ଠାକୁରମୁଣ୍ଡା,(ବି.ବି.ନୁ୍ୟଜ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ । ଘର ମୟୂରଭଞ୍ଜ ଜିଲ୍ଲାରେ । ସାଙ୍ଗର ଜନ୍ମ ଉତ୍ସବ କହି ୩ ଦିନ ତଳେ ରାଜଧାନୀକୁ ଆସିଥିଲେ । କିନ୍ତୁ ଆଜି ସକାଳୁ ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳରେ ରାସ୍ତା ପାଶ୍ୱର୍ରୁ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଯାଜପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ସେପଟେ ଘଟଣାସ୍ଥଳ ନିକଟ ସିସି କ୍ୟାମେରାରୁ କିନ୍ତୁ ଅଘଟଣର ସତ ସାମ୍ନାକୁ ଆସିଛି । ଏକ ସ୍କୁଟିରେ ୨ ଯୁବକ ଛାତ୍ରୀଙ୍କ ମୃତଦେହକୁ ବୋହି ନେଉଥିବାର ଚିତ୍ର ସିସି କ୍ୟାମେରା ଲେନ୍ସରେ କଏଦ୍ ହୋଇଛି । ଯାହାକି, ଛାତ୍ରୀଙ୍କୁ ସୁପରିକଳ୍ପିତ ଭାବେ ମର୍ଡର କରାଯାଇଥିବା ନେଇ ପୁଲିସ ସନେ୍ଦହ କରୁଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ବୁଧବାର ସକାଳ ପ୍ରାୟ ୯.୩୦ ସମୟରେ ଦୁଇଜଣ ଯୁବକ ଏକ ସ୍କୁଟିରେ ଜଣେ ଯୁବତୀକୁ ମଝିରେ ବସାଇ ୧୬ନଂ ଜାତୀୟ ରାଜପଥର ମୂଳାପାଳ ଛକ ଠାରୁ ରାଜେନ୍ଦ୍ରପୁର ଆଡକୁ ଯାଇଥିଲେ । ମୂଳାପାଳ-ରାଜେନ୍ଦ୍ରପୁର ମଝି ରାସ୍ତାର ଏକ ତାଳ ଗଛ ନିକଟରେ ଯୁବତୀକୁ ସ୍କୁଟିରୁ ଓହ୍ଲାଇ ଦେଇ ତଳେ ଫିଙ୍ଗି ଦେଇ ଦ୍ରୁତ ଗତିରେ ପଳାଇଥିଲେ । ଅଳ୍ପ ଦୂରରେ ଥିବା କିଛି ଲୋକ ଏହା ଦେଖି ସେଠାକୁ ଧାଇଁ ଯାଇଥିଲେ । ଯୁବତୀଜଣକ ଆଖିବୁଜି ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସର ଏକ ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲା । ଯୁବତୀଙ୍କ ମୃତୁ୍ୟ ହୋଇଥିବା ସ୍ପଷ୍ଟ ହେବା ପରେ ପୁଲିସ ତଦନ୍ତ ପ୍ରକି୍ରୟାକୁ ଜୋର୍ଦାର୍ କରିଥିଲା । ମୃତଦେହ ନିକଟରୁ ଗୋଟିଏ ଜୋତା, କଲେଜ ବ୍ୟାଗ ଜବତ କରାଯାଇଥିଲା । ଅନ୍ୟ ଏକ ଜୋତା ୧୬ନଂ ଜାତୀୟ ରାଜପଥରୁ ଜବତ କରାଯାଇଥିଲା । ମାଜିଷ୍ଟେ୍ରଟ୍ ଭାବେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କ ବ୍ୟାଗର ତଲାସି କରାଯାଇଥିଲା । ବ୍ୟାଗ୍ରେ ଫିଲୋସପି ବହି ସହିତ ପିନ୍ଧା ପୋଷାକ ମିଳିଥିଲା । ବ୍ୟାଗରେ ଥିବା ଖାତାରେ ଥିବା ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବାରୁ ଯୁବତୀର ପରିଚୟ ମିଳିଥିଲା ।
