କୁଜଙ୍ଗ,(ବି.ବି.ନୁ୍ୟଜ): କୁଜଙ୍ଗ ବିବି ହାଇସ୍କୁଲ କ୍ୟାମ୍ପସ୍ ମଧ୍ୟରୁ ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ କରି ଜଣେ ବ୍ରାଉନ୍ସୁଗର ବେପାରୀକୁ ଗିରଫ କରାଯାଇଛି । ତା’ଠାରୁ ୧୦ ଗ୍ରାମ୍ ବ୍ରାଉନସୁଗର୍ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଉଛି ରଘୁନାଥପୁର ଗ୍ରାମର ଅଧିକାରୀ ଦେବାଶିଷ ଦାସ(୨୫) । ସ୍କୁଲ ପରିସରରେ ସେ ବ୍ରାଉନ୍ସୁଗର ବିକୁଥିବା ନେଇ ଉଭୟ ଅବକାରୀ ଓ ପୁଲିସ ବିଭାଗ ପାଖରେ ଖବର ପହଞ୍ଚଥିଲା । କୁଜଙ୍ଗ ଥାନା ଏସ୍ଆଇ ଶୁଭ୍ରଜିତ୍ ଦାସ ଓ ଦେବରାଜ ପ୍ରଧାନ, ପାରାଦୀପ ଅବକାରୀ ଥାନା ଅଧିକାରୀ ପ୍ରଭାକର ସେଠୀଙ୍କ ନେତୃତ୍ୱରେ ମିଳିତ ଚଢ଼ଉ କରି ଘଟଣାସ୍ଥଳରୁ ଦେବାଶିଷକୁ କାବୁ କରାଯାଇଥିଲା । ୨୦୧୯ ଡିମେମ୍ବରରେ କୁଜଙ୍ଗ ବଜାରରେ ବ୍ରାଉନସୁଗର ବିକୁଥିବା ଅଭିଯୋଗରେ ପୁଲିସ ଦେବାଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଜେଲ୍ରୁ ମୁକୁଳିବା ପରେ ସେ ପୁଣି ସେହି ଧନ୍ଦା ଚଳାଇଥିଲା ।
ଖାଲି କୁଜଙ୍ଗ ବଜାରରେ ନୁହେଁ, କୁଜଙ୍ଗ ଅଞ୍ଚଳର ପାଟପୁର, ପଙ୍କପାଳ, ରାହାମା, ଚଟୁଆ, ବାଲିତୁଠ, ୧୫ ନମ୍ବର ଅଞ୍ଚଳ ଗୁଡ଼ିକରେ ବ୍ୟାପକ ବ୍ରାଉନସୁଗର କାରବାର ହେଉଛି । କୁଜଙ୍ଗ ବଜାର ନିକଟରେ ଥିବା କୃଷି କାର୍ଯ୍ୟାଳୟ ସାମ୍ନା ନଦୀପଠା ଏବେ ନିଶାଡ଼ିଙ୍କ ଆଡ୍ଡା ପାଲଟିଛି । ସଞ୍ଜ ହେଲେ ଏଠାରେ କିଛି ଯୁବକ ବ୍ରାଉନ୍ସୁଗାର ନେବାକୁ ଭିଡ଼ ଜମୁଛି । ନିଶା ସେବନ କରି ନିଶାଡ଼ି ମାନେ ଅପରାଧ ଘଟାଉଛନ୍ତି । ବିଶେଷ କରି ଅତି କମ୍ ବୟସର ଏପରିକି ସ୍କୁଲ ପଢା ପିଲା ମାନେ ମଧ୍ୟ ଏହି ନିଶା କବଳରେ ପଡ଼ୁଥିବା ଦେଖିବାକୁ ମିଳୁଛି । ହେଲେ ଏନେଇ କେହି ମୁହଁ ଖୋଲୁନାହାନ୍ତି । ତକ୍ରାଳୀନ କୁଜଙ୍ଗ ଆଇଆଇସି ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ବ୍ରାଉନ୍ସୁଗର ଚଢ଼ଉକୁ ବ୍ୟାପକ କରାଯାଇଥିଲା । ହେଲେ ଏବେ ପୁଣି ସେମାନଙ୍କ ବେପାର ବଢ଼ିଛି । ଆଉ ଅବକାରୀ ବିଭାଗ କାଁ ଭାଁ ଧରପଗଡ଼ କରିଦେଇ କେବଳ ଟାର୍ଗେଟ ପୂରଣ ଳକ୍ଷ୍ୟରେ ରହୁଛି । ଯିଏ ବି ଧରାପଡ଼ୁଛି ତା’ଠାରୁ ୫ରୁ ୧୦ ଗ୍ରାମ୍ ଭିତରେ ମାଲ୍ ଜବତ ହେଉଛି । ହେଲେ ଅସଲ ବଡ଼ ବଡ଼ କାର୍ପଟଦାର ମାନେ ଖସିଯାଉଛନ୍ତି କେମିତି ? ଯେଉଁମାନେ ଧରାପଡ଼ୁଛନ୍ତି ସେମାନେ ମାଲ୍ କେଉଁଠୁ କେମିତି କେଉଁ ଉପାୟରେ ଆଣୁଛନ୍ତି, ୟା ପଛରେ କେଉଁ କେଉଁ ନେଟୱର୍କ କାମ କରୁଛି ତାକୁ ନେଇ ବିଭାଗ ଖୋଳତାଡ଼ କରୁନାହିଁ କାହିଁକି । ନା କେବଳ ଗିରଫ କରିଦେଇ ଜବତ ମାଲ୍କୁ ସରକାରୀ ଦସ୍ତାବିଜ୍ରେ ଦର୍ଶାଇବାକୁ ଲୋକ ଦେଖାଣିଆ ଚଢ଼ଉ କରୁଛି ବିଭାଗ । ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମାନେ ମଧ୍ୟ ଆଖି ବୁଜି ଦେଉଛନ୍ତି କେମିତି । କାହିଁକି ବିଭାଗୀୟ ଅଧିକାରୀ ମାନେ ଏହି ଚୋରା କାରବାରକୁ ବନ୍ଦ କରିବାକୁ ପଦକ୍ଷେପ ନେଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇ ରହିଯାଉଛି ।


Comments are closed, but trackbacks and pingbacks are open.