ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜଗତସିଂହପୁର ସହରରେ କରୋନା ଭୂତାଣୁ ସଂକ୍ରମଣର ଭୟ ଦେଖାଦେଇଛି । ବିଏସ୍ଏଫ୍ର ଜଣେ ଯବାନ ସ୍ଥାନୀୟ ପୁରୋହିତପୁର ସ୍ଥିତ ଭଡ଼ା ଘରେ ନିଜ ପରିବାର ସହ ରହିବା ଏବଂ ଗୋଟିଏ ଦିନ ପରେ ଏସ୍ଭିଏମ୍ କଲେଜ ସ୍ଥିତ ଟିଏମ୍ସିରେ ପହଞ୍ଚିବାକୁ ନେଇ ପ୍ରଶାସନ ଅକଳିଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କାରଣ ଗତକାଲି ରାତିରେ ହିଁ ସଂପୃକ୍ତ ବିଏସ୍ଏଫ୍ ଯବାନଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ତତ୍କାଳ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି ।
ଗତ ୨୪ ତାରିଖରେ ସଂପୃକ୍ତ ବିଏସ୍ଏଫ୍ ଯବାନ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚି ଏକ କାର୍ରେ ସିଧା ପୁରୋହିତପୁର ସ୍ଥିତ ଭଡ଼ା ଘରକୁ ଚାଲି ଆସିଥିଲେ । ନିଜର ପିନ୍ଧା ବସ୍ତ୍ରକୁ ସଫା କରିବା ସହ ସେଦିନ ପରିବାର ସହ ରାତ୍ରିଯାପନ କରିଥିଲେ । କୌଣସି ପ୍ରକାର ସମସ୍ୟା କିମ୍ବା ଅନ୍ୟ କାରଣରୁ ଗତ ୨୫ ତାରିଖ ଦିନ ସେ ନିଜ ଆଡ଼ୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ସଂପୃକ୍ତ ବିଏସ୍ଏଫ୍ ଯବାନଙ୍କୁ ଏସ୍ଭିଏମ୍ କଲେଜ ସ୍ଥିତ ପଞ୍ଜିକରଣ କେନ୍ଦ୍ରକୁ ଯିବାକୁ ପରାମର୍ଶ ଦେଇଥିଲେ । ସେଠାରୁ ସେ କଲେଜକୁ ଆସିବା ପରେ ତୁରନ୍ତ ତାଙ୍କର ସ୍ୱାବ୍ ପୁନଙ୍ଗ କଲେଜରେ ନିଆଯାଇଥିଲା । ସ୍ୱାବ୍ ଦେବା ପରେ ସେ ଏସ୍ଭିଏମ୍ କଲେଜ ସ୍ଥିତ ଟିଏମ୍ସିରେ ରହୁଥିଲେ । ଗତକାଲି ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲେ ସୁଦ୍ଧା ଆଜି ବିଧିବିଦ୍ଧ ଭାବେ ସେ କରୋନା ଆକ୍ରାନ୍ତ ରହିଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା ।
ପୁରୋହିତପୁର ଭଡ଼ା ଘର ସମ୍ମୁଖରେ ଆଜି ପୌର ପ୍ରଶାସନ ପକ୍ଷରୁ ଲଟ୍କା ଝୁଲାଇ ଦିଆଯାଇଛି । ବିଏସ୍ଏଫ୍ ଯବାନଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଘର ଭିତରେ ସଙ୍ଗରୋଧ ହୋଇ ରହିବାକୁ ପରାମର୍ଶ ଦିଆଯାଇଛି । ଏଣେ ପୌର କର୍ତ୍ତୃପକ୍ଷ ପୂରା ଘଟଣା ଉପରେ ସତର୍କ ରହିଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବିଏସ୍ଏଫ୍ ଯବାନଙ୍କ ପ୍ରକୃତ ଘର କାକଟପୁର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ପରିବାର ପୁରୋହିତପୁରରେ ଘର ଭଡ଼ା ନେଇ ରହି ଆସୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଯବାନ୍ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବାହାର ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ଫେରୁଥିବା ଯବାନ୍ କିମ୍ବା ସେନାବାହିନୀ କର୍ମଚାରୀ/ଅଧିକାରୀମାନଙ୍କୁ ଅଧିକ ଦିନ ଟିଏମ୍ସିରେ ରଖାଯିବା ସପକ୍ଷରେ ନାହାଁନ୍ତି । ସେଥିପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଧଶରେ ଯେଉଁଦିନ ଯବାନ୍ମାନେ ଜିଲ୍ଲାରେ ପହଞ୍ଚୁଛନ୍ତିି ସେଇ ଦିନ ହିଁ ସେମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଉଛି । ଗୋଟିଏ ଦିନ ପରେ ଏମାନଙ୍କର ସ୍ୱାବ୍ ରିପୋର୍ଟ ଅଣାଯିବାର ବ୍ୟବସ୍ଥା ହେଉଛି । ଏହାଛଡ଼ା ରିପୋର୍ଟ ନେଗେଟିଭ୍ ଆସିଥିଲେ ସେମାନଙ୍କୁ ସେମାନଙ୍କର ଘରେ ସଙ୍ଗରୋଧ ହୋଇ ରହିବାକୁ ପରାମର୍ଶ ଦିଆଯାଉଛି । ମାତ୍ର ପୁରୋହିତୁପର ଘଟଣାରେ ବିଏସ୍ଏଫ୍ ଯବାନ ନିଜ ଆଡ଼ୁ ପଞ୍ଜିକରଣ କେନ୍ଦ୍ରକୁ ଆସିବା ବଦଳରେ ସିଧା ସଳଖ ନିଜ ଭଡ଼ା ଘରକୁ ଚାଲି ଯାଇଥିବା ଚର୍ଚ୍ଚାର ପରିଧିକୁ ଆସିଛି ।
ବିଏସ୍ଏଫ୍ ଯବାନଙ୍କୁ ମିଶାଇ ଆଜି ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଛି । ଫଳରେ ଜିଲ୍ଲାରେ ମୋଟ୍ ପଜିଟିଭ୍ଙ୍କ ସଂଖ୍ୟା ୨୭୨ରେ ପହଞ୍ଚିଛି । ଏମାନଙ୍କ ଭିତରେ ୧୬୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ଚିହ୍ନଟଙ୍କ ଭିତରେ ଦୁଇ ଜଣ ଜଗତସିଂହପୁର ବ୍ଲକର ମଣ୍ଡାସାହି ଓ ଅଳସୁଧା ପଞ୍ଚାୟତର ରହିଛନ୍ତି । ଜଣଙ୍କର ତେଲେଙ୍ଗାନା(ହାଇଦ୍ରାବାଦ୍) ଓ ଅନ୍ୟ ଜଣଙ୍କର ଦିଲୀ ଲିଙ୍କ୍ ରହିଛି । ହାଇଦ୍ରାବାଦ୍ରୁ ଗଲା ସପ୍ତାହେ ତଳେ ଅଳସୁଧାକୁ ଫେରିଥିଲେ ଦମ୍ପତ୍ତି ଓ ତାଙ୍କର ଜଣେ ଶିଶୁ । ତିନି ଜଣଙ୍କୁ ଥଣ୍ଡା କାଶ ରହିଥିଲା । ଏମାନେ ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥିତ ଟିଏମ୍ସିରେ ରହୁଥିଲେ । ଅସୁସ୍ଥ ରହିଥିବାରୁ ଏମାନଙ୍କର ସ୍ୱାବ୍ ନିଆଯାଇଥିଲା । ଆଜି ସ୍ତ୍ରୀ ଓ ଶିଶୁଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ବେଳେ ୩୦ ବର୍ଷିୟ ପୁରୁଷ ବା ସ୍ୱାମୀଙ୍କ ପଜିଟିଭ୍ ବାହାରିଥିଲା ।
ସେହିପରି ମଣ୍ଡାସାହି ପଞ୍ଚାୟତକୁ ଦିଲ୍ଲୀରୁ ଫେରିଥିଲେ ୩୯ ବର୍ଷର ଜଣେ ଯୁବକ । ପଞ୍ଚାୟତ ସ୍ତରୀୟ ଟିଏମ୍ସିରେ ସେ ରହୁଥିଲେ । ଅପରପକ୍ଷେ ରଘୁନାଥପୁର ବ୍ଲକ ଅଞ୍ଚଳର କୋଲକତା ଫେରନ୍ତା ଜଣେ ଲୋକଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ରହିଛି । ହେଲେ ସଂପୃକ୍ତ ଆକ୍ରାନ୍ତ କୋଲକତାରୁ ଜଗତସିଂହପୁର ଆସିବା ବଦଳରେ ସିଧା ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ସ୍ୱାବ୍ ଦେଇଛନ୍ତି । ସେଠାରେ ହିଁ ପଜିଟିଭ୍ ଆସିବା ପରେ ଅଟକି ରହି ଯାଇଛନ୍ତି ।
ଅନ୍ୟପଟେ ଟିଏମ୍ସିରେ ସଙ୍ଗରୋଧ ଅବଧି ନିୟମକୁ ନେଇ ବିତର୍କ ଆରମ୍ଭ ହୋଇଛି । ସଂଶୋଧିତ ନିୟମ ଅନୁସାରେ ପଞ୍ଚାୟତ ସ୍ତରରେ ଜଣେ ପ୍ରବାସୀ ୭ ଦିନ ପର୍ଯ୍ୟନ୍ତ ଟିଏମ୍ସିରେ ରହିବେ ଓ ଅବଶିଷ୍ଟ ୭ ଦିନ ନିଜ ଘରେ । ହେଲେ ବାଲିକୁଦା ବ୍ଲକ ମୂଳୁଗାଁ ପଞ୍ଚାୟତକୁ ଦିଲ୍ଲୀ ଫେରନ୍ତା ଜଣେ ୨୯ ବର୍ଷର ଯୁବକଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଟିଏମ୍ସିରେ ରଖାଯିବାକୁ ବାଧ୍ୟ କରାଯାଇଛି । ଗତ ୨୧ ତାରିଖରେ ସେ ଦିଲ୍ଲୀରୁ ଆସି ମୂଳୁଗାଁ ସ୍ଥିତ ଦଦରା ସ୍କୁଲ ଟିଏମ୍ସିରେ ରହିଥିଲେ । ଆଜି ତାଙ୍କର ସାତ ଦିନ ପୂରଣ ହେଉଛି । ହେଲେ ଘରକୁ ଯିବାକୁ ଅନୁମତି ମିଳୁନଥିବା ସେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ଟ୍ୱିଟ୍ କରି ଜଣାଇଛନ୍ତି । ଏଥିସହ ସ୍ୱାବ୍ ସଂଗ୍ରହ ନହେବା ଉପରେ ଆପତ୍ତି ଉଠାଇବା ସହ ଟିଏମ୍ସିରେ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରତି ଯତ୍ନ ନିଆଯାଉ ନ ଥିବା ଅଭିଯୋଗ ଆଣିଛନ୍ତି ।


Comments are closed, but trackbacks and pingbacks are open.