ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ୫ଟି ସଚିବ ଭି. କାର୍ତ୍ତିର୍କେୟନ୍ ପାଣ୍ଡିଆନ୍, ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ । ରାୟଗଡ଼ା ଓ ପରେ ଗଜପତି ଜିଲ୍ଲା ଗସ୍ତ ସାରି ହେଲିକପ୍ଟର୍ ଯୋଗେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଠାରେ ପହଞ୍ଚିଥିଲେ ଦୁହେଁ । ଶେରଗଡ଼, ହିଞ୍ଜିଳିକାଟୁ, ଆସିକା, କବିସୂର୍ଯ୍ୟନଗର, ପୋଲସରା ବ୍ଲକ୍ ଓ କିଛି ସଙ୍ଗରୋଧ କେନ୍ଦ୍ର ସମେତ ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ଉପକଣ୍ଠ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ହୋଇଥିବା ଗୋଟିଏ ଲେଖାଏଁ କୋଭିଡ୍ କେୟାର୍ ସେଣ୍ଟର୍ ଗସ୍ତ କରିଥିଲେ ଉଭୟେ । ବ୍ଲକ୍ କାର୍ଯ୍ୟାଳୟରେ ବ୍ଲକ୍ସ୍ତରୀୟ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସମେତ କିଛି ପଞ୍ଚାୟତ ପ୍ରତିନିଧିଙ୍କ ସାଙ୍ଗରେ କରୋନା ମୁକାବିଲା ପ୍ରସ୍ତୁତି ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମ୍ସି) ପରିଚାଳନା ନେଇ ଆଲୋଚନା କରିଥିଲେ । କରୋନା ମୁକାବିଲାରେ ନିୟୋଜିତ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଜଣେ ଜଣେ ଯୋଦ୍ଧା ବୋଲି ମତ ଦେଇଛନ୍ତି ୫ଟି ସଚିବ । ବିଶେଷ କରି ସରପଞ୍ଚମାନେ ଦିନରାତି ଏକ କରି କାମ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଦାୟିତ୍ୱ ସମ୍ପାଦନ ସମୟରେ ନିଜର ଓ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ । ଅପରପକ୍ଷରେ ସରପଞ୍ଚମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେମାନଙ୍କ ଉପରେ ବିଶ୍ୱାସ ସ୍ଥାପନ ସହ ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଏବଂ ୫୦ ଲକ୍ଷ ଟଙ୍କାର ବୀମାରେ ସାମିଲ୍ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏଥିସହ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସାଙ୍ଗକୁ କୃଷି ଉପôାଦ ଯେଭଳି ସୁରୁଖୁରୁରେ ପରିବହନ ହୋଇପାରିବ ଏବଂ ମନରେଗା କାର୍ଯ୍ୟକୁ ବ୍ୟାପକ କରି ଅଧିକ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବା ଉପରେ ଫୋକସ୍ କରିଥିଲେ ସେ । ଉଭୟ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ସଚିବ ଓ କମିଶନର୍ ।

ପ୍ରଥମେ ଗଜପତି ଜିଲ୍ଲାର ଆର୍.ସୀତାପୁର ଠାରେ କୋଭିଡ୍- ୧୯ ହସ୍ପିଟାଲ୍ ପରିଦର୍ଶନ କରିଥିଲେ ଦୁଇ ବରିÂ ଅଧିକାରୀ । ପରେ ଜିଲ୍ଲାପାଳ ଅନୁପମ ଶାହା, ଏସ୍ପି ସାରା ଶର୍ମା, ସିଡିଏମ୍ଓ ଡା. ଗୁନୁରାଣୀ ପ;ନାୟକଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସାଙ୍ଗରେ କରୋନା ମୁକାବିଲା ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ । ଏହାପରେ ଭି.କେ.ପାଣ୍ଡିଆନ୍ ଓ ସୁରେଶ ମହାପାତ୍ର ହେଲିକପ୍ଟର୍ ଯୋଗେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅଫିସ୍ ନିକଟରେ ଓହ୍ଲାଇଥିଲେ । ସେଠାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏଙ୍କ ସହ ଶେରଗଡ଼ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ । ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କୋଭିଡ୍ ମୁକାବିଲା ନେଇ ଆଲୋଚନା କରିଥିଲେ । ବିଶେଷ କରି ସଙ୍ଗରୋଧ କେନ୍ଦ୍ରର ସ୍ଥିତି, ସେଠାରେ କିପରି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯାଉଛି, ଆଉ କଣ ସବୁ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲାଚନା କରିଥିଲେ ୫ଟି ସଚିବ ଓ ଉନ୍ନୟନ କମିଶନର୍ ।
