ଖଇରା,(ବି.ବି.ନୁ୍ୟଜ): ଖଇରା ବ୍ଲକ୍ ମାଖନପୁର ପଞ୍ଚାୟତ ଟିପିସିଗଡ଼ିଆ ଗ୍ରାମରେ ଥିବା ବାବା ବକ୍ରେଶ୍ୱର ମହାଦେବଙ୍କ ପୀଠ ଦେଇ ପ୍ରବାହିତ କାଂଶବାଂଶ ନଦୀ କୂଳରେ ଏକ ବାଘ ବୁଲୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଛନ୍ତି ।
ଘଟଣାରୁ ପ୍ରକାଶ, ଦୁଇଦିନ ତଳେ ଭୋର୍ ବେଳେ କାଂଶବାଂଶ ନଦୀ କଡରେ ଏକ ବାଘ ବୁଲୁଥିଲା । ଏହାକୁ ଦେଖି ଜଣେ ସ୍ଥାନୀୟ ବାସିନ୍ଦା ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ପରେ ଏନେଇ ସେ ଗ୍ରାମବାସୀଙ୍କୁ କହିବା ସହିତ ଭିଡିଓଟିକୁ ସୋସିଆଲ ମିଡିଆରେ ପ୍ରସାରିତ କରିଥିଲେ । ଏହି ଭିଡିଓରେ ବାଘଟି ଉକ୍ତ ନଦୀ କଡରେ ବୁଲୁଥିବାର ଦେଖିବାକୁ ମିଳୁଛି । ପାଞ୍ଚମାସ ପୂର୍ବରୁ ସ୍ଥାନୀୟ ଆନନ୍ଦପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସତ ହୋଇଥିଲେ । ଏବେ ପ୍ରତ୍ୟେକ ଦିନ ରାତିରେ ଉକ୍ତ ନଦୀ କୂଳରେ ଥିବା ଜଙ୍ଗଲରେ ବାଘ ବୋବାଉଥିବାର ଶବ୍ଦ ଶୁଣା ଯାଉଥିବା ସ୍ଥାନୀୟ ବାସିନ୍ଦା ଗଙ୍ଗାଧର ଜେନା ପ୍ରକାଶ କରିଛନ୍ତି । ବାଘ ବୁଲୁଥିବା ଭିଡିଓ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଏନେଇ ଔପଦା ରେଞ୍ଜର ବବିତା ସୋରେନଙ୍କୁ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ ସୂଚନା ପାଇଛନ୍ତି । ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ସେ କହିଥିଲେ ।


Comments are closed, but trackbacks and pingbacks are open.