ଜଙ୍ଗଲ ପାଖ ଜାହିରାରୁ ନବଜାତ ପୁତ୍ର ଉଦ୍ଧାର

Get real time updates directly on you device, subscribe now.

ବେତନଟୀ,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନାହାଶୋଳ ଗ୍ରାମ୍ୟ ଜାହିରା (ଗ୍ରାମ ଦେବତୀଙ୍କ ପୂଜାସ୍ଥଳୀ) ନିକଟରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ପିଲାଟିକୁ କେହି ପରିତ୍ୟକ୍ତ ଅବସ୍ଥାରେ ପକାଇଦେଇଥିଲା । ନାହାଶୋଳ ଗ୍ରାମର ପୀଥ ମୁର୍ମୁ ନବଜାତ ଶିଶୁର କୁଆଁ କୁଆଁ କ୍ରନ୍ଦନ ଶଦ୍ଦ ଶୁଣି ସନ୍ଦେହରେ ଜାହିରା ଆଡକୁ ଯାଇଥିଲେ । ସେଠାରେ ନବଜାତକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ପିଲାଟି ଜଙ୍ଗଲି ପିମ୍ପୁଡି କାମୁଡ଼ି କ୍ଷତାକ୍ତ କରିଥିବା ଦେଖିବାକୁ ମିଳିଥିଲା । ମାତ୍ର ୨୪ଘଣ୍ଟା ମଧ୍ୟରେ ପିଲାଟି ଜନ୍ମ ନେଇଥିବାର ଅନୁମାନ ହେଉଥିଲା । ପୀଥ ତୁରନ୍ତ ନବଜାତକକୁ ସ୍ଥାନୀୟ ମହିଳାଙ୍କ ସହାୟତାରେ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ସେ ସଙ୍ଗେସଙ୍ଗେ ସ୍ଥାନୀୟ ସମାଜସେବୀ ମହେଶ୍ୱର ମହାନ୍ତି, ସନ୍ତୋଷ ମହାନ୍ତଙ୍କ ସମେତ ଆଶାକର୍ମୀ ହୀରାମଣି ସୋରେନ ଏବଂ ଅଙ୍ଗନୱାଡି କର୍ମୀ ଚିତ୍ତା ହେମ୍ବ୍ରମଙ୍କୁ ଅବଗତ କରିଥିଲେ । ସମସ୍ତଙ୍କ ସହାୟତାରେ ଶିଶୁପୁତ୍ରଟିକୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଡାକ୍ତରଖାନାରେ କଂଗ୍ରେସର ଯୁବ ସଂଗଠକ ରାକେଶ ସିଂ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହିତ ନବଜାତକର ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ପିଲାଟିର ଚିକିତ୍ସା କରାଯାଇ ସୁସ୍ଥ ହୋଇଗଲା ପରେ ତାକୁ ନିୟମ ଅନୁଯାୟୀ ଡାକ୍ତରଖାନା କର୍ତ୍ତୃପକ୍ଷ ଚାଇଲଡ୍ ଲାଇନ ହେପାଜତକୁ ହସ୍ତାନ୍ତରିତ କରିବେ ବୋଲି ଜଣାପଡ଼ିଛି ।
ତେବେ ନବଜାତ ଶିଶୁପୁତ୍ରକୁ କିଏ ଏବଂ କେଉଁ ପରିସ୍ଥିତିରେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ପକାଇ ପଳାଇଲା ତାହା ଏବେ ତଦନ୍ତ ସାପେକ୍ଷ । ସ୍ଥାନୀୟ କୈାଣସି ମହିଳା ନା ବାହାରର କେହି ପ୍ରସବ ପରେ ସେଠାରେ ନବଜାତକକୁ ପକାଇ ପଳାଇଛନ୍ତି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରସୋର ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons