ଶେରଗଡ଼, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅଲାରିଗଡ଼ ପଞ୍ଚାୟତରେ ମଧ୍ୟବୟସ୍କ ଏକ ମାଈ ହାତୀ ଶନିବାର ରାତିରେ ଏକ ଖାଲରେ ଗଳି ପଡ଼ିଥିଲା । ଖାଦ୍ୟ ଅନ୍ୱେଷଣରେ ଦଳ ସହ ଏକାଠି ବୁଲୁଥିବା ବେଳେ କୌଣସି ମତେ ଅନ୍ଧାରରେ ହାତୀଟି ଖାଲ ଭିତରକୁ ଖସି ଯାଇଥିଲା । ପ୍ରାୟ ୫ ଘଣ୍ଟାର ପରିଶ୍ରମ ପରେ ବନବିଭାଗ ଗାତର ଗୋଟିଏ ପାଶ୍ୱର୍କୁ ଖୋଳି ହାତୀଟିକୁ ବାହାର କରିବାକୁ ସକ୍ଷମ ହୋଇଥିଲା । ହାତୀଟି ଗାତରୁ ବାହାରି ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲା ।
ଶୁକ୍ରବାର ସନ୍ଧ୍ୟାରେ ଟାମଣା ଘାଟିରୁ ଏକ ବାରଜଣିଆ ହାତୀ ପଲ କୁକୁଡ଼ାଖଣ୍ଡି ବ୍ଲକ୍ ନଳିହାଡ଼ ଗ୍ରାମ ଦେଇ ଅଲାରିଗଡ଼ ନଣ୍ଡା ପାହାଡ଼ ଶିଖରରେ ପହଞ୍ଚିଥିଲେ । ସେଥିରେ ଥିଲେ ଛୁଆ ହାତୀ ୩ଟି, ଦନ୍ତା ୪ଟି ଓ ମାଈ ହାତୀ ୫ଟି । ଶନିବାର ରାତିରେ ପୁଣି ନଣ୍ଡା ପାହାଡ଼ରୁ ବାହାରି ଜେନାଖାଲକୁ ଯାଉଥିଲେ । ବାଟରେ ଋଷି ବିଷୋୟୀ ନାମକ ବ୍ୟକ୍ତିଙ୍କ ଫଳମୂଳ ବଗିଚାକୁ ଖାଦ୍ୟ ଆଶାରେ ପଶିଥିଲେ ହାତୀଦଳ । ତେବେ ଏହି ସମୟରେ ବଗିଚାରେ ଏକ ଅର୍ଦ୍ଧନିର୍ମିତ କୂଅରେ ଗୋଟିଏ ମାଈ ହାତୀ ଖସି ପଡ଼ିଥିଲା । ହାତୀକୁ ଖାଲ ମଧ୍ୟରୁ ଉଦ୍ଧାର କରିନପାରି ଅନ୍ୟ ହାତୀମାନେ ବହୁତ ଜୋରରେ ଗର୍ଜନ କରିଥିଲେ । ହାତୀମାନଙ୍କ ଗର୍ଜନ ଶୁଣି ଅଲାରିଗଡ଼ ଗ୍ରାମବାସୀ ଭୟଭୀତ ହୋଇ ନଶୋଇ ରାତିସାରା କାଳେ ହାତୀମାନେ ଗାଁମୁହାଁ ହେବେ ସେହି ଆଶଙ୍କାରେ ପହରା ଦେଇଥିଲେ । ରବିବାର ସକାଳୁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିବା ଲାଗି ଅଭିଯାନ ଆରମ୍ଭ କରିଥିଲେ । ତେବେ ଆଖପାଖରେ କେଉଁଠାରେ ମଧ୍ୟ ପୋଖରୀ କିମ୍ବା ଗାଡ଼ିଆ ନଥିବାହେତୁ ଅଗ୍ନିଶମ ବିଭାଗ ଖାଲରେ ପାଣି ଭର୍ତ୍ତି କରି ହାତୀକୁ ଉଦ୍ଧାର କରିବା ପ୍ରୟାସକୁ କାର୍ଯ୍ୟକାରୀ କରି ନପାରି ଫେରି ଆସିଥିଲା ।
ପରେ ବ୍ରହ୍ମପୁର ଏଏଫ୍ଓ ଅକ୍ଷୟ କୁମାରଙ୍କ ତତ୍ତ୍ୱାବଧାନରେ ଏକ ଏସ୍କାଭେଟର୍ (ଜେସିବି) ଅଣାଯାଇ ଖାଲର ଗୋଟିଏ ପାଶ୍ୱର୍ରୁ ମାଟି ତାଡ଼ିବା କାମ ଆରମ୍ଭ ହୋଇଥିଲା । କିଛି ସମୟ ପରେ ଉକ୍ତ ପାଶ୍ୱର୍ କିଛିଟା ସମତଳ ହୋଇଯିବା ପରେ ଫସିଥିବା ହାତୀ ଖାଲରୁ ବାହାରି ଜଙ୍ଗଲମୁହାଁ ଚାଲି ଯାଇଥିଲା । ନଣ୍ଡା ପାହାଡ଼ ଶିଖରରେ ରହିଥିବା ପଲ ନିକଟକୁ ହାତୀଟି ଚାଲିଯାଇଥିଲା । ଦିଗପହଣ୍ଡି, ପାଟପୁର, ହିଞ୍ଜିଳିକାଟୁ ଫରେଷ୍ଟର୍ଙ୍କ ସମେତ ବ୍ରହ୍ମପୁର ରେଞ୍ଜ୍ର ୫୦ରୁ ଊଦ୍ଧ୍ୱର୍ ବନବିଭାଗ କର୍ମଚାରୀ ଓ ଫରେଷ୍ଟ ଗାର୍ଡ ହାତୀକୁ ଉଦ୍ଧାର କରିବା ଅଭିଯାନରେ ଲାଗି ପଡ଼ିଥିଲେ । ନଣ୍ଡା ପାହାଡ଼ ନିକଟରେ ରହିଥିବା ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛନ୍ତି ବ୍ରହ୍ମପୁର ଏଏଫ୍ଓ । ସେ ବର୍ତ୍ତମାନ ସୁସ୍ଥ ଅଛି ଓ ନିଜ ପଲ ସହ ମିଶିଯାଇଥିବା ଅନୁମାନ କରାଯାଉଛି ।


Comments are closed, but trackbacks and pingbacks are open.