
ଉଲୁଣ୍ଡା,(ବି.ବି.ନୁ୍ୟଜ): ଉଲୁଣ୍ଡା ଅଞ୍ଚଳରେ କିଛିଦିନ ହେଲା କ୍ରମାଗତ ଭାବରେ ହାତୀ ଘରଦ୍ୱାରା ଭାଙ୍ଗି ଆତଙ୍କ ଖେଳାଉଛି । ଆଜି ଭୋରରେ ଝାରବାହାଲି ଏବଂ ହାତିଲିମୁଣ୍ଡା ଗାଁରେ ୪ଟି ଘର ଭାଙ୍ଗିଦେଇଛି । ତେବେ ପରିବାରର ୧୦ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନା ଅନୁସାରେ ଝାରବାହାଲି ଗାଁର ଭିନ୍ନକ୍ଷମ ଇନ୍ଦ୍ରମଣି ଭେଶ୍ରା, ତାଙ୍କ ସ୍ତ୍ରୀ ଓ ଦୁଇ ପୂଅଙ୍କ ସହିତ ଘରେ ଶୋଇଥିଲେ । ଆଜି ଭୋର ୫ଟାରେ ହାତୀ ଆସି ଘର ସମେତ ଏକ ପଙ୍ଖା, ଟିଭି ଏବଂ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରିଦେଇଛି । ଏଥିସହ ଗୋଟିଏ ଚାଉଳ ପାକେଟ ଖାଇଦେଇଥିଲା । ହାତୀ ଆସିଥିବା ଜାଣିବା ପରେ ପରିବାର ଲୋକେ ଖଟତଳେ ଲୁଚି ଯାଇଥିଲେ । ଦୀର୍ଘ ଅଧଘଣ୍ଟା ଧରି ଆତଙ୍କ ଖେଳାଇବା ହାତୀ ସେଠାରୁ ଚାଲିଯାଇଥିଲା । ଖବର ପାଇ ବନବିଭାଗ ପହଞ୍ଚି ରିପୋର୍ଟ ନେଇ ଚାଲିଯାଇଥିଲେ । ପ୍ରକାଶ ଯେ ଇନ୍ଦ୍ରମଣୀ ଭିନ୍ନକ୍ଷମ ହୋଇଥିବାରୁ ପରିବାରଟି ବହୁ କଷ୍ଟରେ ଚଲୁଥିଲେ । ଘରେ ଥିବା ଚାଉଳ ହାତୀ ଖାଇଦେଇଥିବାରୁ ପରିବାର ଲୋକେ ଭୋକ ଉପାସରେ ରହିଥିଲେ । ଫରେଷ୍ଟର ଦିନେଶ ମାଝି ପହଞ୍ଚି ୫୦କେଜି ଚାଉଳ, ଡାଲି ୫ କେଜି ଏବଂ ୨ହଜାର ଟଙ୍କା ସହାୟତା କରିଥିଲେ । ଆବଶ୍ୟକ କାଗଜାତ ଜମା କଲାପରେ ସରକାରୀ ସହାୟତା ପ୍ରଦାନ କରାଜିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ତହସିଲ ତରଫରୁ ଏକ ପଲିଥିନ ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ନିକଟରେ ରହିଥିବା ସାନୁର୍ଜ ସୁନାଙ୍କ ଘରକୁ ମଧ୍ୟ ହାତୀ ଭାଙ୍ଗି ଦେଇଥିଲା । ଫଳରେ ପରିବାରଟି ଅଳ୍ପକେ ବର୍ତ୍ତିଯାଇଥିଲେ । ସେହିପରି ହାତିଲୀମୁଣ୍ଡାରେ ନିକୁଦିନ କୁଜୁର ଏବଂ ଆଲବିଶ କିସପଟାଙ୍କ ଘର ମଧ୍ୟ ଦନ୍ତା ଭାଙ୍ଗିଦେଇଥିବା ଜଣାପଡିଛି । ତେବେ ଯଥାଶିଘ୍ର କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗଇଦେବାକୁ ଦାବି ହେଉଛି ।
Comments are closed, but trackbacks and pingbacks are open.