ଜଗତପୁର, (ବି.ବି.ନୁ୍ୟଜ): କଟକରେ ବର୍ଷ ବର୍ଷ ଧରି ବ୍ୟାପିଥିବା ଏକ ବିରାଟ ନକଲି ସାମଗ୍ରୀର ସାମ୍ରାଜ୍ୟ ଭୁଶୁଡିବା ଆରମ୍ଭ କରିଛି । ବହୁ ବିଳମ୍ବରେ ଜିଲ୍ଲା ପ୍ରଶାସନ, କମିସନରେଟ୍ ପୁଲିସ ଓ ସିଏମ୍ସିର ଚଢଉ ଫଳରେ ଏବେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନକଲି କାରବାରର ପର୍ଦ୍ଧାଫାସ ହେଉଛି । ରାତି ପାହିଲେ ସହର ଓ ଏହାର ଆଖପାଖ ଅଞ୍ଚଳରେ କେଉଁଠି ନା କେଉଁଠି ନକଲି କାରଖାନା କି ଗୋଦାମ ଠାବ ହେଉଛି । ସେହି କ୍ରମରେ ଆଜି ସକାଳେ ଜଗତପୁରରେ ଏକ ନକଲି ସିମେଣ୍ଟ ଗୋଦାମ ଠାବ ହୋଇଥିଲା ବେଳେ ସଂଜରେ କଟକ ସହର ନେତାଜୀ ନଗରଠାରେ ଥିବା ଏକ ନକଲି ସସ୍ କାରଖାନା ଧରାପଡିଛି । ଉଭୟ ଜାଗାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଥିଲା ବେଳେ ସିମେଣ୍ଟ ଗୋଦାମ ମ୍ୟାନେଜର୍ ଓ ସସ୍ କାରଖାନା ମାଲିକ ଗିରଫ ହୋଇଛନ୍ତି ।
ଗତ ୧୯ ତାରିଖରେ ଶିଳ୍ପାଞ୍ଚଳରୁ ଭେଜାଲ୍ ସୋୟାବିନ୍ କାରଖାନା ଠାବ ହେବା ଘଟଣାର ମାତ୍ର ଦୁଇ ଦିନ ବିତିନଥିବା ବେଳେ ମଙ୍ଗଳବାର ଜଗତପୁରଠାରେ କଟକ-ଚାନ୍ଦବାଲି ରାସ୍ତାର ଅଲଟ୍ରା ଲେନ୍ ସମ୍ମୁଖରେ ରହିଥିବା ଅମ୍ୱୁଜା ସିମେଣ୍ଟ୍ ଗୋଦାମରେ ନକଲି ସିମେଣ୍ଟ୍ ଠାବ ହୋଇଛି । ଅପମିଶ୍ରଣ ସଂପର୍କରେ ସୂଚନା ପାଇ ଜଗତପୁର ପୁଲିସ ଘଟଣାସ୍ଥଳରେ ତୁରନ୍ତ ଚଢଉ କରିଥିଲେ । ଚଢଉ ସମୟରେ ସେଠାରେ ବିକ୍ରି ପାଇଁ ମହଜୁତ୍ ଥିବା ପ୍ରାୟ ୧୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୨ହଜାରୁ ଅଧିକ ନକଲି ସିମେଣ୍ଟ୍, ହଜାର ବସ୍ତା ନଷ୍ଟ ହୋଇଯାଇଥିବା ସିମେଣ୍ଟ୍, କମ୍ପାନୀ ଲୋଗୋ ଥିବା ଖାଲି ନୂଆ ବସ୍ତା, ନକଲି ସିମେଣ୍ଟ୍ ପ୍ରସ୍ତୁତ ସମୟରେ ବ୍ୟବହାର ସାମଗ୍ରୀ, ନକଲି ସିମେଣ୍ଟ୍ ବୋଝେଇ ଏକ ଟ୍ରକ ଜବତ କରିଛି । ଏଥିସହ ଗୋଦାମ ମ୍ୟାନେଜର ଦେବେଶ ଯୋଶୀକୁ ପୁଲିସ ଗିରଫ କରିବା ସହ ନକଲି ସିମେଣ୍ଟ୍ ପ୍ରସ୍ତୁତରେ ଶ୍ରମିକ ଭାବେ ନିୟୋଜିତ ଥିବା ଦୁଇ ଜଣ ଶ୍ରମିକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରିରଖିଛି ।
