କବିସୂର୍ଯ୍ୟନଗର,(ବି.ବି.ନ୍ୟୁଜ୍): ଚୋରି ଗାଡ଼ି ର୍ୟାକେଟ୍ ଠାବ କରି କବିସୂର୍ଯ୍ୟନଗର ପୁଲିସକୁ ମିଳିଛି ବଡ଼ ସଫଳତା । ଏହି ର୍ୟାକେଟ୍ର ଚେର ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱରକୁ ଲମ୍ବିଛି । ଚୋରି ଗାଡ଼ି କିଣିବା ଅଭିଯୋଗରେ ୩ ଜଣ ଏବଂ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ଠାରୁ ୧୮ଟି ବାଇକ୍ ଓ ଗୋଟିଏ ବୋଲେରୋ ଜବତ କରାଯାଇଛି । କବିସୂର୍ଯ୍ୟନଗର ଥାନା ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକାରୀ ପତିତପାବନ ଚୌଧୁରୀ । ଏଥିସହ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ତପନ ପତି, ପୁରୁଷୋତ୍ତମପୁର ଏସ୍ଡିପିଓ ନିମାଇଁ ସେଠୀ ଉପସ୍ଥିତ ଥିଲେ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ୪ ଜଣଙ୍କୁ କୋଦଳା ଜେଲ ପଠାଇ ଦିଆଯାଇଛି ।
ଗତକାଲି କବିସୂର୍ଯ୍ୟନଗର ଥାନା ପକ୍ଷରୁ ବୁଢ଼ାମ୍ବରେ ବ୍ଲକିଂ କରି ଗାଡ଼ି କାଗଜପତ୍ର ଯାଞ୍ଚ କରାଯାଉଥିଲା । ଆଠଗଡ଼ର ସନ୍ତୋଷ ପୋଲାଇ ଗାଡ଼ି କାଗଜ ଦେଖାଇ ପାରିନଥିବାରୁ ପୁଲିସର ସନ୍ଦେହ ହୋଇଥିଲା । ଅଧିକ ପଚରାଉଚରା କରିବା ସହ ସନ୍ତୋଷଙ୍କ ଘରୁ ୫ଟି ବାଇକ୍ ଓ ଗୋଟିଏ ଧଳା ବୋଲେରୋ ଜବତ କରିଛି । ସନ୍ତୋଷ ଦେଇଥିବା ବୟାନ ଅନୁସାରେ ପୁଲିସ ପାଇକଯମୁନା ଗ୍ରାମର ଶିଶିର ଭୂୟାଁ, ଆଠଗଡ଼ର ନିରଞ୍ଜନ ସେନାପତିଙ୍କ ଘରେ ଚଢ଼ଉ କରି ୧୦ଟି ଚୋରି ବାଇକ୍ ଜବତ କରିଛି । ସମସ୍ତେ ବାଣପୁର ଥାନା ଅନ୍ତର୍ଗତ କୁଲେଇ ଗ୍ରାମର ସନ୍ତୋଷ ଜଗଦେବଙ୍କ ଠାରୁ ଗାଡ଼ି କିଣିଥିବା ସ୍ୱୀକାର କରିଛନ୍ତି । ଏନେଇ ପୁଲିସ ସନ୍ତୋଷଙ୍କ ଘରେ ମଧ୍ୟ ଚଢ଼ଉ କରି ୩ଟି ଚୋରି ବାଇକ୍ ଉଦ୍ଧାର କରିଛି । ଗତ ବର୍ଷ ଡିସେମ୍ବର ୧୮ରେ ବୋଲେରୋ ମାଲିକ ନୟାଗଡ଼ ଜିଲ୍ଲା ବୋଲଗଡ଼ ଥାନାରେ ଗାଡ଼ି ଚୋରି ଯାଇଥିବା ଅଭିଯୋଗ କରିଥିଲେ । ଏନେଇ ଅଧିକ ତଦନ୍ତ ଜାରି ରହିଥିବାବେଳେ ଗାଡ଼ି ମାଲିକ କାଗଜପତ୍ର ଦେଖାଇ ନେଇଯିବାକୁ କହିଛନ୍ତି କବିସୂର୍ଯ୍ୟନଗର ଆଇଆଇସି ।
Comments are closed, but trackbacks and pingbacks are open.