କାଠମାଣ୍ଡୁରେ ଦୁର୍ଘଟଣା: ପ୍ରାଣ ହରାଇଲେ ଖୋର୍ଦ୍ଧାର ଦୁଇ ତୀର୍ଥଯାତ୍ରୀ

Get real time updates directly on you device, subscribe now.

ଜଙ୍କିଆ,(ବି.ବି.ନ୍ୟୁଜ୍): ନେପାଳର ରାଜଧାନୀ କାଠମାଣ୍ଡୁକୁ ତୀର୍ଥ କରିବା ପାଇଁ ଯାଇଥିବା ଖୋର୍ଦ୍ଧାର ୨ ବ୍ୟକ୍ତି ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ନେପାଳର ରାଉତହାଟ ଜିଲ୍ଲା ଚନ୍ଦ୍ରନିଧିପୁର ଠାରେ ସେମାନେ ଯାଉଥିବା ବସ୍ଟିକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୨ ଜଣ ପ୍ରାଣ ହରାଇବା ସହ ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗ୍ରାମର ଚରଣ ବିଶ୍ୱାଳ(୫୪) ଏବଂ ଯମୁନା ଗ୍ରାମର ବିଜୟ କୁମାର ଜେନା(୫୨) । ଏହି ଖବର ଜଣାପଡ଼ିବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଶବକୁ ଗ୍ରାମକୁ ଆଣିବା ନିମନ୍ତେ ପରିବାର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି ।
ଖବରରୁ ପ୍ରକାଶ ଯେ, ଗତ ୬ ତାରିଖରେ ଜଟଣୀ ଥାନା ଅନ୍ତର୍ଗତ ଯମୁନା ଗ୍ରାମର ବିଜୟ ଜେନାଙ୍କ ସହଯୋଗରେ ଟ୍ରେନ୍ ଯୋଗେ ମଳିପଡ଼ା ଗ୍ରାମର ଚରଣ, ପତ୍ନୀ ମଞ୍ଜୁଲତା, ଝିଅ, ଜ୍ୱାଇଁ, ନାତି ଓ ଗ୍ରାମର ଅନ୍ୟ ୩ ଜଣ ତୀର୍ଥ କରିବା ପାଇଁ କାଠମାଣ୍ଡୁ ଯାତ୍ରା କରିଥିଲେ । ତୀର୍ଥ ସାରି ୧୦ ତାରିଖ ଦିନ ଏକ ବସ୍ ଯୋଗେ ଫେରୁଥିବା ବେଳେ ନେପାଳର ରାଉତହାଟ ଜିଲ୍ଲା ଚନ୍ଦ୍ରନିଧିପୁର ଠାରେ ବସ୍ଟିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚରଣ ଓ ଯମୁନା ଗ୍ରାମର ବିଜୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ଗୁରୁତର ଆହତ ହୋଇଥିଲେ । ଏ ସମ୍ପର୍କରେ ୧୦ ତାରିଖ ରାତି ପ୍ରାୟ ୧୨ଟା ବେଳେ ଚରଣଙ୍କ ଜ୍ୱାଇଁ ପଦ୍ମଚରଣ ଗୁମାନସିଂହ ତାଙ୍କ ଶାଳକ ବାଦଲଙ୍କୁ ଜଣାଇବା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଆହତମାନଙ୍କୁ ନେପାଳସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ମଳିପଡ଼ାରେ ଶୋକର ଛାୟା ଖେଳିଯାଇଛି ।
ଚରଣ ଗ୍ରାମରେ ଏକ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଚରଣଙ୍କର ଦୁଇପୁଅ ଓ ଦୁଇଝିଅଙ୍କ ମଧ୍ୟରୁ ଝିଅମାନଙ୍କର ବିବାହ ହୋଇଯାଇଛି । ସେ ତୀର୍ଥଯାତ୍ରାରୁ ଫେରିବା ପରେ ବଡ଼ପୁଅର ବାହାଘର କରିଥାନ୍ତେ ବୋଲି ସ୍ଥିର ହୋଇଥିଲା । ଆଜି ସକାଳେ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଶବ ଗ୍ରାମକୁ ଆଣିବା ପାଇଁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଏ ଦିଗରେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଦିନ ଜଟଣୀ, ମଳିପଡ଼ା ତଥା ଆଖପାଖ ଗ୍ରାମର ୬୦ଜଣ ବ୍ୟକ୍ତି ତୀର୍ଥ କରିବା ପାଇଁ ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons