ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାଫଳ ଗତକାଲି ବିଳମ୍ବିତ ରାତିରେ ପ୍ରକାଶ ପାଇଛି । ସ୍ନାତକ କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୧୪୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୩୪୦ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬୯୧ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୬୪୯ ଜଣ ଛାତ୍ର ପାସ୍ କରିଛନ୍ତି । ଯାହାକି ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ଅଛନ୍ତି । ତିନୋଟି ବିଭାଗର ପାସ୍ହାର ୯୫.୫୦ ପ୍ରତିଶତ ହୋଇଛି । ହେଲେ କିଏ ଶ୍ରେÂ ସ୍ନାତକ, ସେ ସଂପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଆସନ୍ତା ନଭେମ୍ବର ୨ରୁ ୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ପ୍ରୋଭିଜିନାଲ୍ ଓ ମାର୍କସିଟ୍ ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା କଟକଣା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅନ୍ଲାଇନ୍ ମାଧ୍ୟମରେ ସ୍ନାତକ ପରୀକ୍ଷା କରାଯାଇଥିଲା । ଏହା ଭିତରେ ଏକକ ପିଜି ପରୀକ୍ଷା ମଧ୍ୟ ଶେଷ ହୋଇଯାଇଛି । ନଭେମ୍ବର ୫ ତାରିଖ ସୁଦ୍ଧା ସାମ୍ ପୋର୍ଟାଲରେ ସ୍ନାତକ ନମ୍ବର ଅପ୍ଲୋଡ୍ କରିବାକୁ କୁହାଯାଇଛି । ସୂଚନା ଅନୁସାରେ ଚଳିତ ବର୍ଷ କଳାରେ ୪୬୬ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪୪୪ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ହାର ୯୫.୨୭ ପ୍ରତିଶତ ହୋଇଛି ଏବଂ ୨୨ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ସେହିପରି ବିଜ୍ଞାନରେ ୫୫୬ ଜଣ ପରୀକ୍ଷା ଦେଇଥିବା ବେଳେ ୫୪୧ ଜଣ ପାସ୍ କରିଛନ୍ତି । ଏହି ବିଭାଗରେ ପାସ୍ହାର ୯୭.୧୨ ପ୍ରତିଶତ ହୋଇଥିବା ବେଳେ ୧୬ ଜଣ ଫେଲ୍ ହୋଇଛନ୍ତି । ବାଣିଜ୍ୟରେ ୩୮୧ ଜଣ ପରୀକ୍ଷା ଦେଇଥିବା ବେଳେ ୩୫୫ ଜଣ ପାସ୍ କରିଛନ୍ତି । ବାଣିଜ୍ୟରେ ପାସ୍ହାର ୯୨.୧୨ ପ୍ରତିଶତ ହୋଇଥିବା ବେଳେ ୨୦ ଜଣ ଫେଲ୍ ହୋଇଛନ୍ତି । କଳା ବିଭାଗର ମନସ୍ତତ୍ତ୍ୱ ବିଭାଗର ଜଣେ ମାତ୍ର ପରୀକ୍ଷାର୍ଥୀ ଏ-ପ୍ଲସ୍ ଗ୍ରେଡ୍ ରଖି ପାସ୍ କରିଛନ୍ତି । ହେଲେ ଅନ୍ୟ କୌଣସି ବିଷୟରେ କେହି ବି ଜଣେ ପରୀକ୍ଷାର୍ଥୀ ଏ-ପ୍ଲସ୍ ଗ୍ରେଡ୍ ରଖିପାରି ନାହାନ୍ତି । ସେହିପରି ବିଜ୍ଞାନର ଉଦ୍ଭିଦ ବିଜ୍ଞାନରେ ୨ ଜଣ ଏ-ପ୍ଲସ୍ ଗ୍ରେଡ୍ ରଖି ପାସ୍ କରିଥିବା ବେଳେ ରସାୟନ ବିଜ୍ଞାନରେ ୫ ଜଣ, କମ୍ପୁ୍ୟଟର ସାଇନ୍ସରେ ୩ ଜଣ, ଅର୍ଥନୀତିରେ ଜଣେ, ଜିଓଲୋଜିରେ ୪ ଜଣ, ଗଣିତରେ ୩ ଜଣ, ପଦାର୍ଥ ବିଜ୍ଞାନରେ ୧୩ ଜଣ, ପ୍ରାଣୀବିଜ୍ଞାନରେ ୫ ଜଣ, ଆଇଟିଏମ୍ରେ ୨ ଜଣ ଏବଂ ଆଇଏସ୍ଟିରେ ଜଣେ ମାତ୍ର ଏ-ପ୍ଲସ୍ ଗ୍ରେଡ୍ରେ ପାସ୍ କରିଛନ୍ତି । ହେଲେ ବାଣିଜ୍ୟରେ କୌଣସି ପରୀକ୍ଷାର୍ଥୀ ଏ-ପ୍ଲସ୍ ଗ୍ରେଡ୍ ରଖିନାହାନ୍ତି । ଗତବର୍ଷ ଠାରୁ ଚଳିତ ବର୍ଷ ପାସ୍ହାର ଅଧିକ ହୋଇଛି । ଗତବର୍ଷ ୧୩୭୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୧୮୧ ଜଣ ପାସ୍ କରିଥିଲେ । ପାସ୍ହାର ୮୫.୬୪ ପ୍ରତିଶତ ହୋଇଥିଲା । ସେହିପରି ୨୦୧୮ରେ ୧୪୭୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୪୩୮ ଜଣ ପାସ୍ କରିଥିଲେ । ପାସ୍ହାର ୯୭.୨୨ ପ୍ରତିଶତ ହୋଇଥିଲା । ୨୦୧୭ରେ ୯୪.୬୫ ପ୍ରତିଶତ ଏବଂ ୨୦୧୬ରେ ପାସ୍ହାର ୯୧.୦୨ ପ୍ରତିଶତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons