ଉଦଳା,(ବି.ବି.ନୁ୍ୟଜ୍): ଘର ବାଡି ପାଖକୁ ଗୋରୁ ଖୋଜିବାକୁ ଯାଇଥିଲେ । ବାଉଁଶବୁଦାରେ ଲୁଚି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ବ୍ୟକ୍ତି । ତାଙ୍କର ଦୁଇ ଆଖି ତାଡି ଦେଇଛି ଭାଲୁ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧୀନ କଟରାସାହି ଗ୍ରାମରେ । ଭାଲୁ ଆକ୍ରମଣରେ ଗୁରୁତର ଯୁବକ ଜଣଙ୍କ ହେଲେ ଉକ୍ତ ବ୍ଳକ ଅଧୀନ କୋଚିଳାଡିହା ପଞ୍ଚାୟତର କଟରାସାହି ଗ୍ରାମର ଦାମ ଟୁଡୁ(୫୫) ।
ଘଟଣା ଦିନ, ଦାମ ନିଜର ଗୋରୁକୁ ଖୋଜିବାକୁ ଘର ବାଡିକୁ ଯାଇଥିଲେ । ବାଡି ନିକଟରେ ଥିବା ଏକ ବାଉଁଶବୁଦା ନିକଟରେ ସେ ପହଞ୍ଚିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭାଲୁଟି ଦାମଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା । ଭାଲୁଟି ଦାମଙ୍କ ଦୁଇ ଆଖି ତାଡି ଦେବା ସହିତ ତାଙ୍କର ପାଟିକୁ ମଧ୍ୟ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଗୁରୁତର ଦାମ ଚିକ୍ରାର କରିବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଦାମଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଭାଲୁ ଆକ୍ରମଣରେ ଗୁରୁତର ଦାମଙ୍କ କହିବାନୁସାରେ ସେଠାରେ ତିନି ଗୋଟି ଭାଲୁ ଥିଲେ । ଯାହାକି ଭାଲୁ ଆକ୍ରମଣରେ ସେ ଗୁରୁତର ହୋଇଥିବା ଜଣାଯାଇଛି । ତେବେ ଗୁରୁତର ଦାମଙ୍କ ଚିକିତ୍ସା ନିମନ୍ତେ ବନବିଭାଗ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.