ଡ୍ରଗସ୍ କଣ୍ଟ୍ରୋଲର ଦୁଇ ଜଣ ଅଧିକାରୀ ଆଜି ଅପରାହ୍ନରେ କଳିଙ୍ଗ ହସ୍ପିଟାଲରେ ଅଚାନକ ଚଢଉ କରିଥିଲେ । ହସ୍ପିଟାଲରେ ରୋଗୀଙ୍କୁ ବିକ୍ରି ପାଇଁ ଉଦ୍ଦିଷ୍ଟ ଔଷଧକୁ ଯାଞ୍ଚ କରିଥିଲେ । ଚଢଉ ବେଳେ ୬ଟି ନିମ୍ନମାନର ଔଷଧ ଟିମ୍ର ନଜରକୁ ଆସିଥିଲା । ଯାଞ୍ଚ ଟିମ୍ ଔଷଧର କ୍ରୟ ସମ୍ବନ୍ଧୀୟ କାଗଜପତ୍ର ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଗିଥିଲେ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଏହି ଔଷଧ କେଉଁଠୁ ଆସିଲା? କେବେ ଠାରୁ ଏହିି ନିମ୍ନମାନର ଔଷଧ ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଉଛି? ଏହାକୁ ଛାନଭିନ୍ କରିଥିଲେ ଯାଞ୍ଚ ଟିମ୍ । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ । ଜବତ ହୋଇଥିବା ଔଷଧକୁ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.