ଫୁଲବାଣୀ,(ବି.ବି.ନ୍ୟୁଜ୍): ଏପାଖରୁ ସେପାଖ ରାସ୍ତା ଖୋଳାଯାଇଛି । ତା’ ଉପରେ ପକାଇ ଦିଆଯାଇଛି ମାଟି । ଏବେ ମାଓ ସଂଗଠନର ସହିଦ୍ ସପ୍ତାହ ପାଳନ କରାଯାଉଥିବା ବେଳେ ଲ୍ୟାଣ୍ଡ୍ମାଇନ୍ ବିଛା ଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅନ୍ତର୍ଗତ କାମଟଣା-ପୋକାରୀ ରାସ୍ତାରେ । ମାଓବାଦୀମାନେ ଉପସ୍ଥିତି ଜାହିର କରିବା ନେଇ ଏଭଳି ଲ୍ୟାଣ୍ଡ୍ ମାଇନ୍ ପୋତିଥିବା କୁଆଡ଼େ ଆଲୋଚନା ହେଉଛି ।
କାମଟଣା ନିକଟ ଘାଟି ରାସ୍ତାର ଗୋଟିଏ ସ୍ଥାନରେ ପିଛୁରାସ୍ତାକୁ ଖୋଳାଯାଇ ପୁଣି ପୋତାଯାଇଛି । ସେଠାରେ ଲ୍ୟାଣ୍ଡମାଇନ୍ ବିଛାଯାଇଥିବା ସନ୍ଦେହ ହେବାରୁ ଲୋକେ ଗୋଛାପଡ଼ା ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି । ସିଆର୍ପିଏଫ୍ର ବୋମା ନିଷ୍କ୍ରିୟ ଟିମ୍ଙ୍କୁ ଖବର ଦିଆଯାଥିବା ଥାନାଧିକାରୀ ଚିତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ରବିବାର ଠାରୁ ମାଓ ସଂଗଠନ ପକ୍ଷରୁ ସହିଦ ସପ୍ତାହ ଆରମ୍ଭ ହୋଇଛି । ପୂର୍ବରୁ ସହିଦ୍ ସପ୍ତାହରେ ମାଓବାଦୀମାନେ ଅଘଟଣ ଘଟାଇଥିବାର ଦୃଷ୍ଟାନ୍ତ ରହିଛି । ଫିରିଙ୍ଗିଆ ବ୍ଲକରେ ମାଓ ପ୍ରବଣ ଭାବେ ବେଶ ଜଣାଶୁଣା । ଗତ ନିର୍ବାଚନ ବେଳେ ମାଓବାଦୀମାନେ ଜଣେ କର୍ମଚାରୀଙ୍କୁ ହତ୍ୟା କରିବା ସହ ଦୁଇଟି ପୁଲିଂ ପାର୍ଟିର ଗାଡ଼ି ପୋଡ଼ି ଦେବା ସହ ରାସ୍ତାରେ ଲ୍ୟାଣ୍ଡ୍ମାଇନ ବିଛାଇଥିଲେ । କିଛି ଦିନ ହେଲା ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ପୋଷ୍ଟର ମଧ୍ୟ ମରାଯାଇଛି । ହୁଏତ ପୁଣି ଲ୍ୟାଣ୍ଡ୍ମାଇନ ବିସ୍ଫୋରଣ କରି ସେମାନଙ୍କ ଉପସ୍ଥିତ ଜାହିର କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି । ମାଓ ସଂଗଠନର ସହିଦ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ଥାନାକୁ ଆଲର୍ଟ ରଖାଯିବା ସହ ସିଆର୍ପିଏଫ୍ ଓ ଏସ୍ଓଜି ଯବାନଙ୍କ ସହ ମିଳିତ କମ୍ବିଂ ଅପରେସନ ଚାଲିଥିବା ଏସ୍ପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.