ବଲାଙ୍ଗୀର,(ବି.ବି.ନ୍ୟୁଜ୍): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବରକାନୀ ଗାଁରେ ଚାଷୀ ଭକ୍ତବନ୍ଧୁ ଦଣ୍ଡସେନାଙ୍କ ଆତ୍ମହତ୍ୟା ଅଭିଯୋଗ ପରେ ଆଜି ଜିଲ୍ଲା କୃଷି ବିଭାଗ ବରକାନୀ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି । ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସଙ୍କ ନେତୃତ୍ୱରେ ଏକ ଟିମ ଗାଁକୁ ଯାଇ ଚାଷୀଙ୍କ ପରିବାରବର୍ଗଙ୍କୁ ଭେଟି ଘଟଣାସମ୍ପର୍କରେ ପଚାରିବୁଝିଥିଲେ । ଏନେଇ ସଂଗ୍ରହ କରିଥିବା ତଥ୍ୟକୁ ନେଇ ସେ ଏକ ରିପୋର୍ଟ ପ୍ରସ୍ତୁତ କରିବା ପରେ ଜିଲ୍ଲା ପ୍ରଶାସନକୁ ଦେବେ ବୋଲି କହିଛନ୍ତି । ସେହିପରି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଥିବାରୁ ଚାଷୀ ଚିନ୍ତିତ ନହେବାକୁ ପରାର୍ମଶ ଦେଇଥିଲେ ।
ପରିବାରବର୍ଗଙ୍କଠାରୁ ମିଳିଥିବା ସୂଚନାଅନୁସାରେ, ଭକ୍ତବନ୍ଧୁ ଗତ କାଲି ପ୍ରାୟ ସାଢ଼େ ୮ଟା ବେଳେ ନିଜର ଜମିରେ ବିଷ ଖାଇ ପଡ଼ିଥିବା ପରିବାରବର୍ଗ ଜାଣିବାକୁ ପାଇଥିଲେ । ସେମାନେ ଜମିରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରିଥିଲେ । ଅପରାହ୍ନ ୨ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଭକ୍ତବନ୍ଧୁଙ୍କ ବୁର୍ଲା ମେଡିକାଲରେ ମୃତ୍ୟୁ ହୋଇଥିଲା । ଭକ୍ତବନ୍ଧୁ ଚଳିତ ବର୍ଷ ଅଧା ଏକର ଜମିରେ ପନିପରିବା ଚାଷ କରିଥିବା ବେଳେ ୪ଏକରରେ ଧାନ ଚାଷ କରିବା ପାଇଁ ପଲ୍ହା ପକାଇଥିଲେ । କିନ୍ତୁ ପାଣି ଅଭାବରୁ ପଲ୍ହାର ଅବସ୍ଥା ମଧ୍ୟ ସେତେଟା ଭଲ ନାହିଁ । ସେହିପରି ଭକ୍ତବନ୍ଧୁ ଗତ ବର୍ଷ ଚନ୍ଦନଭାଟିସ୍ଥିତ ସମବାୟ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୬୦ହଜାର ଟଙ୍କା ଏବଂ ଏକ ଫାଇନାନ୍ସ କମ୍ପାନିରୁ ୬୦ହଜାର ଟଙ୍କା ଋଣ ଆଣିଥିଲେ । ଯାହାକୁ ନେଇ ସେ ଚିନ୍ତିତ ଥିଲେ ବୋଲି ମୃତକଙ୍କ ସ୍ତ୍ରୀ ସଭ୍ୟାରାଣୀ କହିଛନ୍ତି । ଗୋଟିଏ ପଟେ ଋଣଭାର ଅନ୍ୟପଟେ ବର୍ଷାଭାବରୁ ଫସଲ ନଷ୍ଟ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ମୃତକଙ୍କ ପରିବାରରେ ବୃଦ୍ଧ ବାପା କୀର୍ତ୍ତନ, ସ୍ତ୍ରୀ ସଭ୍ୟାରାଣୀ, ସପ୍ତମ ଶ୍ରେଣୀରେ ପଢୁଥିବା ପୁଅ ସଞ୍ଜୟ, ଭାଇ ଶ୍ରୀପତି, ଉପେନ୍ଦ୍ର ଏବଂ ଟିହିଲୁ ରହିଛନ୍ତି । ଭକ୍ତବନ୍ଧୁ ପରିବାରର ଘରର ବଡ଼ପୁଅ ଥିଲେ ।
Comments are closed, but trackbacks and pingbacks are open.