ଜୟପୁର: ଚିନ୍ତାରେ ଉମୁରୀ ଲ୍ୟାମ୍ପସ୍ ଘିଉରୀ ମଣ୍ଡିର ଚାଷୀ । ରବିମଣ୍ଡି ଶେଷ ହେବାକୁ ମାତ୍ର ୮ ଦିନ ବାକି ଥିବା ବେଳେ ସେମାନଙ୍କ ଅଚଳ ଟୋକନ ସଚଳ କରାଗଲାନି । ମଣ୍ଡି ସରିବା ପୂର୍ବରୁ ଏହା ସଚଳ ହେବ କି ନାହିଁ, ତାକୁ ନେଇ ଚିନ୍ତାରେ ପଡିଛନ୍ତି । ମଙ୍ଗଳବାର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ ଘିଉରୀ ମଣ୍ଡିର ଚାଷୀ ପ୍ରତିନିଧି । ନିଜ ସମସ୍ୟା ସଂପର୍କରେ ଜଣାଇଥିଲେ ।
ଯୋଗାଣ ଅଧିକାରୀ କହିଛନ୍ତି, ଟୋକନ ସଚଳ କରିବାକୁ ଚିଠି କରାଯାଇଛି । ସଚଳ ଟୋକନ ଆସିଲେ ଧାନ କିଣାଯିବ । କିନ୍ତୁ କେବେ ଆସିବ, ସେ ସମ୍ପର୍କରେ ଚାଷୀଙ୍କୁ କିଛି କହିନଥିଲେ । ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅମଳ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ କିପରି ବିକ୍ରି କରିବେ ବୋଲି ପ୍ରଶ୍ନ କରିଛନ୍ତି । ଚାଷୀମାନେ କହିଛନ୍ତି, ଲ୍ୟାମ୍ପ୍ସ ଏମ୍ଡିଙ୍କ ଭୁଲ ଯୋଗୁ ଏବେ ସେମାନେ ହଇରାଣ ହେଉଛନ୍ତି । ଟୋକନ ସଚଳ ଥିବା ସମୟରେ ଧାନ କିଣିଥିଲେ ଏହି ସମସ୍ୟା ହୋଇ ନଥାନ୍ତା । କିନ୍ତୁ ଏବେ କ’ଣ କରିବେ । ଟୋକନ ଅଚଳ ହୋଇଯାଇଥିବାରୁ ଶହେରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଅଚଳ ହୋଇଯାଇଥିବା ଅଧିକାଂଶ ଟୋକନ ଛୋଟ ଚାଷୀଙ୍କର । ୩୦ରୁ ୧ଶହ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ବିକ୍ରି କରିଥାନ୍ତେ । ଆନ୍ଧ୍ର ଓ ଛତିଶଗଡକୁ ଧାନ ଯାଉନଥିବାରୁ ବ୍ୟବସାୟୀ କିଣୁନାହାନ୍ତି । ସ୍ଥାନୀୟ ମିଲର ମଧ୍ୟ କିଣିବାକୁ ଆଗ୍ରହ ଦେଖାଉନାହାନ୍ତି । ଅମଳ ପରେ ଧାନ କାହାର ଖଳାରେ ପଡିରହିଛି ତ ଆଉ କାହାର ଗୁହାଳରେ ରଖାଯାଇଛି । ସୁରକ୍ଷିତ ସ୍ଥାନନଥିବାରୁ କେତେକଙ୍କ ଧାନ ଓଦା ହୋଇଗଲାଣି । ଖରା ପାଗ ଦେଖି ରାସ୍ତାରେ ଶୁଖାଇବାକୁ ପଡୁଛି । ଘିଉରୀ ମଣ୍ଡି ଭଳି ଅନ୍ୟ କେଉଁଠି ଏଭଳି ଅବ୍ୟବସ୍ଥା ହୋଇନି । ଯୋଗାଣ ବିଭାଗ, ଡିଆରସିଏସ୍ଙ୍କୁ ବାରମ୍ବାର କୁହାଯାଉଛି । ଟୋକନ ସଚଳ କରିବାକୁ ଲିିଖିତ ଭାବେ ଜଣାଇଛନ୍ତି । ଆନେ୍ଦାଳନ ଧମକ ଦେଇଛନ୍ତି । କିନ୍ତୁ ଫଳାଫଳ ଶୂନ । ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ଭେଟିବେ । ତୁରନ୍ତ ଟୋକନ ସଚଳକରିବାକୁ ଅନୁରୋଧ କରିବେ । ଯଦି ଏ ଭିତରେ ସମସ୍ୟାର ସମାଧାନ ହେବ ନାହିଁ ତେବେ ଧାନବସ୍ତା ଆଣି ଲ୍ୟାମ୍ପସ ଓ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ରଖି ଆନେ୍ଦାଳନ କରିବେ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.