
ନୟାଗଡ,(ବି.ବି.ନ୍ୟୁଜ୍): ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ନିକଟ ହରିଡ଼ାବନ୍ଧ ଗ୍ରାମର ୪ଟି ପରିବାରର ପ୍ରାୟ ୩୦ ଲକ୍ଷ ମୂଲ୍ୟର ସମ୍ପତ୍ତି ଜଳିଯାଇଛି । ଏଥିରେ ୯ବଖରା ଚାଳଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଦୁଇଟି ବଳଦ ପୋଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି । ତେବେ ୪ଟି ବଳଦଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇ ଓଡ଼ଗାଁରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନଥିବା ବେଳେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ଏଭଳି ଘଟିଥିବା କୁହାଯାଉଛି ।
ସୋମବାର ରାତିରେ ଲୋକେ ଖାଇପିଇ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ବେଳେ ଶରଣକୁଳ ଥାନା ଅନ୍ତର୍ଗତ ହରିଡ଼ାବନ୍ଧ ଗ୍ରାମର ଲୋକନାଥ ପଲେଇଙ୍କ ଘର ଜଳୁଥିବାର କୌଣସି ବ୍ୟକ୍ତି ଦେଖିବାକୁ ପାଇଥିଲେ । ସେ ପାଟି କରି ଡାକ ପକାଇଥିଲେ ହେଁ ଚାହୁଁ ଚାହୁଁ ନିଆଁ ପଡ଼ୋଶୀ ଗୋପିନାଥ ପଲେଇ, ଜଗନ୍ନାଥ ପଲେଇ ଓ ମଞ୍ଜୁଲତା ପଲେଇଙ୍କ ଘରକୁ ବ୍ୟାପି ଯାଇଥିଲା । ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ଲୋକେ ଘରର କୌଣସି ସାମଗ୍ରୀ ଉଦ୍ଧାର କରି ପାରିନଥିଲେ । ଏପରିକି ସେମାନେ ଗୁହାଳରୁ ଗୋରୁଗାଈଙ୍କୁ ଫିଟାଇବାକୁ ମଧ୍ୟ ସମୟ ପାଇନଥିଲେ । କେବଳ ପିଲାଛୁଆଙ୍କୁ ଧରି ସେମାନେ ଜୀବନ ବିକଳରେ ତୁରନ୍ତ ବାହାରକୁ ବାହାରି ଆସିଥିଲେ । ଚାହୁଁ ଚାହୁଁ ନିଆଁରେ ଚାରିଟି ପରିବାରର ୯ ବଖରା ଘର ଜଳି ଯାଇଥିଲା । ପାଟି ଶୁଣି ଗ୍ରାମବାସୀ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳି ନଥିଲା । ଫଳରେ ଘରେ ଥିବା ସୁନା ଗହଣା, ଟଙ୍କା, ଲୁଗାପଟା, ଧାନ, ଚାଉଳ, ମୁଗ ସମେତ ସମସ୍ତ ସାମଗ୍ରୀ ଜଳିପୋଡ଼ି ଧ୍ୱଂସ ହୋଇ ଯାଇଥିଲା । ଏଥିରେ ୨ଟି ବଳଦ ପୋଡ଼ି ହୋଇ ଗୁହାଳ ଭିତରେ ମୃତ୍ୟୁବରଣ କରିଥିଲେ । ଅନ୍ୟ ୪ଟି ଗାଈବଳଦଙ୍କୁ ଗୁରୁତର ଅବସ୍ଥାରେ କେତେକ ଲୋକ ଉଦ୍ଧାର କରି ବାହାରକୁ ଆଣିଥିଲେ । ଉଦ୍ଧାର ଗୋରୁମାନଙ୍କ ଶରୀରର ଅନେକ ଅଂଶ ନିଆଁରେ ପୋଡ଼ି ଯାଇଛି । ମୃତ୍ୟୁବରଣ କରିଥିବା ୨ଟି ବଳଦ ଗୋପିନାଥଙ୍କର ବୋଲି ଜଣାପଡ଼ିଛି । ତାଙ୍କର ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଥିବା କୁହାଯାଇଛି । ସେହିଭଳି ଗୁରୁତର ଆହତ ହୋଇଥିବା ୪ଟି ଗାଈବଳଦ ଲୋକନାଥଙ୍କର ବୋଲି ଜଣାପଡ଼ିଛି । ତାଙ୍କ ଘରେ ଥିବା ବହୁ ମୂଲ୍ୟବାନ କାଠ ସାମଗ୍ରୀ ନିଆଁରେ ଜଳିଯାଇଛି । ଯାହାର ମୂଲ୍ୟ ପ୍ରାୟ ୮ଲକ୍ଷରୁ ଅଧିକ ହେବ ବୋଲି ପ୍ରାଥମିକ ଆକଳନରୁ କଣାପଡ଼ିଛି । ସମସ୍ତଙ୍କର କ୍ଷୟକ୍ଷତି ମିଶିଲେ ପ୍ରାୟ ୩୦ଲକ୍ଷ ଟପିଯିବ ବୋଲି କ୍ଷତିଗ୍ରସ୍ତ ଲୋକେ ପ୍ରକାଶ କରିଛନ୍ତି । ନିଆଁ ଲାଗିବା ପରେ ଗ୍ରାମର ଯୁବକମାନେ ଫୋନ୍ କରି ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ । ନଚେତ୍ ଆହୁରି ଅନେକ ପରିବାରର ବହୁ କ୍ଷୟକ୍ଷତି ଘଟିଥାନ୍ତା ବୋଲି ଚର୍ଚ୍ଚା ହେଉଛି । ଖବର ପାଇ ଓଡ଼ଗାଁରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପଢିଆରୀ ବିପନ୍ନ ପରିବାରଙ୍କୁ ଭେଟି ଖାଦ୍ୟ ସାମଗ୍ରୀ ସମେତ ବର୍ଷାରୁ ରକ୍ଷା ପାଇବା ପାଇଁ ଜରିପାଲ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି । ଶରଣକୁଳ ଭିଏଏସ୍ ନୀଳକଣ୍ଠ ଦାଶ ମୃତ ବଳଦଙ୍କ ଶବ ବ୍ୟବଚ୍ଛେଦ କରିବା ସହ ଗୁରୁତର ଆହତ ଗୋରୁଗୁଡ଼ିକର ଚିକିତ୍ସା କରିଛନ୍ତି । କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତିି ।
Comments are closed, but trackbacks and pingbacks are open.