ଜଳଧର ହତ୍ୟାକାଣ୍ଡର ପର୍ଦ୍ଧାଫାସ

Get real time updates directly on you device, subscribe now.

କବାଟବନ୍ଧ,(ବି.ବି.ନୁ୍ୟଜ): ଚଳିତ ମାସ ୭ତାରିଖ ଅପରାହ୍ଣରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଧାଫାସ କରିଛି ଜେନାପୁର ପୁଲିସ । କିଆ ବୁଦା ମୂଳେ ପଡ଼ିଥିବା ଜଳଧର ଜେନା(୫୫)ଙ୍କ ମୃତଦେହର ରହସ୍ୟ ଖୋଜିଖୋଜି ପୁଲିସ କଟକରେ ପହଞ୍ଚିଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାଜିଥିବା ମର୍ଜିତାପୁର(ନୂଆସାହି)ର ଭିକାରୀ ଦାସ(୪୯) ଏବଂ ତାଙ୍କ ପୁଅ ସନ୍ତୋଷ ଦାସ(୨୯)କୁ ପୁଲିସ କଟକ ବାଦାମବାଡ଼ିରୁ ଗିରଫ କରିବାରେ ସଫଳ ହୋଇଥିଲା । କଟକରୁ ବାରିପଦା ଅଭିମୁଖେ ବାହାରିଥିବା ବାପପୁଅକୁ ବସ୍ ଭିତରୁ ପୁଲିସ କାବୁ କରିବା ପରେ ଘଟଣାର ଗୁମର ଫିଟିଥିଲା । ଜଳଧର ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି ଯାଜପୁର ରୋଡ ଏସ୍ଡିପିଓ ଚିନ୍ମୟ କୁମାର ନାୟକ ଏବଂ ଜେନାପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୁଲିସ ସୂଚନା ମୁତାବକ, ଜଳଧର ଏବଂ ଭିକାରୀଙ୍କ ପରିବାର ଭିତରେ ପୂର୍ବରୁ ଏକାଧିକ ବାର ବିବାଦ ଘଟିଥିଲା । ଚଳିତ ୭ ତାରିଖ ଦିନ ଜଳଧର ଏବଂ ତାଙ୍କ ଭାଇ ମେଘନାଦ ଛେଳି ଚରାଇବା ପାଇଁ ହୁଣ୍ଡା ପଡ଼ିଆକୁ ଯାଇଥିଲେ । ଜଳଧର ଗୋଟେ ଜାଗାରେ ଛେଳି ଚରାଉଥିବା ବେଳେ ମେଘନାଦ ଆଉ କିଛି ଦୂରରେ ଛେଳି ଚରାଉଥିଲେ । ଏହି ସମୟରେ ଭିକାରୀ ଦାସ ବିଲରୁ ଫେରୁଥିଲେ । ପଡ଼ିଆରେ ଜଳଧରକୁ ଏକୁଟିଆ ଦେଖି ଭିକାରୀ ଆକ୍ରମଣର ଯୋଜନା କରିଥିଲା । ହୁଣ୍ଡା ପଡ଼ିଆର ପ୍ରାୟ ୨ଶହ ମିଟର ଦୂରରେ ଥିବା ଦୋକାନରୁ ପୁଅ ସନ୍ତୋଷକୁ ଫୋନ୍ କରି ଡକାଇଥିଲା ଭିକାରୀ । ମାତ୍ର କେଇ ମିନିଟ୍ ଭିତରେ ସନ୍ତୋଷ ବାପାଙ୍କ ନିକଟରେ ପହଞ୍ଚି ଯାଇଥିଲା । ଉଭୟ ବାପପୁଅ ପ୍ରଥମେ ଜଳଧର ସହିତ ପାଟିତୁଣ୍ଡ କରିଥିଲେ । ଉତ୍ତେଜନା ବଢ଼ିବାରୁ ଜଳଧର ଛେଳି ଚରାଇବା ପାଇଁ ଧରିଥିବା ଠେଙ୍ଗାକୁ ନେଇ ଭିକାରୀ ଏବଂ ତାଙ୍କ ପୁଅ ସନ୍ତୋଷ ପ୍ରହାର ଆରମ୍ଭ କରିଦେଇଥିଲେ । ଜଳଧରକୁ ପିଟିପିଟି ମାରିଦେଇଥିଲେ । ଜଳଧରର ମୃତଦେହକୁ ପାଖରେ ଥିବା ଏକ କିଆ ବୁଦା ମୂଳରେ ଫୋପାଡ଼ି ଦେଇ ବାପପୁଅ ସେଠାରୁ ଚମ୍ପଟ ମାରିଥିଲେ । ଅପରାହ୍ଣ ପ୍ରାୟ ଦେଢ଼ଟା ସମୟରେ ଘରକୁ ଫେରିବା ବେଳେ କିଆ ବୁଦା ମୂଳେ ଭାଇ ଜଳଧର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତୁରନ୍ତ ଘରକୁ ଖବର ଦେବା ସହିତ ପୁଲିସକୁ ସୂଚନା ଦେଇଥିଲେ ।
ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଳଧରର ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ଛାନଭିନ ଆରମ୍ଭ କରିଥିଲା । ଜଳଧରକୁ ମାରିବା ପଛରେ ଭିକାରୀ ପରିବାର ହାତ ଥାଇପାରେ ବୋଲି ପରିବାର ଲୋକେ ସନେ୍ଦହ କରିବାରୁ ପୁଲିସ ସେହି ଦିଗରେ ତଦନ୍ତକୁ ତୀବ୍ର କରିଥିଲା । ଭିକାରୀ ତାଙ୍କ ପୁଅ ଘରେ ନଥିବା ବେଳେ ମୋବାଇଲ ସୁଇଚ ଅଫ୍ ଥିବାରୁ ପୁଲିସର ସନେ୍ଦହ ବଢ଼ିଲା । ବାପାପୁଅକୁ ଠାବ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଗଲା । ଯାଜପୁର ରୋଡ ଠାରୁ କଟକ ପର୍ଯ୍ୟନ୍ତ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ପୁଲିସର ନଜର ରହିଲା । ତହିଁପରଦିନ ଅର୍ଥାତ ୮ତାରିଖ ଦିନ ଭାରତ ବନ୍ଦ ଯୋଗୁ ସକାଳ ବେଳା ବସ ଯାତାୟାତ ବନ୍ଦ ଥିଲା । ତେଣୁ ଅପରାହ୍ଣରେ କଟକର ବାଦମବାଡ଼ି ବସଷ୍ଟାଣ୍ଡରୁ ଉଭୟ ବାପପୁଅ ବାରିପଦା ବସ୍ରେ ଯାତ୍ରା କରିବା ନିମନ୍ତେ ଚଢ଼ିଥିଲେ । ବସ୍ ଷ୍ଟାଣ୍ଡରେ ଜଗି ରହିଥିବା ପୁଲିସ ତୁରନ୍ତ ବସ୍ ଭିତରୁ ସେମାନଙ୍କୁ କାବୁ କରିନେଇଥିଲା । ଜଳଧରକୁ ପିଟିଥିବା ଠେଙ୍ଗାକୁ ହୁଣ୍ଡା ପଡ଼ିଆରେ ଲୁଚାଇଥିବା ବାପପୁଅ ଆଜି ତାହାକୁ ପୁଲିସକୁ ହସ୍ତାନ୍ତର କରିଥିଲା । ଜେନାପୁର ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ଜବତ କରିବା ସହିତ ଉଭୟ ବାପପୁଅଙ୍କୁ ହତ୍ୟାକାଣ୍ଡ ମାମଲା(ନଂ-୪୦୭)ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଘଟଣାର ପରଦିନ ଭାରତ ବନ୍ଦ ଯୋଗୁ ଅପରାଧୀ ଦୂରକୁ ଖସିଯିବାରେ ବିଫଳ ହୋଇଥିଲା । ଯାତାୟାତର ସୁବିଧା ନପାଇ ବାପପୁଅ କଟକରେ ଅଟକି ଯାଇଥିବାରୁ ୨୪ଘଣ୍ଟା ଭିତରେ ସେମାନଙ୍କୁ କାବୁ କରିବାରେ ଜେନାପୁର ପୁଲିସକୁ ସହଜ ହୋଇଥିବା କୁହାଯାଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons