ଗୋଟିଏ କୋଠାରେ ତିନୋଟି ବିଦ୍ୟାଳୟ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନ୍ୟୁଜ୍): ରାୟଗଡ଼ା ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ପାଲଟିଛି । ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଯାହା ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ ହେବ ନାହିଁ । ଆଦର୍ଶ ବିଦ୍ୟାଳୟର ଅବସ୍ଥା ନଜରକୁ ଆସିଛି । ଗୋଟିଏ ଛାତ ତଳେ ତିନୋଟି ବିଦ୍ୟାଳୟ ଚାଲୁ ରହିଛି । ସ୍ଥାନୀୟ ବ୍ରାହ୍ମଣସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମୂଳ ବିଦ୍ୟାଳୟ ସମେତ ଗତବର୍ଷ ବନ୍ଦ ହୋଇଥିବା ପିଏଚଡି ପ୍ରାଥମିକ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ଚାଲୁରହିଛି । ଗୋଦାମ ଗୃହରେ ଆଦର୍ଶ ବିଦ୍ୟାଳୟ ଚାଲୁଥିବା ଦେଖିବାକୁ ମିଳିଛି । ଗୋଦାମ ଗୃହରେ ମଧ୍ୟାହ୍ନ ଭୋଜନ, ଅଫିସ କାମ ଚାଲୁ ରହିଛି । ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଗତବର୍ଷ ଜୁଲାଇ ୨୬ ତାରିଖ ଠାରୁ ସିବିଏସଇ ପାଠ୍ୟକ୍ରମରେ ସମସ୍ତ ବ୍ଲକର ଗ୍ରାମାଞ୍ଚଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି । ହେଲେ ରାୟଗଡ଼ା ବ୍ଲକରେ ଏହା କାର୍ଯ୍ୟକାରୀ ହୋଇନାହିଁ । ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ନିର୍ମାଣ ହୋଇ ନଥିବା ବେଳେ ପିଲାଙ୍କୁ ଏକପ୍ରକାର ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ସଦର ବ୍ଲକ ତାଡ଼ମା ଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣଧୀନ ରହିଛି । ଏହା ଏବେ ଅଧପନ୍ତରିିଆ ଅବସ୍ଥାରେ ପଡ଼ଛି । ଫଳରେ ଏଠି ଦାଖଲ ହୋଇଥିବା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ୨୦୨ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଗତବର୍ଷ ଜୁଲାଇ ୨୫ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଆଦର୍ଶ ସ୍କୁଲର ଶିଭାରମ୍ଭ କରିଥିଲେ । ୨୪ ଘଣ୍ଟା ନପୂରୁଣୁ ଏହାର ସ୍ଥାନ ପରିବର୍ତ୍ତନ କରାଯାଇଥିଲା । ତାଡ଼ମା ପରିବର୍ତ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟ ତଥା ସର୍ବଶିକ୍ଷା ଅଭିଯାନ ପଡ଼ିଶାରେ ଥିବା ଏକ୍ସବୋର୍ଡ଼ ଉଚ୍ଚପ୍ରଥାମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହାକୁ ନାପସନ୍ଦ କରିଥିଲେ । ପରେ ଆଦର୍ଶ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ବ୍ରାହ୍ମଣସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଚାଲୁ କରାଗଲା । ଆଜି ମଧ୍ୟ ଏଠାରେ ଆଦର୍ଶ ବିଦ୍ୟାଳୟ ଚାଲୁ ରହିଛି । ତେବେ ଗୋଟିଏ ଛାତ ତଳେ ଆଦର୍ଶ ବିଦ୍ୟାଳୟ, ବ୍ରାହ୍ମଣସାହି ବିଦ୍ୟାଳୟ ଓ ପିଏଚଡି ବିଦ୍ୟାଳୟ ଚାଲିଛି । ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ୭୫, ସପ୍ତମରେ ୭୯ ଓ ଅଷ୍ଟମର ୪୮ ଜଣ ପିଲା ପଢୁଛନ୍ତି । ସେହିଭଳି ବ୍ରାହ୍ମଣସାହି ଓ ପିଏଚଡି ସ୍କୁଲ ପିଲାଙ୍କୁ ମିଶାଇ ମୋଟ ୧୨୯ ଜଣ ପିଲା ଏଠାରେ ଅଧ୍ୟୟନ କରୁଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୧, ଦ୍ୱିତୀୟ ଶ୍ରେଣୀର ୧୩, ତୃତୀୟ ଶ୍ରେଣୀର ୧୪, ଚତୁର୍ଥରେ ୧୨, ପଞ୍ଚମର ୧୯, ଷଷ୍ଠରେ ୨୩, ସପ୍ତମର ୧୪ ଓ ଅଷ୍ଟମରେ ୧୩ ଛାତ୍ରଛାତ୍ରୀ ରହିଛନ୍ତି । ୩୩୧ ଜଣ ଭିନ୍ନ ଭିନ୍ନ ପାଠ୍ୟକ୍ରମର ଛାତ୍ରଛାତ୍ରୀ କିଭଳି ପାଠ ପଢୁଥିବେ ତାହା ସ୍ପଷ୍ଟ ଅନୁମେୟ । ବ୍ରାହ୍ମଣସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ୪ ମାସ ପାଇଁ ସ୍ଥାନାନ୍ତର କରାଯାଉଛି ବୋଲି ସେସମୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବରିହା ଅଭିଭାବକଙ୍କୁ କହିଥିଲେ । କିନ୍ତି ଇତିମଧ୍ୟରେ ୧୨ ମାସ ବିତିଯାଇଥିଲେ ମଧ୍ୟ ଆଦର୍ଶ ବିଦ୍ୟାଳୟର ନୂତନ କୋଠା ନିର୍ମାଣ ଶେଷ ହୋଇନାହିଁ । ଆହୁରି ୪ ରୁ ୫ ମାସ ଲାଗିବ ବୋଲି ସୂଚନା ମିଳିଛି । ସିବିଏସଇ ଢ଼ାଞ୍ଚାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟର ପାଠ୍ୟକ୍ରମ ବର୍ତ୍ତମାନ ୨୦ ପ୍ରତିଶତ ସରିଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଆଦର୍ଶ ବିଦ୍ୟାଳୟରେ ଅଦ୍ୟାବଧି ପାଠପଢ଼ା ଠିକ ହେବା ଦୂରକଥା ପିଲାଏଁ କେଉଠି ବସିବେ ତାହା ନିରୂପଣ ହୋଇ ପାରିନାହିଁ । ରାୟଗଡା ବ୍ଲକ ପାଇଁ ଅନୁମୋଦିତ ଆଦର୍ଶ ବିଦ୍ୟାଳୟ ସଦରମହକୁମାଠାରୁ ପ୍ରାୟ ୮ କିଲୋମିଟର ଦୂର ତାଡମା ଗାଁ ନିକଟରେ ନିର୍ମାଣ କରାଯାଉଛି । ୩ କୋଟି ୬୯ ଲକ୍ଷ ୮୯ ହଜାର ଟଙ୍କାରେ ଏହି ବିଦ୍ୟାଳୟ ପାଇଁ କୋଠା ନିର୍ମାଣ କରିବାକୁ ଅନୁମୋଦିତ ହୋଇଥିବାବେଳେ ତାହା ବର୍ତ୍ତର୍ମାନ ଶେଷ ହୋଇ ନାହିଁ । ଫଳରେ ପିଲାଙ୍କୁ ପାଠ ପଢିବା ପାଇଁ ସ୍ଥାନର ଘୋର ଅଭାବ ଦେଖା ଦେଇଛି । ଆଦର୍ଶ ବିଦ୍ୟାଳୟ ନିମନ୍ତେ ସ୍ୱତନ୍ତ୍ର ଅଫିସ ନାହିଁ । ମଧ୍ୟାହ୍ନ ଭୋଜନ ଗୋଦାମରେ ଅଫିସ ଚାଲୁ ରହିଛି । ସେହି ସ୍ଥାନରେ ଶିକ୍ଷକଶିକ୍ଷୟିତ୍ରୀମାନେ ବସୁଛନ୍ତି । ଖୋଲା ଆକାଶ ତଳେ ରନ୍ଧାଯାଉଛି ମଧ୍ୟାହ୍ନ ଭୋଜନ । ଯାହାକି ଆଉ ଏକ ବିପଦକୁ ନିମନ୍ତ୍ରଣ ବୋଲି ଅଭିଭାବକ କହିଛନ୍ତି । ଜାଗା ନଥିବାରୁ ଗଛମୂଳେ ପାଲ ଭିଡି ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି । ଅନ୍ୟପକ୍ଷେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇ ନଥିବାରୁ ଗୋଷ୍ଠୀ ଶିକ୍ଷାଧିକାରୀ ଏହାର ଦାୟିତ୍ୱରେ ଥିବାରୁ ଏଭଳି ଅବ୍ୟବସ୍ଥା ଲାଗିରହିଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons