ଗଢ଼ିବା ଆଗରୁ ଭାଙ୍ଗିଲା ସଂସାର

Get real time updates directly on you device, subscribe now.

ଧର୍ମଗଡ଼,(ବି.ବି.ନୁ୍ୟଜ୍): ଚାରି ବର୍ଷର ପ୍ରେମ । ଇତିମଧ୍ୟରେ ପରସ୍ପରକୁ ନିଜର କରିସାରିଥିଲେ ଯୁବକ ଯୁବତୀ । ଜଣେ ଅନ୍ୟ ଜଣକ ପାଇଁ ଜୀବନ ଦେବାକୁ ବି ଶପଥ ନେଇସାରିଥିଲେ । ହେଲେ ସମୟଚକ୍ର ଏଭଳି କଡ଼ ଲେଉଟାଇଲା ଯେ ଜଣେ ଜଣକର ମାନସମ୍ମାନ ବିଚ୍ବଜାରରେ ନିଲାମ କରିବାକୁ ବସିଥିଲା । ଏଣୁ ଜୀବନଠୁ ବେଶୀ ଭଲ ପାଉଥିବା ବାନ୍ଧବୀ ଜଣକ ଶେଷରେ ସାଜିଲା ରକ୍ତପିପାସୁ । ପ୍ରେମିକ ସାଜିଲା ବ୍ଲକ୍ମେଲର୍, ଆଉ ପ୍ରେମିକା ସାଜିଲା ହତ୍ୟାକାରୀ । ଯାହାପାଇଁ ଏକଦା ଜୀବନ ଦେବାକୁ ପ୍ରସ୍ତୁତ ଥିଲା ପ୍ରେମିକା, ଆଗି ତାକୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟାକଲା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ବ୍ଲାକ୍ମେଲର ପ୍ରେମିକକୁ ପ୍ରେମିକା ଆଉ ତା ପରିବାର ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ଗୋଲାମୁଣ୍ଡା ଥାନା ଖଲିଆକାନି ଗାଁର ଦିଲୀପ ମେହେର । ଘଟଣାରେ ମୃତକଙ୍କ ବାନ୍ଧବୀ ସମେତ ବାପା, ମା ଓ ଭାଇକୁ ପୁଲିସ ଅଟକ ରଖି ଜେରା କରୁଥିବା ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାୟକ ସୂଚନା ଦେଇଛନ୍ତି ।
ପୁଲିସର ସୂଚନାମତେ, ଖଲିଆକାନି ଗାଁର ବୈକୁଣ୍ଠ ମେହେରଙ୍କ ପୁଅ ଦିଲ୍ଲୀପ ପାଖ ଗାଁ ଗଇନ୍ଦିମୁଣ୍ଡାର ଜଣେ ଝିଅକୁ ଭଲ ପାଉଥିଲା । ୪ ବର୍ଷ ହେବ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଇତିମଧ୍ୟରେ ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ ହୋଇଥିଲା, ଯାହାକୁ ନେଇ ପୁଅ ଓ ଝିଅ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଇତିମଧ୍ୟରେ ଦିଲ୍ଲୀପ ପାଖରେ ଝିଅର କିଛି ଫଟୋ ଓ ଭିଡିଓ ରହି ଯାଇଥିଲା । ବିବାହ ଠିକ୍ ହେବା ପରେ ସେସବୁ ଭିଡିଓ ଓ ଫଟୋକୁ ନେଇ ବିଭିନ୍ନ ସମୟରେ ଭାଇରାଲ କରିବା ନେଇ ଯୁବତୀଙ୍କୁ ଧମକ ଦେଉଥିଲା । ଏ ସଂପର୍କରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଫଳରେ ପରିବାର ଲୋକ ମଧ୍ୟ ଚିନ୍ତିତ ଥିଲେ । ଘଟଣା ଦିନ ଅର୍ଥାତ ସୋମବାର ଦିଲ୍ଲୀପ ଯୁବତୀକୁ ଫୋନ କରି ସଂଧ୍ୟା ୭.୩୦ରେ ଗାଁ ପାଖ ସ୍କୁଲରେ ଭେଟିବାକୁ କହି ବାଇକରେ ଜଣେ ସାଙ୍ଗ ସହିତ ଯାଇଥିଲା । ଝିଅ ମଧ୍ୟ ତାକୁ ଭେଟିବାକୁ ସେଠାକୁ ଯାଇଥିଲା । ଠିକ ଏହି ସମୟରେ ଝିଅ ଚିକ୍ରାର କରି ପରିବାର ଲୋକଙ୍କୁ ଡାକିବା ପରେ ଘଟଣାସ୍ଥଳକୁ ପରିବାର ଲୋକ ଧାଇଁଯାଇ ଦିଲ୍ଲୀପକୁ କାବୁ କରିଥିଲେ । ପରେ ତଣ୍ଟି ଚିପି ମାରି ଦେଇଥିଲେ । ଦିଲୀପକୁ ପରିବାର ଲୋକେ କାବୁ କରିବା ସମୟରେ ଭୟରେ ଦିଲ୍ଲୀପ ସହିତ ଯାଇଥିବା ତା’ ସାଙ୍ଗ କୌଣସି ମତେ ସେଠାରୁ ଖସି ପଳାଇ ଆସି ଦିଲ୍ଲୀପର ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିଥିଲା । ଖବର ପାଇ ପରିବାର ଲୋକେ ତୁରନ୍ତ ଗଇନ୍ଦିମୁଣ୍ଡା ଗାଁକୁ ଯାଇ ଖୋଜାଖୋଜି କରିବା ପରେ ଦିଲ୍ଲୀପର କ୍ଷତବିକ୍ଷତ ଶରୀର ଗାଁ ସ୍କୁଲ ପାଖ ରାସ୍ତା କଡ଼ରେ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ସେମାନେ ତାକୁ ଧର୍ମଗଡ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଏନେଇ ମୃତକଙ୍କ ପରିବାର ଲୋକ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗୋଲାମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ମୃତକଙ୍କ ବାନ୍ଧବୀ ସମେତ ବାପା, ମାଁ,ଭାଇଙ୍କୁ ଅଟକ ରଖି ପୁଲିସ ଜେରା କରୁଛି । ଅଧିକ ପ୍ରମାଣ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଥିବା ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଓ ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବର ପ୍ରକାଶ କରିଛନ୍ତି । ମୃତକଙ୍କ ସହ ଯାଇଥିବା ତା ସାଙ୍ଗ ଲୋକନାଥ ନାଏକଙ୍କ ମଧ୍ୟ ପୁଲିସ ବୟାନ ରେକର୍ଡ କରିଛି । ଲୋକନାଥଙ୍କ କହିବାନୁଯାୟୀ ଝିଅ ପାଖରେ ଥିବା ଦିଲୀପର ଏକ ମୋବାଇଲ ଫୋନ ନେବାକୁ ସେମାନେ ଆସିଥିଲେ । ଏହି ସମୟରେ ଦୁଇ ଯୁବକଙ୍କୁ ଦେଖି ଝିଅ ଏବଂ ତା’ମାଁ ଦିଲୀପର ହାତ ଦୁଇଟିକୁ ଧରି ଚିକ୍ରାର କରିବା ପରେ ପରିବାର ଲୋକ ଧାଇଁ ଆସିଥିଲେ । ଏଥିରେ ଭୟଭୀତ ହୋଇ ସେ ସେଠାରୁ ଖସିପଳାଇ ଆସି ପରିବାର ଲୋକଙ୍କୁ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons