କେନ୍ଦୁଝର,(ବି.ବି.ନୁ୍ୟଜ୍): ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସତ୍ତେ୍ୱ ଚାଷୀର ମନୋବଳ ଭାଙ୍ଗି ନଥିଲା । ଡେରିରେ ହେଲେ ମଧ୍ୟ ଧାନ ଚାଷ ପ୍ରତି ଆସ୍ଥା ରଖି ନିଜ କ୍ଷେତରେ ବେଉଷଣ ଆରମ୍ଭ କରିଥିଲା । ହାଡଭଙ୍ଗା ପରିଶ୍ରମ କରି ଧାନ ରୁଆ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଯତ୍ନର ସହ ଚାଷ କାର୍ଯ୍ୟକୁ ଆଗେଇ ନେଇଥିଲା । ଭଲ ଧାନ ଫଳିଥିବାବେଳେ ବର୍ତ୍ତମାନ କ୍ଷେତରେ ପାଚିଲା ଧାନ ହସୁଛି । ଠିକ୍ ଅମଳ ସମୟରେ ଅଦିନିଆ ବର୍ଷା ଓ ହାତୀ ଉପଦ୍ରବ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବୁଲ ବୁଲ ପ୍ରଭାବରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପ ଝିପ ବର୍ଷା ସାଙ୍ଗକୁ କୋହଲା ପାଗ ରହିଥିବାବେଳେ ଅଧିକାଂଶ ରେଞ୍ଜରେ ଲାଗି ରହିଛି ହାତୀ ଉପଦ୍ରବ । ବର୍ଷା ଓ ଖରାପ ପାଗ ଯୋଗୁଁ ବିଲରୁ ଅମଳ ଧାନ ସଂଗ୍ରହ କରିବାରେ ବାଧା ସୃଷ୍ଟି ହେଉଛି । କିଛି ପାଚିଲା ଧାନ ବିଲରେ ପାଣି ଉପରେ ପଡି ରହିଛି । ଅନ୍ୟ ପକ୍ଷରେ ୪ ଦିନ ହେଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜର ବାଲିବନ୍ଧ ପରେଷ୍ଟ ସେକ୍ସନ ଅନ୍ତର୍ଗତ ଚିପିଣ୍ଡା, ସାନଯୋଡା ଏବଂ ଜୟପୁର ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି ୧୪ ଟିକିଆ ହାତୀ ପଲ । ବାଲିବନ୍ଧ ଫରେଷ୍ଟ ସେକ୍ସନରେ ଉପଯୁକ୍ତ ସଂଖ୍ୟକ ବନ କର୍ମଚାରୀ ନଥିବାରୁ ହାତୀପଲଙ୍କ କବଳରୁ ଚାଷୀଙ୍କ ଧାନ ଫସଲ ରକ୍ଷା କରିବା କାଠିକର ପାଠ ହୋଇ ପଡିଛି ।
ହାତୀ ପଲ ୪ ଦିନ ହେଲା ବ୍ରାହ୍ମଣଡିହ ପାହାଡରେ ରହୁଥିବାବେଳେ ସଞ୍ଜ ନଇଁଲେ ସାନ ଯୋଡା, ଚିପିଣ୍ଡା ଏବଂ ଜୟପୁର ଗାଁରେ ଥିବା ବିଲ ଖମାର ଭିତରକୁ ପଶି ଆସି ପାଚିଲା ଧାନ ଖାଇବା ସହ ମାଡି ଦଳି ନଷ୍ଟ କରୁଛନ୍ତି । ହାତୀପଲରେ ୩ ଟି ଦନ୍ତା ଏବଂ ୭ଟି ମାଇ ହାତୀ ରହିଥିବାବେଳେ ୪ ଟି ଛୁଆ ହାତୀ ରହିଛନ୍ତି । ହାତୀ ପଲ ବିଲ ଖମାର ଭିତରକୁ ପଶି ଆସି ପାଚିଲା ଧାନ ଖାଇ ଯାଉଛନ୍ତି । ଗ୍ରାମବାସୀ ହାତୀପଲଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଗୋଠରେ ରହିଥିବା ଗୋଟିଏ ଦନ୍ତା ଲୋକଙ୍କୁ ମାରିବାକୁ ଗୋଡ଼ାଉଥିବାରୁ ଭୟରେ ହାତୀଙ୍କ ପାଖ ମାଡି ପାରୁ ନାହାନ୍ତି । ଫଳରେ ହାତୀପଲ ଅନାୟାସରେ ଏକର ଏକର ଧାନ ଫସଲ ଖାଇଯିବା ସହ ମାଡି ଦଳି ନଷ୍ଟ କରୁଛନ୍ତି ।
ଅଦ୍ୟାବଧି ଜୟପୁର ଗ୍ରାମର ଶୁସୀଲ କୁମାର ବେହେରା, ଦୁଷ୍ମନ୍ତ ବେହେରା, ଶରତ ବେହେରା, ସଞ୍ଜୟ କୁମାର ବେହରା, ମାନଗୋବିନ୍ଦ ବେହେରା, ଅନାଦି ବେହେରା ପ୍ରମୁଖ ଚାଷୀ ମାନଙ୍କ ୩ ଏକରରୁ ଅଧିକ ଧାନ ଫସଲ ଖାଇ ନଷ୍ଟ କରିଦେଇଛନ୍ତି । ସାନଯୋଡା ଗ୍ରାମର ଖଗେଶ୍ୱର ନାଏକ, ମହେଶ୍ୱର ନାଏକ, ମୂରଲୀ ଦେହୁରୀ ପ୍ରମୁଖଙ୍କ ୨ ଏକରରୁ ଅଧିକ ଧାନ ଫସଲ ଖାଇଯିବା ସହ ମାଡି ଦଳି ନଷ୍ଟ କରିଦେଇଛନ୍ତି । ସେହିଭଳି ଚିପିଣ୍ଡା ଗ୍ରାମର ଦାମୋଦର ମହାକୁଡ, କୃଷ୍ଣଚନ୍ଦ୍ର ମହାକୁଡ, ବାସୁଦେବ ମହାକୁଡ, ଜଗନ୍ନାଥ ମହାକୁଡ, ନିତ୍ୟାନନ୍ଦ ମହାକୁଡ, ପ୍ରଭାକର ବାରିକ ପ୍ରମୁଖଙ୍କର ୩ ଏକରରୁ ଅଧିକ ଧାନ ଫସଲ ଖାଇଯିବା ସହ ମାଡି ଦଳି ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ହାତୀ ଉପଦ୍ରବ କରୁଥିବା ସମୟରେ ବନ ବିଭାଗକୁ ଖବର ଦିଆଯାଉଥିଲେ ମଧ୍ୟ ବନବିଭାଗ ନିକଟରେ ଅଳ୍ପ ସଂଖ୍ୟକ କର୍ମଚାରୀଥିବାରୁ ହାତୀଙ୍କୁ ଘଉଡାଇବା ସମ୍ଭବପର ହୋଇ ପାରୁ ନାହିଁ ବୋଲି କହିଛନ୍ତି ଚାଷୀ । ଅପରପକ୍ଷେ ହାତୀପଲରେ ରହିଥିବା ଗୋଟିଏ ଦନ୍ତା ହାତୀ ଉଗ୍ର ହୋଇଥିବାରୁ ଘଉଡାଇବା ସମୟରେ ଗ୍ରାମବାସୀ ଏପରିକି ବନକର୍ମଚାରୀଙ୍କୁ ମଧ୍ୟ ମାରିବାକୁ ଗୋଡାଉଛି । ଫଳରେ ବିଲ ଖମାରରୁ ହାତୀଙ୍କୁ ଘଉଡାଇବା ସହଜ ହୋଇ ପାରୁନାହିଁ ।


Comments are closed, but trackbacks and pingbacks are open.