ଖୋର୍ଦ୍ଧା ଏନ୍କାଉଣ୍ଟର ମାମଲା : ମୋଷ୍ଟ୍ୱାଣ୍ଟେଡ୍ ସଞ୍ଜୟ ପ୍ରଧାନ ଖସିଗଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଖୋର୍ଦ୍ଧାରେ ଏନ୍କାଉଣ୍ଟର ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଖୋଳତାଡ଼ ଚଳାଇଛି । ଖଣି ଓ ଡ୍ରଗ୍ ମାଫିଆଙ୍କ ସହ ଏସ୍ଟିଏଫ୍ ଅଧିକାରୀଙ୍କ ଗୁଳି ବିନିମୟ ବେଳେ ଗିରଫ ହୋଇଛି ଅପରାଧୀ ଜନ୍ ଖୁଣ୍ଟିଆ । ତେବେ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀ ସଞ୍ଜୟ ପ୍ରଧାନ ଓ ତା’ର ଅନ୍ୟ ଦୁଇ ସହଯୋଗୀ ଖସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଦେହରେ ଗୁଳି ବାଜିଛି । ଏସ୍ଟିଏଫ୍ ଟିମ୍ ଅପରାଧୀମାନେ ବ୍ୟବହାର କରିଥିବା ଆଇ-୨୦ କାର୍(ଓଡି୦୨ଭି ୩୮୮୦) ଓ ଏକ ଦେଶୀ ପିସ୍ତଲ ଜବତ କରିଛନ୍ତି । ସଞ୍ଜୟ ଖଣି ଓ ଡ୍ରଗ୍ ମାଫିଆ ବୋଲି ଗିରଫ ହୋଇଥିବା ଜନ୍ ଖୁଣ୍ଟିଆ କହିଛି । ଖସି ଯାଇଥିବା ଅପରାଧୀମାନେ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରି ଏସ୍ଟିଏଫ୍ ଓ ଖୋର୍ଦ୍ଧା ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଏସ୍ଟିଏଫ୍ ଏସ୍ପି ରାହୁଲ ପିଆରଙ୍କ ସୂଚନା ଅନୁଯାୟୀ, ଖଣି ଓ ଡ୍ରଗ୍ ମାଫିଆ ସଞ୍ଜୟ ପ୍ରଧାନକୁ ଏସ୍ଟିଏଫ୍ ଦୀର୍ଘଦିନ ଧରି ଟାର୍ଗେଟ କରିଥିଲା । ଦୁଇଦିନ ହେବ ଏସ୍ଟିଏଫ୍ ଆଇଆଇସି ଆଲୋକ ଜେନା ଓ ତାଙ୍କ ଟିମ୍ ସଞ୍ଜୟକୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲେ । ଖୋର୍ଦ୍ଧା ଭାଲିଆବାଡ଼ି ଲୋକେଶ୍ୱରପୁରର ସଞ୍ଜୟ, ଖୋର୍ଦ୍ଧା ପଲାର ଅନୀଲ ବରାଳ, ଭାଲିଆବାଡ଼ିର ମିକି ଓରଫ ମନୋରଞ୍ଜନ ସାହୁ ଓ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର କୁମ୍ଭାରସାହିର ଜନ୍ ଖୁଣ୍ଟିଆ ଶନିବାର ରାତିରେ ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆ ନିକଟରେ ଏକ କାର୍ରେ ବସି ମଦ ପିଉଥିଲେ ।
ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସ୍ଟିଏଫ୍ ଆଇଆଇସି ଆଲୋକ ଜେନା, ଆଇଆଇସି ପ୍ରଜ୍ଞା ପରମିତା ଜେନା, ଏସ୍ଆଇ ଅଭିଶେକ ଜେନା ଏବଂ କନ୍ଷ୍ଟେବଳ ମାନସ ପଣ୍ଡା ପ୍ରମୁଖ ସେଠାରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ସଞ୍ଜୟ ପୁଲିସ ଟିମ୍ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ତେଣୁ ଏସ୍ଟିଏଫ୍ ଟିମ୍ ମଧ୍ୟ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଉଭୟ ପକ୍ଷରୁ ଗୁଳିବିନିମୟ ପରେ ସଞ୍ଜୟ ଓ ତା’ ସହଯୋଗୀମାନେ ସେଠାରୁ କାର୍ ନେଇ ଟିଏଲ୍ସି ରାସ୍ତା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଖସି ଯାଉଥିବା ଅପରାଧୀଙ୍କ କାର୍ ଆଗ ଡାହାଣ ପଟ ଚକରେ ଗୁଳି ବାଜିବାରୁ କାର୍ ଖୋର୍ଦ୍ଧା ବିଡିଏ ପ୍ଲଟିଂ ସ୍କିମ୍ ନିକଟରେ ରହି ଯାଇଥିଲା । କାର୍ ଛାଡ଼ି ସଞ୍ଜୟ ଓ ତା’ର ଅନ୍ୟ ଦୁଇ ସହଯୋଗୀ ଅନିଲ ଓ ମନୋରଞ୍ଜନ ଅନ୍ଧାରରେ ନିକଟସ୍ଥ ଜଙ୍ଗଲ ଓ ବିଲ ଭିତର ଦେଇ ଖସି ଯାଇଥିଲେ । ସେଠାରେ ରହି ଯାଇଥିବା ଜନ୍ ଖୁଣ୍ଟିଆକୁ ଏସ୍ଟିଏଫ୍ ଟିମ୍ ମାଡ଼ି ବସିଥିଲେ । କାର୍ର ବାମ ସିଟ୍ରେ ବସିଥିବା ଅପରାଧୀ ମନୋରଞ୍ଜନ ଦେହରେ ଗୁଳି ବାଜିଥିବା ଏସ୍ଟିଏଫ୍ ଟିମ୍ ଜନ୍ ଖୁଣ୍ଟିଆ ଠାରୁ ଜାଣିବାକୁ ପାଇଛନ୍ତି । ଏସ୍ଟିଏଫ୍ ଟିମ୍ ଜନ୍ ଖୁଣ୍ଟିଆକୁ ଗିରଫ କରିବା ସହ କାର୍ ଜବତ କରିଛନ୍ତି । କାର୍ର ବାମ ସିଟ୍ରେ ଥିବା ରକ୍ତଭିଜା ଗାମୁଛା ଓ ଏକ ଦେଶୀ ପିସ୍ତଲକୁ ମଧ୍ୟ ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons