ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ୨ବର୍ଷର ଶିଶୁ ପୁତ୍ର ସମେତ ମା’ର ମୃତଦେହକୁ ଇଟାମାଟି ପୁଲିସ ଉଦ୍ଧାର କରିଛି । ଘଟଣା ପରେ ମୃତ ମହିଳାଙ୍କ ଶାଶୂ ଘର ଲୋକେ ଫେରାର ହୋଇଯାଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।
ପୁଲିସ୍ ସୂତ୍ରରୁ ପ୍ରକାଶ, ଖଣ୍ଡପଡ଼ା ଥାନା କିଆଝରପାଟଣା ଗ୍ରାମର ପବିତ୍ର ସାହୁଙ୍କ ଝିଅ ମିଲିମଣି ସାହୁ ଗତ ୨୦୧୮ରେ ଇଟାମାଟି ଥାନା ଶଙ୍ଖେଇ ଗ୍ରାମର ପାଣୁ ସାହୁଙ୍କ ପୁଅ ପ୍ରସନ୍ନ ସାହୁଙ୍କୁ ବିବାହ କରିଥିଲେ । କିଛି ମାସ ସ୍ୱାମୀ-ସ୍ତ୍ରୀ ଭଲରେ ଚଳିବା ପରେ ଯୌତୁକକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମନାନ୍ତର ଦେଖାଦେଇଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ମିଲି ନିଜ ବାପଘରକୁ ଚାଲି ଯାଉଥିଲେ । କିଛି ଦିନ ତଳେ ମିଲି ବାପ ଘରକୁ ଯାଇ ଆଉ ଶାଶୂ ଘରକୁ ଆସି ନଥିଲା । ଭଦ୍ରବ୍ୟକ୍ତିଙ୍କ ଜରିଆରେ ସମାଧାନ କରାଯିବା ପରେ ମିଲି ଶାଶୂ ଘରକୁ ଆସିଥିଲା ।
ଶାଶୂ ଘରକୁ ଆସିବା ପରେ ମିଲି ଉପରେ ପୁଣି ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ଗତ ୧୫ ତାରିଖରେ ମିଲି ବାପାଙ୍କୁ ଫୋନ୍ କରି ୨ଲକ୍ଷ ଟଙ୍କା ଯୌତୁକ ବାବଦକୁ ନଦେଲେ ଶାଶୂ ଘର ଲୋକେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା କହିଥିଲା । ଏପଟେ ଟଙ୍କା ନମିଳିବାରୁ ପ୍ରସନ୍ନ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲା ।
ଆଜି ସକାଳୁ ଶୋଇବା ଘର ଖଟ ଉପରେ ମା’ ଓ ପୁଅର ମୃତଦେହ ପଡ଼ିଥିଲା । ସିଲିଂ ଫ୍ୟାନ୍ରୁ ଏକ ଶାଢ଼ି ଝୁଲୁଥିଲା । ଏ ସବୁ ଦୃଶ୍ୟ ଦେଖି ଗ୍ରାମବାସୀ ସନେ୍ଦହ କରି ପୁଲିସ ଓ ମିଲିର ବାପାଙ୍କୁ ଖବର ଦେଇଥିଲେ । ଖବର ପାଇ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଥାନାରେ ମିଲିଙ୍କ ବାପା ପବିତ୍ର ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରିଥିଲା । ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର ରହସ୍ୟ ଜଣାପଡିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ମିଲିଙ୍କ ଶାଶୂଘର ଲୋକେ ଫେରାର ହୋଇଯାଇଥିବାରୁ ପୁଲିସ ଘରକୁ ସିଲ୍ କରିଦେଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.