କେନ୍ଦ୍ରାପଡ଼ା: ବେକାର ଯୁବକ ଯୁବତୀ ତଥା ନିଯୁକ୍ତି ଆଶାୟୀଙ୍କୁ ଅଭିନବ ଉପାୟରେ ଲୁଟୁଥିଲେ । କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେବା ନାଁରେ ସଂସ୍ଥା ଗଢ଼ି ଚାକିରି ଆଶାୟୀଙ୍କୁ ନାଁ ପଞ୍ଜିକରଣ କରିବାକୁ କହୁଥିଲେ । ପରେ ସେମାନଙ୍କୁ ଚାକିରି ଦେବାକୁ କହି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ । ନିର୍ଦ୍ଧାରିତ ସମୟ ଗଡ଼ିଯାଉଥିଲେ ବି ଆଶାୟୀଙ୍କୁ ଚାକିରି ମିଳୁନଥିଲା କି ଟଙ୍କା ଫେରସ୍ତ କରାଯାଉନଥିଲା । ଏଣେ ସଂସ୍ଥା ଠିକଣା ବଦଳାଇ ଅନ୍ୟତ୍ର ଅଫିସ୍ ଖୋଲିବା ସହ ପୁଣି କିଛି ବେକାର ଯୁବକ ଯୁବତୀଙ୍କୁ ଠକିବାକୁ ଚେଷ୍ଟା କରୁଥିଲା । ଏମିତି ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଠକେଇର ଶିକାର ହୋଇଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ନ୍ୟାୟ ଦେବାକୁ ଯାଇ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୁଲିସ୍ ଏହି ଠକେଇ ର୍ୟାକେଟ୍ର ପର୍ଦ୍ଧାଫାସ୍ କରିଛି । କଟକ ସହରର ରାଜେନ୍ଦ୍ରନଗରରେ ଏହି ସଂସ୍ଥା ଚାଲୁଥିବା ବେଳେ ପୁଲିସ ସଂସ୍ଥାର ମୁଖ୍ୟ ଇମ୍ରାନ୍ ଖାନ୍ ଓ ତାଙ୍କ ସହଯୋଗୀ କନ୍ସଲ୍ଟାଣ୍ଟ ଜ୍ୟୋତି ମିଶ୍ରଙ୍କୁ ଗିରଫ କରିଛି । ସେମାନେ ପ୍ରାୟ ୧୦ ଜଣ ଯୁବକ ଯୁବତୀଙ୍କୁ ଚାକିରି ନାଁରେ ଶୋଷଣ କରିଥିବା ପୁଲିସକୁ ସୁରାକ୍ ମିଳିଛି । ଦୁଇ ଜଣଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, କଟକ ବକ୍ସିବଜାର ନିବାସୀ ଇମ୍ରାନ ଖାନ ରାଜେନ୍ଦ୍ରନଗରଠାରେ ବିଶାଖା କ୍ୟାରିୟର ନାଁରେ କ୍ୟାରିୟର କନ୍ସଲ୍ଟାନ୍ସି ଖୋଲିଥିଲେ । ଶିକ୍ଷିତ ଯୁବକ ଯୁବତୀଙ୍କୁ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେବା ଓ ଚାକିରି କରିବାକୁ ବାଟ ବତାଇବା ଏହି ସଂସ୍ଥାର ଉଦେ୍ଧଶ୍ୟ ବୋଲି ଇମ୍ରାନ କହୁଥିଲେ । ଏଥିଲାଗି ଯେଉଁମାନେ ପଞ୍ଜିକରଣ କରୁଥିଲେ ସେମାନଙ୍କଠାରୁ ହଜାରେରୁ ୨ ହଜାର ଟଙ୍କା କରି ଫି’ ଆଦାୟ କରାଯାଉଥିଲା । ଏହା ପରେ ବେକାର ଯୁବକ ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ସେମାନଙ୍କୁ ଲୁଟ୍ କରାଯାଉଥିଲା । ଏଥିଲାଗି ସଂସ୍ଥାରେ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ଇମ୍ରାନ୍ । ଯେଉଁମାନେ ଚାକିରି ଆଶାୟୀଙ୍କୁ ପ୍ରଲୋଭିତ କରୁଥିଲେ । ଉଚ୍ଚ ବେତନରେ ନିଯୁକ୍ତି ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ୩୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରୁଥିଲେ । ଚାକିରି ଲୋଭରେ ଆଶାୟୀମାନେ ସେମାନଙ୍କ କଥାରେ ଭଳି