ଗୋପ,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳର ଜଣେ କୁଖ୍ୟାତ ଅପରାଧୀ ଓ ତା’ର ୪ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ବନ୍ଧୁକ, ଗୋଟିଏ କାର୍, ୩ଟି ବାଇକ୍ ଓ ୫୦ହଜାର ଟଙ୍କା ଜବତ ହୋଇଛି । ଏହି ଘଟଣା ଗୋପ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।
ଖବରରୁ ପ୍ରକାଶ ଯେ, ଗୋପ ଥାନା ଧୁମାଳୋ ପଞ୍ଚାୟତ ଅନ୍ତର୍ଗତ ଧୁମାଳୋ ଗ୍ରାମର ବିଜୟ ଖଟୋଇ(୨୪) ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ ଘଟଣା ଘଟାଇଛି । ତା ବିରୋଧରେ କେବଳ ଗୋପ ଥାନାରେ ୧୧ଟି ମାମଲା ରହିଥିବା ବେଳେ ପୁରୀ ଜିଲ୍ଲାର ଅନ୍ୟାନ୍ୟ ଥାନାରେ ୧୫ଟି ମାମଲା ରହିଛି । ବିଜୟ ଓରଫ କୁନ୍ଦୁରା ନୟାହାଟ ଅଞ୍ଚଳରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ରାସ୍ତାରେ ଯାଉଥିବା ବିଭିନ୍ନ ଲୋକଙ୍କ ଠାରୁ ବନ୍ଧୁକ ଦେଖାଇ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରି ପୁଲିସ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଉଥିଲା । ସୋମବାର ଦିନ ଭୋର ସମୟରେ ବିଜୟ ତା’ର ୪ ସହଯୋଗୀ ଗୋପ ଅଞ୍ଚଳର ପିଣ୍ଟୁ ମଲିକ (୨୪), ଅଶୋକ ସ୍ୱାଇଁ (୨୩), ମାନସ ରଞ୍ଜନ ମହାନ୍ତି(୩୧) ଏବଂ ନିମାପଡ଼ା ଅଞ୍ଚଳର ଦୁର୍ଗା ଚରଣ ମହାନ୍ତିଙ୍କ ସହ ମିଶି ନୟାହାଟ ଫାଣ୍ଡି ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁରୀ ଏସ୍ପି ଅଖିଳେଶ ସିଂ କୌଣସି ସୂତ୍ରରୁ ଖବର ପାଇଥିଲେ । ଏସ୍ପି ଶ୍ରୀ ସିଂ ଗୋପ ଥାନା ଆଇଆଇସି ସୁଧିର ସାହୁଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଆଇଆଇସି ଶ୍ରୀ ସାହୁଙ୍କ ନେତୃତ୍ୱରେ ଗୋପ ପୁଲିସ ଚଢ଼ଉ କରି ପ୍ରଥମେ ବିଜୟ ଓରଫ କୁନ୍ଦୁରାକୁ ଆଖଣ୍ଡଳମଣି ମନ୍ଦିର ନିକଟରୁ ଗିରଫ କରିବା ପରେ ତା’ର ୪ ସହଯୋଗୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଚଢ଼ଉ କାଳରେ ପୁଲିସ ସେମାନଙ୍କ ଠାରୁ ଦୁଇଟି ଚୋରା ଦେଶୀ ବନ୍ଧୁକ, କାର୍(ଓଆର୦୫ବି ୮୦୧୧), ୨ଟି ବାଇକ୍(ଓଡି୧୩ଜି ୦୫୨୫, ଓଡି୧୩ଏଲ ୩୩୫୪) ଓ ନଗଦ ୫୦ ହଜାର ଟଙ୍କା ଜବତ କରିଥିଲା । ପୁଲିସ ଅଭିଯୁକ୍ତମାନଙ୍କୁ କୋଣାର୍କ ଜେଏମ୍ଏଫ୍ସିଙ୍କ କୋର୍ଟକୁ ଚାଲାଣ କରିଥିବା ବେଳେ ସେମାନଙ୍କର ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ସେମାନଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.