ସିମୁଳିଆ,(ବି.ବି.ନ୍ୟୁଜ୍): କେନ୍ଦ୍ରପଡ଼ା ଜିଲ୍ଲାର ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କ କେଳେଙ୍କାରୀ ଘଟଣାର ପର୍ଦ୍ଦାଫାସ ହେଲା । ସାରଥି ଜେଲ ଗଲେ । ହେଲେ ଗତକାଲି ରାତିରେ ସିମୁଳିଆ ବ୍ଲକ୍ ଜାମୁଝାଡ଼ି ପଞ୍ଚାୟତର ଜଣେ ପୁରୁଣା ଭକ୍ତ ସାରଥି ଫଟୋ ରଖି ଉତ୍ସବ ଆୟୋଜନ କରିଥିଲେ । ତେବେ ଉତ୍ସବ ସ୍ଥଳରେ ଗ୍ରାମବାସୀ ପହଞ୍ଚି ଏହାର ବିରୋଧ କରିଥିଲେ । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ଉତ୍ସବକୁ ବନ୍ଦ କରିଥିଲା ।
ଘଟଣାରୁ ପ୍ରକାଶ, ସ୍ଥାନୀୟ ଥାନା ଅନ୍ତର୍ଗତ ଜାମୁଝାଡ଼ି ପଞ୍ଚାୟତ ଜାମୁଝାଡ଼ି ଗ୍ରାମର ଉତ୍ତମ କୁମାର ସାହୁ ସାରଥି ଭକ୍ତ । ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳରେ ସାରଥିଙ୍କ ଭକ୍ତ ସୃଷ୍ଟି କରିବା ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରୁଥିଲେ । ସାରଥି ଗିରଫ ହେବା ପରେ ମଧ୍ୟ ସେ ନିଜ ଘରେ ତାଙ୍କ ଫଟୋ ରଖି ପୂଜା କରୁଥିଲେ । ସାରଥି ଜେଲକୁ ଯିବା ଏବଂ ସମସ୍ତ କଳା କାରନାମା ପଦାକୁ ଆସିବା ପରେ ଉତ୍ତମ ଉତ୍ସବ ଓ ସଭା ସମିତି ବନ୍ଦ କରିଦେଇଥିଲେ । ତେବେ ଗତକାଲି ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ । ସାରଥି ଫଟୋ ରଖି ପୂଜା, ପ୍ରାର୍ଥନା ଚାଲିିଥିଲା । କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ, ବାଲେଶ୍ୱର ଏବଂ ଆଖ ପାଖ ଅଞ୍ଚଳର ଭକ୍ତମାନେ ଧଳା ଲୁଗା ପିନ୍ଧି ବେକରେ ହଳଦିଆ ଗାମୁଛା ପକାଇ ସଭାରେ ଯୋଗଦେଇଥିବା ଦେଖି ସ୍ଥାନୀୟ ଲୋକେ ଉତ୍କ୍ଷିପ୍ତ ହୋଇଥିଲେ । ଏହାର ତୀବ୍ର ବିରୋଧ ମଧ୍ୟ କରିଥିଲେ । ଧୀରେ ଧୀରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସକୁ ମଧ୍ୟ ଖବର ଦିଆଯାଇଥିଲା । ରାତି ପ୍ରାୟ ୯ଟା ୩୦ରେ ସିମୁଳିଆ ପୁଲିସ ସେଠାରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରି ପ୍ରାର୍ଥନା ସଭା ବନ୍ଦ କରିଥିଲା । ଏଭଳି କାର୍ଯ୍ୟକ୍ରମର ଆୟୋଜକ ଆଉ କେବେ କରିବେ ନାହିଁ ବୋଲି ଉତ୍ତମ ପୁଲିସକୁ କହିଥିବାର ସୂଚନା ମିଳିଛି ।
Comments are closed, but trackbacks and pingbacks are open.