ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦିକୁ ଗୋଟି ପହଣ୍ଡିରେ ବିଜେ କରିଛନ୍ତି । ମଙ୍ଗଳବାର ଆଷାଢ଼ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ମହାପ୍ରଭୁ ଆଡ଼ପ ମଣ୍ଡପରେ ଶୋଭା ପାଉଛନ୍ତି । ବିଳମ୍ବିତ ରାତିରେ ଶ୍ରୀବିଗ୍ରହଙ୍କ ରୁନ୍ଧା ନୀତି ସମ୍ପନ୍ନ ହୋଇଛି । କରୋନା କଟକଣା ଯୋଗୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀବିଗ୍ରହଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ । ଶ୍ରୀଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଏହା ମଧ୍ୟକୁ ଅଣସ୍ୱୀକୃତ ଲୋକଙ୍କୁ ପ୍ରବେଶ ମନା ହୋଇଛି ।
ଆଜି ରଥାରୁଢ଼ ଶ୍ରୀଜିଉଙ୍କ ସମସ୍ତ ନୀତି ଶେଷ ହେବା ପରେ ସନ୍ଧ୍ୟା ୫ଟା ୩୫ ମିନିଟ୍ରେ ପହଣ୍ଡି ପାଇଁ ପୁଷ୍ପାଞ୍ଜଳି ବଢ଼ିଥିଲା । ତା ପରେ ପହଣ୍ଡି ନୀତି ଆରମ୍ଭ ହୋଇ ରାତି ସାଢେ଼ ୯ଟା ସୁଦ୍ଧା ଶେଷ ହୋଇଥିଲା । ପ୍ରଥମେ ରାମକୃଷ୍ଣ ତା ପରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ହାତରେ ସେବକମାନେ ପହଣ୍ଡି କରିଥିଲେ ।
ଏହା ପରେ ପର୍ଯ୍ୟାୟ କ୍ରମେ ୫ଟା ୫୫ ମିନିଟ୍ରେ ସୁଦର୍ଶନ, ସନ୍ଧ୍ୟା ସାଢେ଼ ୬ଟାରେ ବଡ଼ଠାକୁର, ସନ୍ଧ୍ୟା ୭ଟା ୨୫ ମିନିଟରେ ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ୭ଟା ୫୯ ମିନିଟ୍ରେ ନନ୍ଦିଘୋଷ ରଥରୁ ପହଣ୍ଡିରେ ଓହ୍ଲାଇଥିଲେ । ଚାରମାଳ ଉପରେ ଠାକୁରମାନଙ୍କୁ ଟାହିଆ ଲାଗି ହୋଇଥିଲା । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ପହଞ୍ଚିବା ପରେ ଶ୍ରୀବିଗ୍ରହଙ୍କୁ ଜନ୍ମବେଦିରେ ରୁନ୍ଧାନୀତି ସମ୍ପନ୍ନ ହୋଇଥିଲା ।
ଜନ୍ମବେଦିରେ ଅଧିÂିତ ହେବା ପରେ ଦାରୁବ୍ରହ୍ମଙ୍କ ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ ହୋଇ ବିଳମ୍ବିତ ରାତିରେ ରାତି ପହୁଡ଼ ବଢ଼ିଥିଲା । ବୁଧବାର ଠାରୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ଭକ୍ତ ପାଇବେ । କୋଭିଡ୍ କଟକଣା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ବସ୍ଷ୍ଟାଣ୍ଡ ଓ ନୃସିଂହ ମନ୍ଦିର ପାଖରେ ଭକ୍ତଙ୍କୁ ଅବଢ଼ା ଯୋଗାଇ ଦିଆଯିବ । ଏଥିପାଇଁ ସୁପକାର ନିଯୋଗକୁ ଷ୍ଟଲ ପକାଇବାକୁ ଅନୁମତି ମିଳିଛି ।
ସୋମବାର ଅପରାହ୍ଣରେ ତିନି ରଥ ଶରଧାବାଲିରେ ଲାଗିବା ପରେ ପ୍ରଭୁଙ୍କୁ ଶୁଖିଲା ଭୋଗରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ ଲାଗି ହୋଇଥିଲା । ଖଇକୋରା, ଫଳମୂଳ ଭୋଗରେ ପ୍ରଭୁଙ୍କୁ ଆପ୍ୟାୟିତ କରାଯାଇଥିଲା
ବର୍ଷକ ପରେ ପୁଣି ଥରେ ଗୁଣ୍ଡିଚାବାଡିକୁ ବିଜେ କରିଛନ୍ତି ନୀଳାଦ୍ରିନାଥ । ନବଦିନ ଅବସ୍ଥାନ ମଧ୍ୟରେ ମହାପ୍ରଭୁ ତାଙ୍କର ଜନ୍ମବେଦି ଲୀଳା କରିବେ । ଗୁଣ୍ଡିଚାବାଡିକୁ ପହଣ୍ଡି ପୂର୍ବରୁ ଆଦି ଦିନତମାମ ପ୍ରଭୁଙ୍କ ନୀତି ରଥ ଉପରେ ସମ୍ପନ୍ନ ହୋଇଥିଲା । ତିନି ରଥ ଉପରେ ଭୋରରୁ ଠାକୁରଙ୍କ ମଙ୍ଗଳାଳତି, ତଡ଼ପଲାଗି ଓ ଅବକାଶ, ବେଶ ବଢ଼ି ପ୍ରଭୁଙ୍କ ବଲ୍ଲଭ ନୀତି ଆଉ ସକାଳଧୂପ ଅନୁÂିତ ହୋଇଥିଲା ।
ଆଜି ଯାତ୍ରାଙ୍ଗୀ ମହାସ୍ନାନ ବଢ଼ିବା ପରେ ରଥ ଉପରେ ଦ୍ୱିପହର ଧୂପ ସରି ସନ୍ଧ୍ୟାଆଳତି ଆଉ ସନ୍ଧ୍ୟାଧୂପ ଶେଷ ହୋଇଥିଲା । ତିନି ରଥରୁ ଘୋଡ଼ା ଫିଟା ଯାଇଥିଲା । ଏହା ପରେ ଚାରମାଳ ବନ୍ଧାଯାଇ ପହଣ୍ଡି ଆରମ୍ଭ ହୋଇଥିଲ । ଜନ୍ମବେଦିରେ ଠାକୁର ଅଧିÂିତ ହେବା ପରେ ମହାସ୍ନାନ ହୋଇ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଢ଼ି ବଡ଼ସିଂହାର ବେଶ ଆଉ ବଡସିଂହାର ଭୋଗ ସରିଥିଲା । ବିଳମ୍ବିତ ରାତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରଥମ ରାତି ପହୁଡ ନୀତି ସମ୍ପନ୍ନ ହୋଇଥିଲା । ମହାପ୍ରଭୁ ନବଦିନ ଯାତ୍ରା ସାରି ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରାରେ ସିଂହଦ୍ୱାର ଫେରିବେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.