
ପୁରୀ,(ବି.ବି.ନ୍ୟୁଜ୍): ରଥାରୂଢ଼ ଶ୍ରୀବିଗ୍ରହମାନେ ଶୁକ୍ରବାର ସନ୍ଧ୍ୟାରେ ଜନ୍ମବେଦି (ଆଡ଼ପ ମଣ୍ଡପ)ରେ ବିଜେ କରିଛନ୍ତି । ଗୋଟି ପହଣ୍ଡିରେ ଠାକୁରମାନେ ଆସିଥିଲେ । ପହଣ୍ଡି ପରମ୍ପରା ମୁତାବକ ରତ୍ନ ସିଂହାସନକୁ ପ୍ରଥମେ ମଦନମୋହନ ଏବଂ ପରେ ରାମକୃଷ୍ଣ ବିଜେ କରିଥିଲେ । ଘଣ୍ଟ, କାହାଳିର ତାଳେ ତାଳେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସାମନାରେ ତିନି ରଥରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତ ଶରଧାବାଲିରେ ଏହି ଦିବ୍ୟ ପହଣ୍ଡି ଦର୍ଶନ କରିଥିଲେ । ପ୍ରଥମେ ସୁଦର୍ଶନ, ତା ପରେ ବଡଠାକୁର ଶ୍ରୀବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ପହଣ୍ଡି ପରେ ପରେ ରତ୍ନବେଦିରେ ଶ୍ରୀଜିଉମାନଙ୍କୁ ଦଇତାପତି ସେବକ ରୁନ୍ଧା କାର୍ଯ୍ୟ ଶେଷ କରିଥିଲେ ।
ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ବଢ଼ିବା ପରେ ପରେ ତିନି ରଥରୁ ଘୋଡା ଫିଟା ଯାଇଥିଲା । ପହଣ୍ଡି ନିମନ୍ତେ ଚାରମାଳ ବନ୍ଧା ଯାଇଥିଲା । ଏହା ପରେ ପୁଷ୍ପାଞ୍ଜଳି ବଢ଼ି ପ୍ରଭୁ ମଦନମୋହନ ସନ୍ଧ୍ୟା ୬ଟାରେ ସେବକଙ୍କ ହସ୍ତରେ ରଥରୁ ଓହ୍ଲାଇ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ । ଏହା ପରେ ରାମକୃଷ୍ଣଙ୍କୁ ସେବକଙ୍କ ହାତରେ ବିଜେ କରିଥିଲେ ।
ଶରଧାବାଲିର ଭକ୍ତିମୟ ପରିବେଶରେ ସେବକଙ୍କ କାନ୍ଧରେ ପ୍ରଭୁ ସୁଦର୍ଶନ ବିଜେ କରିଥିଲେ ପ୍ରଭୁ ଜନ୍ମଦେବିକୁ । ଠିକ ୬ଟାରେ ସୁଦର୍ଶନଙ୍କ ପହଣ୍ଡି, ୬ଟା ୧୫ ମିନିଟରେ ପ୍ରଭୁ ବଡ଼ଠାକୁର ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ଏହା ପରେ ମା ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ସାତଟା ୩୫ ମିନିଟରେ । ଶେଷରେ ପାଖାପାଖି ରାତି ୮ଟା ୫ ମିନିଟ ବେଳକୁ କଳାଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ମଧ୍ୟରାତ୍ର ସୁଦ୍ଧା ଠାକୁରମାନଙ୍କୁ ଜନ୍ମବେଦିର ଅଧିଷ୍ଠାନ ପର୍ବ ଶେଷ ହୋଇଥିଲା । ଶ୍ରୀବିଗ୍ରହ ଜନ୍ମବେଦିରେ ଅଧିଷ୍ଠିତ ହେବା ପରେ ଆସନ୍ତାକାଲି ମହାପ୍ରଭୁ ଆଡ଼ପ ଅବଢ଼ା ପ୍ରସାଦ ଭକ୍ତମାନେ ପାଇବେ ।
ଶନିବାର ଭୋର ପାଞ୍ଚଟାରୁ ଗୁଣ୍ଡିଚା ମନ୍ଦିର ନୀତି ଦ୍ୱାରଫିଟାରୁ ଆରମ୍ଭ ହେବ । ଦ୍ୱାରଫିଟା ପରେ ଭିତରଶୋଧ, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ସରି ସକାଳ ସାଢ଼େ ୭ଟାରୁ ଏକ ଘଣ୍ଟା ଧରି ପ୍ରଭୁଙ୍କ ସାହାଣମେଲା ଦର୍ଶନ ହେବ । ଏହା ପରେ ସକାଳ ୯ଟାରୁ ଆରମ୍ଭ ହେବ ଅନ୍ୟାନ୍ୟ ନୀତି । ପ୍ରଥମେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ହୋଇ ପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତି ସରି ପୂର୍ବାହ୍ନ ସାଢ଼େ ୧୦ଟାରୁ ମଧ୍ୟାହ୍ନ ବାରଟାରେ ସକାଳ ଧୂପ ବଢ଼ିବ । ତା ପରେ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଭୋଗ ମଣ୍ଡପ ସମ୍ପନ୍ନ ହେବ । ଏହା ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆ ଲାଗା ଲାଗି ପରେ ବେଶ ଶେଷ କରାଯିବ ।
Comments are closed, but trackbacks and pingbacks are open.