ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଖଣ୍ଡଗିରିରୁ ଚୋରି ହୋଇଥିବା ଏକ ଟାଭେରା ଗାଡ଼ିକୁ ଖଣ୍ଡଗିରି ଥାନା ପୁଲିସ ଗଞ୍ଜାମ ତାରାତାରିଣୀ ନିକଟରୁ ଜବତ କରିଛି । ଟାଭେରା ଗାଡ଼ି ସହ ଏକ ବାଇକ୍ ଓ ନକଲି ଆରସି ବହି ଜବତ କରି ଏଥିରେ ସଂପୃକ୍ତ ଅଭିଯୋଗରେ ୩ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ହେଲେ ସାଲିଆସାହି ବାଜପେୟୀନଗରରେ ରହୁଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁରର ସନ୍ତୋଷ ସାହୁ(୨୭), ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ାରେ ରହୁଥିବା ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଧୂଆମଡ଼ାର ସୁଜନ ବେହେରା(୨୪) ଓ ଇନ୍ଫୋସିଟି ଥାନା ଅନ୍ତର୍ଗତ ଚିରଗୋଲାଟୋଲା ବସ୍ତିରେ ରହୁଥିବା ଗଣିଆ ଧୂଆମଡ଼ାର ଟିପୁ ଓରଫ ପ୍ରଶାନ୍ତ ଡ଼ାକୁଆ(୨୨) ।
ଖଣ୍ଡଗିରିବାରୀ ପ୍ଲଟ୍ ନଂ-୧୨୧୫/୧୪୬୩ରେ ରହୁଛନ୍ତି ଦୀନେଶ କୁମାର ମିଶ୍ର । ଜୁନ୍ ୨୬ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘରର ଗ୍ରୀଲ ତାଲା ଭାଙ୍ଗି ପୋର୍ଟିକୋରେ ଥୁଆ ହୋଇଥିବା ଟାଭେରା ଗାଡ଼ି (ଓଡି୦୨ଆର-୨୫୨୨)କୁ ଚୋରି କରି ନେଇଥିଲେ । ଏନେଇ ଶ୍ରୀ ମିଶ୍ର ୨୭ ତାରିଖରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଧରା ପଡ଼ିଥିବା ସନ୍ତୋଷ ହେଉଛି ଏହି ଗାଡ଼ି ଚୋରିର ମାଷ୍ଟରମାଇଣ୍ଡ୍ । ପୂର୍ବରୁ ସେ ଦୀନେଶ ମିଶ୍ରଙ୍କ ଗାଡ଼ି ଚଳାଉଥିଲା । ଗାଡ଼ି ଚୋରି ହେବା ପର ଠାରୁ ସନ୍ତୋଷର ଦେଖା ମିଳି ନଥିଲା । ତେଣୁ ସନ୍ତୋଷ ଉପରେ ସନ୍ଦେହ କରି ଗତକାଲି ସାଲିଆସାହି ବାଜପେୟୀ ନଗରକୁ ଆସିଥିଲାବେଳେ ତାକୁ ପୁଲିସ ଉଠାଇ ଆଣିଥିଲା । ସନ୍ତୋଷକୁ ଜେରାବେଳେ ସେ ସୁଜନ ଓ ଟିପୁଙ୍କ ସହଯୋଗରେ ଶ୍ରୀ ମିଶ୍ରଙ୍କ ଟାଭେରା ଗାଡ଼ିକୁ ଚୋରି କରିଥିବା ମାନିଥିଲା । ଟାଭେରା ଚୋରି କରିବା ପରେ ୩ ଜଣ ମିଶି ଗାଡ଼ିର ନମ୍ବର ପ୍ଲେଟ୍କୁ ବଦଳାଇ (ଓଆର୦୨ବିଏମ୍-୫୭୫୧) ଲେଖିଥିଲେ । ଏଥିସହ ଆରଟିଓରେ ଦଲାଲ୍ଙ୍କୁ ଧରି ନକଲି ଆରସି ବହି କାଢ଼ିଥିଲେ । ନମ୍ବର ପ୍ଲେଟ୍ ଓ ନକଲି ଆରସି ବନାଇବା ପରେ ସେମାନେ ଟାଭେରା ଗାଡ଼ିକୁ ଗଞ୍ଜାମରେ ବିକ୍ରି କରିବା ଉଦ୍ୟମ ଚଳାଇଥିଲେ । ପୁଲିସ ଗିରଫ କରିଥିବା ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.