ନକଲି ସିମେଣ୍ଟ ପ୍ରସ୍ତୁତି ସଂପର୍କରେ ଜଗତପୁର ଆଇଆଇସି ରବିନ୍ଦ୍ରନାଥ ମେହେର ସୂଚନା ପାଇବା ପରେ ଗୋଦାମ ଉପରେ ନଜର ରଖିଥିଲେ । ଆଜି ସକାଳେ ଗୋଦାମ ଘରୁ ଏକ ଟ୍ରକ ନକଲି ସିମେଣ୍ଟ୍ ବିକ୍ରି ପାଇଁ ପଠାଯାଉଥିବା ଖବର ପାଇ ଆଜି ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା । ଚଢଉ ସମୟରେ ଗୋଦାମ ମ୍ୟାନେଜରକୁ ପଚରାଉଚରା ସମୟରେ ନକଲି କାରବାରର ଠୋସ୍ ପ୍ରମାଣ ପୁଲିସ୍ ପାଇବା ପରେ ତାଙ୍କୁ ଗିରଫ କରିବା ସହ ତଲାସି ଜୋରଦାର କରି ନକଲି ସାମଗ୍ରୀ ଜବତ କରିଥିଲା ।
ସେହିପରି, ମଧୁପାଟଣା ଥାନା ପୁଲିସକୁ ଆଜି ସୂଚନା ମିଳିଥିଲା କି, ନେତାଜୀନଗର ଅଞ୍ଚଳ ତଥା ପଂଚମୁଖୀ ହନୁମାନ ମନ୍ଦିର ପାଖରେ ଏକ ନକଲି ସସ୍ ତିଆରି କାରଖାନା ଚାଲୁଛି । ଅପରାହ୍ନରେ ପୁଲିସ ଓ ସିଏମ୍ସିର ଏକ ଟିମ୍ ଅତର୍କିତ ଭାବେ ସେହି କାରଖାନାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସେଠାରୁ ପ୍ରଚୁର ମାତ୍ରାରେ ପ୍ରସ୍ତୁତ ହୋଇ ରହିଥିବା ଅପମିଶ୍ରିତ ସସ୍ ଜବତ ହୋଇଥିଲା । ଏହି ସସ୍ ଆଳୁ, କଖାରୁ ଓ ଅମୃତଭଣ୍ଡାକୁ ମିଶାଇ ପ୍ରସ୍ତୁତ ହେଉଥିଲା । ସେଥିରେ ଏକ ପ୍ରକାର କେମିକାଲ୍ ଓ ଏସେନ୍ସ(ବାସ୍ନା) ମିଶାଯାଇ ତାହାକୁ ପ୍ୟାକ୍ କରାଯାଉଥିଲା । ଫଳରେ ନକଲିକୁ କେହି ବି ବାରିପାରିବେ ନାହିଁ । ଗଲା କିଛି ବର୍ଷ ହେବ ଏହି ସସ୍ କାରଖାନା ସେଠାରେ ଚାଲୁଥିବା ପୁଲିସ କହିଛି । ଜବତ ହୋଇଥିବା ସସ୍ର ଓ ଅନ୍ୟାନ୍ୟ ଜିିନିଷର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ତେବେ ଗଲା କିଛି ଦିନ ହେବ ନକଲି କାରଖାନା ଉପରେ ଜୋରଦାର ପୁଲିସ ଚଢ଼ଉ ଚାଲିଥିବାରୁ ଏହି କାରଖାନାରେ ସସ୍ ପ୍ରସ୍ତୁତ ବନ୍ଦ ରହିଥିଲା । ଯେଉଁ ପାତ୍ରରେ ସସ୍ ପ୍ରସ୍ତୁତ ହୁଏ ତାହା ସଫା କରି ସେଠାରେ ରଖାଯାଇଥିବା ଦେଖିବାକୁ ମିଳିଛି । ସେହିପରି ସେଠାରେ ଜିରାକୁ ଆଣି ଗୁଣ୍ଡ କରି ପ୍ୟାକିଂ କରି ରଖାଯାଇଥିଲା । ହେଲେ ତାହାର ମଧ୍ୟ କିଛି କାଗଜପତ୍ର ନାହିଁ । ମାତ୍ର କାରଖାନାରେ ପ୍ରସ୍ତୁତ ହୋଇଥିବା ଜିନିଷ ଅସଲି ବୋଲି କାରଖାନା ମାଲିକଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ଜଣାପଡ଼ିଛି । ଏହି ଘଟଣାରେ କାରଖାନାର ମାଲିକଙ୍କୁ ପୁଲିସଙ୍କୁ ଗିରଫ କରିଛି । ମାଲିକଙ୍କ ଘର ଖାନ୍ନଗର ଅଞ୍ଚଳରେ । ଏହି ୟୁନିଟ୍ ବିଷୟରେ ପୁଲିସ ଅଧିକ ଖୋଳତାଡ଼ କରୁଥିବା ବେଳେ ଆସନ୍ତାକାଲି ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ମଧୁପାଟଣା ଥାନା ଅଧିକାରୀ ତୁଷାରକାନ୍ତ ସେଠୀ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.