ଏହା ପରେ ହିଞ୍ଜିଳିକାଟୁ ଆସି ସେଠାରେ ନୂଆ କରି ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର୍ ସେଣ୍ଟର୍ ବୁଲି ଦେଖିଥିଲେ । ସେଠାରେ ନିୟୋଜିତ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଦୁଇ ବରିÂ ଅଧିକାରୀ । ଏଠାରେ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି ଓ ୬ ଡାକ୍ତରଙ୍କ ସମେତ ପାରା ମେଡିକାଲ ଷ୍ଟାଫ୍ଙ୍କୁ ନିଯୁକ୍ତି ଦିଆଯାଇଛି । କୌଣସି ପଜିଟିଭ୍ ବ୍ୟକ୍ତିଙ୍କୁ ଏଠାକୁ ଅଣାଗଲେ ଆମେ ପ୍ରସ୍ତୁତ ବୋଲି ଅବଗତ କରାଇଥିଲେ କୋଭିଡ୍ କେୟାର୍ ସେଣ୍ଟର୍ ନୋଡାଲ୍ ଅଫିସର୍ ଡା. ଦୁର୍ଗାପ୍ରସାଦ ପଣ୍ଡା । ସେଠାରେ ବ୍ଲକ୍ ଅଫିସର୍ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସେହିପରି ଆସିକା, କବିସୂର୍ଯ୍ୟନଗର, ପୋଲସରା ବ୍ଲକ୍ ପରିଦର୍ଶନ କରି ଶେଷରେ ବ୍ରହ୍ମପୁର ଉପକଣ୍ଠ ପିଏମ୍ଇସି କୋଭିଡ୍ କେୟାର୍ ସେଣ୍ଟର୍ ବୁଲି ଦେଖିବା ପରେ ସେମାନେ ଭୁବନେଶ୍ୱର ଫେରିଯାଇଛନ୍ତି ।
ଗଞ୍ଜାମ ଜିଲ୍ଲାର ଉପରୋକ୍ତ ବ୍ଲକ୍ମାନଙ୍କୁ ବାହାର ରାଜ୍ୟରୁ ସର୍ବାଧିକ ପ୍ରବାସୀ ଫେରିଛନ୍ତି । ଜିଲ୍ଲାରେ ମାତ୍ର ଦୁଇ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ ଛୁଇଁଛି । ଗତ ୩ ତାରିଖରେ ପ୍ରଥମ କରି ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ମଧ୍ୟାହ୍ଣ ସୁଦ୍ଧା ଜିଲ୍ଲାରେ ଜଣଙ୍କ ମୃତୁ୍ୟ ଘଟିଥିବା ଓ ୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬୧ ସକ୍ରିୟ କେସ୍ ରହିଛି । ତେବେ ମୃତୁ୍ୟ ସମେତ ସମସ୍ତ ସଂକ୍ରମିତ କେସ୍ ସଙ୍ଗରୋଧ କେନ୍ଦ୍ରମାନଙ୍କରୁ ଠାବ ହେଉଥିବାରୁ କ୍ୱାରେଣ୍ଟାଇନ୍ ସେଣ୍ଟର୍ର ସୁରକ୍ଷା, ଆବଶ୍ୟକ ସୁବିଧା ସୁଯୋଗ ଦେଇ ପ୍ରବାସୀ ଓଡ଼ିଆଙ୍କୁ ସେଠାରେ ସଠିକ୍ ଢଙ୍ଗରେ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ପାଣ୍ଡିଆନ୍ । ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଯୋଗାସନ, ବ୍ୟାୟାମ, ସଙ୍ଗୀତ ସମେତ ବୃକ୍ଷରୋପଣ, ସଫେଇ ଆଦି ବିଭିନ୍ନ ସକରାତ୍ମକ ପଦକ୍ଷେପ ନିଆଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ନିଜ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲାର ଦୁଇ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ ଓ ଉନ୍ନୟନ କମିଶନର୍ । ଟ୍ରେନ୍ ଓ ବସ୍ ଦ୍ୱାରା ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ, ଟିଏମ୍ସି ପରିଚାଳନା ଓ ସୁରକ୍ଷା, ଜିଲ୍ଲା ଦେଇ ପାର ହେଉଥିବା ଅଣଓଡିଆଙ୍କୁ ଖାଦ୍ୟ ଓ ଯାତାୟାତ ସେବା ପ୍ରଦାନ ନେଇ ଆଲୋଚନା ହୋଇଥିଲା ।


Comments are closed, but trackbacks and pingbacks are open.