ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ଆଉ ୩୩୧ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୧୩୨୩ ହୋଇଛି । ଲଗାତର ଚତୁର୍ଥ ଦିନ ତଥା ସପ୍ତାହକରେ ପଞ୍ଚମ ଥର ପାଇଁ ସଂକ୍ରମିତ ସଂଖ୍ୟା ୩ଶହରୁ ଊଦ୍ଧ୍ୱର୍ ରହିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୩୧୮ ଆକ୍ଟିଭ୍ କଣ୍ଟାକ୍ଟ, ୧୧ ଯୋଦ୍ଧା ଓ ୨ ପ୍ରବାସୀ । ସବୁଠାରୁ ଅଧିକ ବ୍ରହ୍ମପୁରରୁ ୫୪ ଜଣ (୫୧ କଣ୍ଟାକ୍ଟ ଓ ୩ ଯୋଦ୍ଧା) ରହିଛନ୍ତି । ସପ୍ତାହକରେ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୨୧୫୪ । ତା ପୂର୍ବ ସପ୍ତାହକରେ ୩୪୦୩ ଜଣ ସଂକ୍ରମିତ ଠାବ ହୋଇଥିଲେ । ଅର୍ଥାତ୍ ବିଗତ ୭ ଦିନ ଅପେକ୍ଷା ଏବେ ସପ୍ତାହକରେ ସଂକ୍ରମିତ ସଂଖ୍ୟା ହ୍ରାସ ପାଇଥିଲେ ହେଁ ଜିଲ୍ଲାରେ ବର୍ତ୍ତମାନ ମଧ୍ୟ ଯେତେ ସଂଖ୍ୟାରେ ପଜିଟିଭ୍ ଠାବ ହେଉଛନ୍ତି ତାହା ଚିନ୍ତାଜନକ । ଯଦିଓ ଜିଲ୍ଲା ପ୍ରଶାସନ ଆକଳନ ମୁତାବକ ଶେଷ ଦୁଇ ସପ୍ତାହକୁ ତୁଳନା କଲେ ପଜିଟିଭ୍ ସଂଖ୍ୟା ହ୍ରାସ ପାଇଛି, ତଥାପି ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତିରେ ବିଶେଷ ସୁଧାର ଆସିନି ବୋଲି ବୁଦ୍ଧିଜୀବୀ ଓ ତଥ୍ୟାଭିଜ୍ଞ ମହଲ କହୁଛନ୍ତି । ତେବେ ଜିଲ୍ଲାରେ କରୋନା ଗ୍ରାଫ୍ (କର୍ଭ) ସ୍ଥିତିରେ ସୁଧାର ଆସୁଥିବା ସଙ୍କେତ ଦର୍ଶାଉଛି ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟର୍ ଜରିଆରେ ସୂଚନା ଦେଇଛି ।
ସେପଟେ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ଆଉ ୩ ଜଣ କରୋନା ସଂକ୍ରମିତ ମହିଳାଙ୍କ ମୃତୁ୍ୟ ଘଟିଛି । ୪୮ ବର୍ଷ ବୟସ୍କ ଜଣେ ପୁରୁଷ ଯେକି ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ, ୫୪ ବର୍ଷୀୟ ଜଣେ ପୁରୁଷ ଏବଂ ୫୪ ବର୍ଷ ବୟସ୍କା ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ଫଳରେ ଜିଲ୍ଲାରେ କରୋନାରେ ମୃତୁ୍ୟ ସଂଖ୍ୟା ୧୦୬ ହୋଇଛି । ସେପଟେ ଆଉ ଜଣେ କୋଭିଡ୍ ପଜିଟିଭ୍ଙ୍କ ଅନ୍ୟ ରୋଗରେ ମୃତୁ୍ୟ ଘଟିଥିବା ଦର୍ଶାଇବା ସହ ଏହି ସଂଖ୍ୟା ୭କୁ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବ୍ସାଇଟ୍ରେ ଦର୍ଶାଯାଇଛି । ଫଳରେ ଜିଲ୍ଲାରେ ଏହି ମହାମାରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ରୋଗୀଙ୍କ ସଂଖ୍ୟା ମୋଟରେ ୧୧୩ ହୋଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ୧୮ ମହିଳା (୫ ବୃଦ୍ଧା) ଓ ୯୪ ପୁରୁଷ (୩୫ ବୃଦ୍ଧ) ଏବଂ ଅନ୍ୟ ଜଣେ ସଂକ୍ରମିତ । ଜିଲ୍ଲାରେ ପ୍ରାୟ ୧୪ କୋଭିଡ୍ ଯୋଦ୍ଧା ମଧ୍ୟ ଜୀବନ ହରାଇଲେଣି । ଜିଲ୍ଲାରେ ସୋମବାର ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି । ଆଉ ମାତ୍ର ୩୫୪ ଜଣ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୮୭୮କୁ ଛୁଇଁଛି । ଗଞ୍ଜାମରେ ଏବେ ଆଉ ୩୩୩୨ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।
ବ୍ରହ୍ମପୁର ଏମ୍କେସିଜି ବ୍ଲଡ୍ ବ୍ୟାଙ୍କ୍ରେ ସୋମବାର ପହଞ୍ଚିଛି ଆଫେର୍ସିସ୍ ମେସିନ୍ । ଏହାର ସ୍ଥାପନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଆସନ୍ତା ୫ ତାରିଖ ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ଏମ୍କେସିଜିରେ ପ୍ଲାଜ୍ମା ବ୍ୟାଙ୍କ୍ ଉଦ୍ଘାଟନ କରିବେ । ସେ ଦୃଷ୍ଟିରୁ ଏହି ମେସିନ୍ର ଅଧିକ ମହତ୍ତ୍ୱ ରହିଛି ଯାହା ପ୍ଲାଜ୍ମା ଦାନ କରୁଥିବା ବ୍ୟକ୍ତିଙ୍କ ଶରୀରର ରକ୍ତରୁ ସିଧାସଳଖ ପ୍ଲାଜ୍ମା ପୃଥକ୍ କରି ଅନ୍ୟ ରକ୍ତକଣିକା ଯଥା ଆର୍ବିସି, ଡବ୍ଲୁ୍ୟବିସି, ପ୍ଲେଟ୍ଲେଟ୍ ଆଦିକୁ ପୁଣି ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରକୁ ଫେରାଇଦେବ । ୫ ତାରିଖରେ ଉଦ୍ଘାଟନ ଅବସରରେ ଏମ୍କେସିଜିରେ ପ୍ରଥମ ପ୍ଲାଜ୍ମା ଦାନ କରିଥିବା ବ୍ୟକ୍ତିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।
Comments are closed, but trackbacks and pingbacks are open.