ଯାଇ ଦାବି ମୁତାବକ ଟଙ୍କା ଦେଉଥିଲେ । ୨୦୧୯ରେ ପାଟକୁରା ଥାନା ବିଲବଳରାମପୁରର ଦୁର୍ଗାପ୍ରସାଦ ବିଶ୍ୱାଳ ସେମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଥିଲେ । ସେମାନେ ତାଙ୍କଠାରୁ ପ୍ରଥମେ ପଞ୍ଜିକରଣ ବାବଦରେ ୧୦୦୦ ଟଙ୍କା ନେଇଥିଲେ । ପରେ ୟେସ୍ ବ୍ୟାଙ୍କରେ ତାଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଇ ୪୦ ହଜାର ଟଙ୍କା ନେଇଥିଲେ । ଦୁର୍ଗାପ୍ରସାଦ ଏହାର ରସିଦ୍ ବି ପାଇଥିଲେ । ହେଲେ ବର୍ଷାଧିକ କାଳ ବିତିଥିଲେ ବି ତାଙ୍କୁ ଚାକିରି ମିଳିନଥିଲା ।
ଅପରପକ୍ଷରେ ଚାକିରି ମିଳିବ ବୋଲି କହି ଇମ୍ରାନ ଓ କନ୍ସଲ୍ଟାଣ୍ଟ ଜ୍ୟୋତି ତାଙ୍କୁ ବାରମ୍ବାର ଭୂତାଇ ଚାଲିଥିଲେ । ଶେଷରେ ଇମ୍ରାନ୍ ଓ ଜ୍ୟୋତି ଫୋନ୍ ସୁଇଚ୍ ଅଫ୍ କରିଦେଇ ଅଫିସ୍କୁ କଟକ ମହାନଦୀ ବିହାରକୁ ସ୍ଥାନାନ୍ତର କରିନେଇଥିଲେ । ତେବେ ସେଠାରେ ସଂସ୍ଥାର କୌଣସି ବୋର୍ଡ ମାରିନଥିଲେ । ଦୁର୍ଗାପ୍ରସାଦ ବହୁ କଷ୍ଟରେ ଇମ୍ରାନଙ୍କୁ ଖୋଜି ବାରମ୍ବାର ଦୌଡ଼ିବା ପରେ ତାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ପଠାଯାଇଥିଲା । ଅବଶିଷ୍ଟ ୩୫ ହଜାର ଟଙ୍କା ଫେରାଇବେ ବୋଲି କହି ଇମ୍ରାନ ଆଉ ଧରାଛୁଆଁ ଦେଇନଥିଲେ । ଏ ନେଇ ଦୁର୍ଗାପ୍ରସାଦ ଗତ ୧୭ ତାରିଖ ଦିନ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏତଲା ଦେଇଥିଲେ । ଏସ୍ପି ମଦକର ସନ୍ଦୀପ ନିଜେ ଘଟଣାକୁ ଗୁରୁତ୍ୱର ସହ ନେଇ ଇନ୍ସପେକ୍ଟର ପରେଶ ମହାନ୍ତିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଶ୍ରୀ ମହାନ୍ତି ତଦନ୍ତ ଚଳାଇ ଠକ ର୍ୟାକେଟ୍ର ପର୍ଦ୍ଧାଫାସ୍ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଇମ୍ରାନଙ୍କୁ ବକ୍ସିବଜାର, ଜ୍ୟୋତିଙ୍କୁ ଯୋବ୍ରା ମଝିସାହିରୁ ଗିରଫ କରାଯାଇଥିବା ବେେଳେ ସେମାନଙ୍କ ପାଖରୁ ନଗଦ ୩୫ ହଜାର ଟଙ୍କା, ରସିଦ୍ ବହି, ୨ଟି ରେଜିଷ୍ଟର, ସଂସ୍ଥାର ଜାଲ କାଗଜପତ୍ର ଜବତ କରାଯାଇଥିବା ଶ୍ରୀ ମହାନ୍ତିି ସୂଚନା ଦେଇଛନ୍ତି । ଜ୍ୟୋତିଙ୍କ ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ଭଡ଼ା ନେଇ ରହି ଆସୁଛନ୍ତି । ଇମ୍ରାନଙ୍କ ଦ୍ୱାରା ଠକେଇର ଶିକାର ହୋଇଥବା ପ୍ରାୟ ୧୦ଜଣ ଯୁବକ ଯୁବତୀ ଏବେ ସୁଦ୍ଧା ପୁଲିସ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି । ଉଭୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କଲେ ର୍ୟାକେଟ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି ମତ ପ୍ରକାଶ ପାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.