ପୁଲିସ ସୂଚନା ଦେଇଛି ଯେ, ମୃତ ଛାତ୍ରୀଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବୁନେ୍ଦଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ(୨୧) । ସେ ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ (କଳା)ରେ ପଢ଼ୁଛନ୍ତି । ସେ ଫିଲୋସୋଫି ଅନର୍ସ ନେଇଥିଲେ । ସାଙ୍ଗର ଜନ୍ମ ଦିନ ଥିବାରୁ ଝରାଫୁଲ ୨୪ ତାରିଖ ଦିନ ଭୁବନେଶ୍ୱର ଆସିଥିଲେ । ୨୬ ତାରିଖ ଦିନ ସାଙ୍ଗର ବାପା ଚକ୍ରଧର ବେହେରା ଝରାଫୁଲକୁ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଝାଡେ଼ଶ୍ୱର ନାମକ ଯାତ୍ରୀବାହୀ ବସ୍ରେ ଯଶିପୁର ପଠାଇଥିଲେ । ମାତ୍ର ଗତକାଲି ସେ ଘରେ ପହଞ୍ଚିନଥିଲେ । ଝରାଫୁଲ ନପହଞ୍ଚିବାରୁ ରମାକାନ୍ତ ଅପରାହ୍ଣ ୩ଟା ବେଳେ ତାଙ୍କ କଥା ହୋଇଥିଲେ । ସେ ପହଞ୍ଚିବେ ବୋଲି କହିଥିଲେ । ପୁଣି ଚାରିଟା ବେଳେ କଥା ହୋଇଥିଲେ । ଏହାପରେ ଫୋନ ସୁଇଚ୍ ଅଫ ହୋଇଯାଇଥିଲା । ଝରାଫୁଲର ସାନ ଭାଇ ରାତିରେ ମେସେଜ କରିଥିଲେ । ବ୍ୟସ୍ତ ହେବନି ମୁଁ ରାତି ୧୨ଟାରେ ପହଞ୍ଚିଯିବି ବୋଲି ଝରାଫୁଲ ମେସେଜ୍ କରିଥିବା ତାଙ୍କ ଭାଇ ପ୍ରକାଶ କରିଛନ୍ତି । ଝାଡେ଼ଶ୍ୱର ବସ୍ର କଣ୍ଡକ୍ଟର ପୁଲିସକୁ କହିଛି ଯେ, ଯୁବତୀଜଣକ ବସ୍ରେ ଆସିଥିଲେ ସତ । କିନ୍ତୁ ତାଙ୍କ ପେଟ କାଟିବାରୁ ସେ ବାଣୀବିହାର ବସ୍ଷ୍ଟାଣ୍ଡରେ ଓହ୍ଲାଇ ପଡ଼ିଥିଲେ । ଝରାଫୁଲଙ୍କ ବାପା ଓ ମାଆ କୁଆଖିଆ ଥାନାରେ ପହଞ୍ଚି ଝିଅକୁ କେହି ହତ୍ୟା କରିବା ପରେ ଏଠାରେ ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ।
ସେପଟେ ପୁଲିସ୍ ତଦନ୍ତରୁ ଜଣାପଡିÿଛି ଯେ, ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳର ଜଣେ ଯୁବକଙ୍କ ସହ ଯୁବତୀଙ୍କ ନିବିଡ଼ ସମ୍ପର୍କ ଥିଲା । ଯୁବକଜଣକଙ୍କ ବୟସ ପ୍ରାୟ ୨୧ ବର୍ଷ ହେବ । ସେ ରମାଦେବୀ କଲେଜ ପାଖରେ ମିସ୍ତ୍ରୀ ଭାବେ କାମ କରୁଥିଲେ । ଆଜି ହତ୍ୟାକାଣ୍ଡ ପରଠୁ ସୁନ୍ଦରପଦାସ୍ଥିତ ଘରେ ଯୁବକଜଣକ ନଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି । ଯାହାକି, ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ପୁଲିସର ସନେ୍ଦହକୁ ଅଧିକ ଘନୀଭୂତ କରୁଛି । ମାମଲାକୁ ନେଇ ତଦନ୍ତକାରୀ ଟିମ୍ ପକ୍ଷରୁ କମିଶନରେଟ୍ ପୁଲିସ ସହ ଯୋଗାଯୋଗ କରାଯାଇ ନାହିଁ ବୋଲି ଜୋନ୍-୧ ଏସିପି ବିଷ୍ଣୁ ପାତ୍ର ସୂଚନା ଦେଇଛନ୍ତି ।
ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଯେ, ଛାତ୍ରୀଜଣକ ୨୦୨୦ ମସିହା ମାର୍ଚ୍ଚରୁ ହଷ୍ଟେଲରୁ ବାହାରି ଘରକୁ ଯାଇଛନ୍ତି । କୋଭିଡ୍ କଟକଣା ପରଠୁ କେବଳ ତୃତୀୟ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ରହିଛି । ତେଣୁ ଛାତ୍ରୀଜଣକ ସେବେଠୁ ହଷ୍ଟେଲକୁ ଫେରିନାହାନ୍ତି । ଶିକ୍ଷାନୁÂାନ କିମ୍ବା ହଷ୍ଟେଲ ପରିସରରେ କୌଣସି ପ୍ରକାର ଅଘଟଣ ଘଟିନି । ଏଥିଯୋଗୁଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁଲିସ ନିକଟରେ କୌଣସି ମାମଲା ଦିଆଯିବନି ।
ପୁଲିସ ମୃତ ଦେହ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨, ୨୦୧ରେ ମାମଲା ରୁଜୁ କରି ମୃତୁ୍ୟର ରହସ୍ୟ ଉନ୍ମୋଚନ ପାଇଁ ଛାନଭିନ୍ ଜାରି ରଖିଛି । ସିସି କ୍ୟାମେରା ଫୁଟେଜରୁ ପୁଲିସ ଜାଣିବାକୁ ପାଇଛି, ଯୁବତୀଙ୍କୁ ଦୁଇ ଜଣ ଯୁବକ ଏକ ସ୍କୁଟିରେ ନେଉଥିଲେ । ସ୍କୁଟି ଚଳାଉଥିବା ବ୍ୟକ୍ତି ମୁଣ୍ଡରେ ହେଲ୍ମେଟ୍ ପିନ୍ଧିଥିଲେ । ଅନ୍ୟଜଣେ ଯୁବତୀଙ୍କୁ ମଝିରେ ଧରି ପଛରେ ବସିଥିଲେ । ସ୍କୁଟିରେ ବୋହୁଥିବା ୨ ଯୁବକ ହିଁ ହତ୍ୟାକାରୀ ବୋଲି ପୁଲିସ ସନେ୍ଦହ କରୁଛି । ଝରାଫୁଲ ଭୁବନେଶ୍ୱରରୁ କୁଆଖିଆ ଥାନା ଅଞ୍ଚଳକୁ କିପରି ଆସିଲା? ତାଙ୍କୁ କେଉଁଠି ହତ୍ୟା କରାଗଲା? କାହିଁକି ହତ୍ୟା କରାଗଲା? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । କୁଆଖିଆ ଥାନାଧିକାରୀ ଶ୍ରୀ ସ୍ୱାଇଁ ବ୍ୟବଚ୍ଛେଦ ରିପୋର୍ଟରୁ ମାମଲାରୁ କିଛି ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଶା ରଖିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାଉରୀବନ୍ଧୁ ବେହେରା, ଯାଜପୁର ରୋଡ୍ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଘଟଣା ସ୍ଥଳରେ ତଦନ୍ତ କରିଛନ୍ତି ।


Comments are closed, but trackbacks and pingbacks are open.