ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଜନିତ ଲକ୍ଡାଉନ୍ ଯୋଗୁ ପରୀକ୍ଷା ଓ ପାଠପଢ଼ାରେ ସମସ୍ୟା ଉପୁଜିଥିବାରୁ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଶ୍ରେଣୀରେ ସେମିଷ୍ଟାର ପରୀକ୍ଷାକୁ ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଯୁକ୍ତ ତିନି ଶ୍ରେଣୀର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ କ୍ଲାସ ପ୍ରମୋସନ ପରୀକ୍ଷା ଦେବାକୁ ପଡିବ ନାହିଁ । ଏହା ସହିତ ଉଭୟ ଯୁକ୍ତ ତିନି ଓ ପିଜି ଶ୍ରେଣୀର ପାଠ୍ୟକ୍ରମକୁ ପ୍ରଥମଥର ପାଇଁ ୨୫% ସେଲଫ୍ ଗାଇଡେଡଷ୍ଟଡି ଦ୍ୱାରା କଭର କରିବାକୁ ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଲେଜର ପାଠପଢ଼ା ଓ ପରୀକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଲକ୍ଡାଉନ୍ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ସମସ୍ତ ୟୁଜି ଓ ପିଜି ସେମିଷ୍ଟର ଓ ଫାଇନାଲ ପରୀକ୍ଷା କିଭଳି କରାଯିବ ତାହା ଉପରେ ବିସ୍ତୃତ ବିଚାରବିମର୍ଶ ହୋଇଥିଲା । ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ, ସମସ୍ତ ୟୁଜି ସ ପିଜି ସେମିଷ୍ଟର ପରୀକ୍ଷା ସମ୍ପର୍କରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି । ବୈଠକରେ ରାଜ୍ୟ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଥମଟି ହେଲା ଯୁକ୍ତ ତିନି ଶ୍ରେଣୀର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ପିଜି ସେମିଷ୍ଟର ପରୀକ୍ଷା ମଧ୍ୟ ହେବ ନାହିଁ । ଯୁକ୍ତ ତିନି ଶ୍ରେଣୀରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଏବଂ ପିଜି ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀ ପରବର୍ତ୍ତୀ ବର୍ଷକୁ ଉତ୍ତୀର୍ଣ୍ଣ ହେବେ । ବିଶ୍ୱବିଦ୍ୟାଳୟଗୁଡିକ ଦ୍ୱାରା ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରିବାକୁ କୁହାଯାଇଛି । ସେହିପରି ପ୍ରଥମଥର ପାଇଁ ଯୁକ୍ତ ତିନି ଓ ପିଜି ପାଠ୍ୟକ୍ରମର ୨୫ ପ୍ରତିଶତ ସେଲଫ୍ ଗାଇଡେଡ୍ ଷ୍ଟଡି ଦ୍ୱାରା କଭର କରାଯିବ । ଏହା ଏକ ସମୟୋଚିତ ଯୁଗାନ୍ତକାରୀ ପଦକ୍ଷେପ । ଏଭଳି ଷ୍ଟଡି ବ୍ୟବସ୍ଥା ପାଇଁ ୟୁଜିସି ଗାଇଡଲାଇନରେ ସୁପାରିସ୍ କରାଯାଇଛି । ଛାତ୍ରଛାତ୍ରୀମାନେ ସେଲଫ୍ ଷ୍ଟଡି ମ୍ୟାଟେରିଆଲ ନିଜେ ପଢ଼ିବେ ଓ ଟୁ୍ୟଟୋରିଆଲ କ୍ଲାସରେ ଅଧ୍ୟାପକମାନେ ସେମାନଙ୍କର ମନରେ ଦ୍ୱନ୍ଦ୍ୱ ଥିଲେ ତାକୁ ଦୂର କରିବେ । ସେଲଫ୍ ଗାଇଡେଡ ଷ୍ଟଡି ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଙ୍ଗ, ବିଶ୍ଳେଷଣ ଦକ୍ଷତା , ଆତ୍ମନିଭରଶୀଳତା ଓ ଜିଜ୍ଞାସା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.