କୋଡିଙ୍ଗା ଥାନା ହାଜତ ମୃତ୍ୟୁ ମାମଲାରେ ଆଇଆଇସି ପୁଷ୍ପେନ୍ଦୁ ସାଗର ନିଲମ୍ବିତ

Get real time updates directly on you device, subscribe now.

ନବରଙ୍ଗପୁର (ବି.ବି.ନ୍ୟୁଜ୍): କୋଡିଙ୍ଗା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗେ ପୋଲିସ ଡିଜି ଡା. ଆର.ପି.ଶର୍ମା ଏହି ପଦକ୍ଷେପ ନେଇଛନ୍ତି। ଶନିବାର କୋଡିଙ୍ଗା ଥାନା ହାଜତରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ଆଇଆଇସି ମାମଲାର ତଦନ୍ତ ନ କରିବାରୁ ଲୋକେ ଥାନା ଘେରାଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଣୁ ଦାୟିତ୍ୱରେ ଅବହେଳା ଯୋଗୁ ସାଗରଙ୍କୁ ନିଲମ୍ବନ କରାଯାଇଛି।
ଶନିବାର କୋଡ଼ିଙ୍ଗା ପୋଲିସ ଖୁଟିଗୁଡା ହାଟରେ କୁକୁଡ଼ା ଲଢେ଼ଇ ଖେଳ ହେଉଥିବା ଖବର ପାଇ ଚଢ଼ଉ କରିଥିଲା । ସେଠାରୁ ପୋଲିସ ବଡପଞ୍ଜରିଆ ଗାଁର ଗୋବର୍ଦ୍ଧନ ବିନ୍ଧାଣୀ ଓ କମଳୁ ହରିଜନକୁ ଥାନାକୁ ଧରିନେଇଥିଲା। ତେବେ ସେମାନଙ୍କ ମଧ୍ୟରୁ ପୋଲିସ କେବଳ କମଳୁ ହରିଜନକୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଜଣକର ଖୋଜ ଖବର ମିଳିନଥିଲା। ତେବେ ହସ୍ପିଟାଲରେ ଥିବା ଅଭିଯୁକ୍ତ କମଳୁ ୨ ଜଣକୁ ପୋଲିସ ମାଡ ମାରିଥିବା କହିଥିଲା। ଏଣୁ ଗୋବର୍ଦ୍ଧନକୁ ପୋଲିସ ପିଟିପିଟି ହତ୍ୟା କରିଥିବା ସନ୍ଦେହରେ ଗ୍ରାମବାସୀ କୋଡ଼ିଙ୍ଗା ଥାନା ଘେରାଉ କରିଥିଲେ । ମୃତକଙ୍କ ଶବକୁ ପୋଲିସ ଲୁଚାଇ ରଖି ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରି ଥାନାରେ ବ୍ୟାପକ ଭଙ୍ଗା ରୁଜା କରିଥିଲେ । ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ବ୍ୟାପକ ଲାଠିଚାର୍ଜ କରିଥିଲା। ଫଳରେ ଅନେକ ଲୋକ ଆହତ ହୋଇଥିଲେ।
ପରେ ମୃତକଙ୍କ ଶବ ବ୍ୟବଛେଦ କରି ତାଙ୍କ ପରିବାର ଲୋକଙ୍କୁ ଦେବା ପାଇଁ ବାହାରିଥିଲା ପୋଲିସ । କିନ୍ତୁ ପରିବାର ଲୋକେ ମୃତଦେହ ନେବାକୁ ମନା କରିଦେଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀଙ୍କୁ ପୋଲିସ ବୁଝାଇବାରେ ବିଫଳ ହୋଇଥିଲା । ଏଣୁ ରବିବାର ରାତି ୧୦ଟା ପରେ ମହାପ୍ରୟାଣ ଗାଡିରେ ମୃତ ଗୋବର୍ଦ୍ଧନଙ୍କ ନିଜ ଗାଁ ବଡପଞ୍ଜରିଆଗୁଡାକୁ ପୋଲିସ ଶବ ପଠାଇଦେଇଥିଲା । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ସହ ଲୋକେ ଡ୍ରାଇଭର ସହ ମହାପ୍ରାୟଣ ଗାଡିକୁ ଅଟକ ରଖିଥିଲେ। ତେବେ ଏନେଇ କୋଡିଙ୍ଗା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର କୌଣସି କାର‌୍ୟାନୁଷ୍ଠାନ କରିନଥିଲେ । ଏଣୁ ଦାୟିତ୍ୱରେ ଅବହେଳା ପାଇଁ ସାଗରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons