ବଲାଙ୍ଗୀର,(ବି.ବି.ନ୍ୟୁଜ୍): କାଗଜପତ୍ରରେ ଚାଲିଥିଲା ବ୍ୟବସାୟ । ଜାଲ ନଥିପତ୍ର ପ୍ରସ୍ତୁତକରି ୧୨ କୋଟି ୮୪ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିଲେ ଟିଟିଲାଗଡ଼ର ତୀର୍ଥଙ୍କର(ପପୁ) ପଟେଲ । ଏନେଇ ଅଭିଯୋଗ ପାଇବା ପରେ ବାଣିଜ୍ୟ ଓ ଦ୍ରବ୍ୟ ସେବାକର ବିଭାଗ ଗତ ଗୁରୁବାର ପପୁଙ୍କୁ ଗିରଫ କରିଥିଲା । ପପୁ ଗିରଫ ହେବାପରେ ତାଙ୍କ କଳା କାରବାର ନେଇ ତନାଘନା ଆରମ୍ଭ ହୋଇଛି । ପପୁ ସ୍ରାପ୍ ବ୍ୟବସାୟ ଦେଖାଇଥିବା ବେଳେ ବିଭିନ୍ନ ଖଣି ମାଫିଆଙ୍କ ତାଙ୍କ କି ସମ୍ପର୍କ ରହିଛି ତାହାର ତଦନ୍ତ ଚାଲିଛି । ପପୁ କେବଳ ଓଡ଼ିଶା ନୁହେଁ ବରଂ ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ, ତାମିଲନାଡ଼ୁ ଭଳି ବାହାର ରାଜ୍ୟର ଅନେକ ଖଣି ମାଫିଆଙ୍କ ସହିତ ସଂପୃକ୍ତ ରହି ଦୀର୍ଘଦିନରୁ ଏଭଳି କାରବାର ଚଳାଇଆସିଥିବା ବେଳେ କଳା ଟଙ୍କାକୁ ଧଳା କରିବା ପାଇଁ ଜାଲ ଫାର୍ମ ପ୍ରସ୍ତୁତକରି କାଗଜ ଚାଷ କରିଥିବା ସାମ୍ନାକୁ ଆସିଛି । ସେ ଅନେକ ଅନାମଧ୍ୟେୟ କମ୍ପାନୀ ଖୋଲିବା ପରେ ତା’ମାଧ୍ୟମରେ ମୋଟା ଅଙ୍କର କାରବାର କରିଥିବା ବିଭାଗୀୟ ସୂତ୍ରରୁ ଜାଣିବାକୁ ମିଳିଛି ।
ଅପରପକ୍ଷେ ଗତକାଲି ବିଭାଗୀୟ ଅଧିକାରୀମାନେ ତାଙ୍କୁ ଜେରାକରିବା ସମୟରେ ସେ କାହାକାହାକୁ କେତେ ଟଙ୍କାର ବଟି/ହାତଗୁଞ୍ଜା ଦେଉଥିଲେ ସେନେଇ ତଥ୍ୟ ଓଗାଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେହିଭଳି ପପୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ କେଉଁ କେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି । କେଉଁକେଉଁ ବ୍ୟବସାୟୀଙ୍କ ସହିତ ପପୁଙ୍କ ପାର୍ଟନସ୍ିପ ରହିଥିଲା, କାରବାରରେ ବ୍ୟବହୃତ ହୋଇଥିବା ବିଭିନ୍ନ ଜିଏସଟି ନମ୍ବର ଏବଂ ସାମଗ୍ରୀ କିଣାବିକା କରିଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକ ସମ୍ପର୍କରେ ତଦନ୍ତ ଚାଲିଛି ।
ମିଳିଥିବା ସୂଚନା ଅନୁସାରେ, ପପୁ ଦୀର୍ଘଦିନରୁ ଏଭଳି ଖଣିଜ ସାମଗ୍ରୀ ଚାଲାଣ କରିଆସୁଥିଲେ । ଗତ ୨୦୧୭ ମସିହାରେ ସେ ଟିଟିଲାଗଡ଼ ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଆଣ୍ଡ ମିନେରାଲ୍ସ ନାମରେ ଏକ କମ୍ପାନୀ(ଜିଏସଟି ନମ୍ବର ସହିତ) ଖୋଲିଥିଲେ । ଉକ୍ତ କମ୍ପାନୀ ମାଧ୍ୟମରେ ସେ କୋଟି କୋଟି ଟଙ୍କାର ସ୍କ୍ରାପ ଲୁହା କିଣିଥିବା ଏବଂ ବିକ୍ରି କରିଥିବା ଦର୍ଶାଇଛନ୍ତି । ତେବେ ପପୁ ଟିଟିଲାଗଡ଼ରୁ ଏତେ ମାତ୍ରାରେ ଲୁହା/ସ୍କ୍ରାପ ପରିବହନ କରିଥିବା ବେଳେ ତାହା କେଉଁ ବ୍ୟବସାୟୀଙ୍କଠାରୁ କିଣାଯାଇଛି । ବାସ୍ତବରେ ସେଭଳି କମ୍ପାନୀ ରହିଛି ନା ନକଲି କମ୍ପାନୀ ପ୍ରସ୍ତୂତ କରାଯାଇଛି ତାହାର ଏବେ ତଦନ୍ତ ଚାଲିଛି । ଏହାବାଦ୍ ପପୁ ଜିଲ୍ଲାର ଉତ୍ତୋଳନ ବନ୍ଦ ରହିଥିବା ବିଭିନ୍ନ ଖଣିରୁ ଖଣିଜ ପଦାର୍ଥଗୁଡ଼ିକର ନମୂନା ସଂଗ୍ରହ କରି ବାହାର ରାଜ୍ୟକୁ ପଠାଉଥିବା ବିଭାଗୀୟ ଅଧିକାରୀମାନେ ସୂଚନା ପାଇଛନ୍ତି । ବାହାର ରାଜ୍ୟର ଖଣି ମାଫିଆମାନେ ଉକ୍ତ ଖଣିଜ ସାମଗ୍ରୀର ଗୁଣବତ୍ତା ଆକଳନ କଲା ପରେ ସେମାନଙ୍କୁ ବଲାଙ୍ଗୀର ଡ଼କାଯାଉଥିଲା । ସେମାନେ ଏଠିକି ଆସି ଖଣିଗୁଡ଼ିକର କ୍ଷେତ୍ର ପରିଦର୍ଶନ କରୁଥିଲେ । ଶେଷରେ ପପୁ ସେହି ବନ୍ଦ ଖଣିଗୁଡ଼ିକରୁ ଉକ୍ତ ଖଣି ମାଫିଆଙ୍କ ଜରିଆରେ ଖଣିଜ ଉତ୍ତୋଳନ କରାଇ ଚୋରାଚାଲଣରେ ସାହାଯ୍ୟ କରାଯାଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । ଉଦାହରଣସ୍ୱରୂପ, ଟିଟିଲାଗଡ଼ ଉପଖଣ୍ଡର ସଇଁନ୍ତଳା ନିକଟସ୍ଥ ଭାଲୁପାଲି ଅଞ୍ଚଳରେ ଥିବା ବନ୍ଦ ଖଣିରୁ ଅନେକ ମାତ୍ରାରେ ଗେଲେନ, ସୋନପୁର ଜିଲ୍ଲାର କେତେକ ବନ୍ଦ ଖଣିରୁ କ୍ୱାଡ଼ଜାଇଟ, ଗଡ଼ଶଙ୍କର ଡୁଙ୍ଗୁରିପାଲି ଅନ୍ତର୍ଗତ ଭାଲୁଡୁଙ୍ଗୁରିରୁ ମାଙ୍ଗାନିଜ ଆଦି ଖଣିଜ ପଦାର୍ଥ ଚାଲାଣରେ ମଧ୍ୟ ସହଯୋଗ କରୁଥିଲେ । ଏହାବାଦ୍ ରାଜ୍ୟ ବାହାରର କେତେକ ଖଣିରେ ମଧ୍ୟ ସେ କାରବାର କରୁଥିବା ଜାଣିବାକୁ ମିଳିଛି ।
ପ୍ରକାଶ ଯେ, ଶ୍ରୀ ପଟେଲ କୌଣସି ଜିନିଷ କିଣାବିକା ନକରି ଜାଲ କାଗଜ ମାଧ୍ୟମରେ ୮୪ କୋଟି ୬୮ ଲକ୍ଷ ଟଙ୍କାର ଜିନିଷ କିଣା ଯାଇଥିବା ଦର୍ଶାଇଥିବା ବେଳେ ୮୪କୋଟି ୭୧ ଲକ୍ଷ ଟଙ୍କାର ବିକ୍ରି ରିଟର୍ଣ୍ଣରେ ଦେଖାଇଥିଲେ । ଏସବୁର ରିଟର୍ଣ୍ଣ ଦାଖଲ ହେବା ପରେ ବାଣିଜ୍ୟ ଓ ଦ୍ରବ୍ୟ ସେବାକର ବିଭାଗର ଇଣ୍ଟେଲିଜେନ୍ସ ଇନପୁଟରୁ ଶ୍ରୀ ପଟେଲ ୧୨. ୮୪ କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ବିଭାଗ ଜାଣିବାକୁ ପାଇଥିଲା । ଆଶ୍ଚର୍ଯ୍ୟର ବିଷୟ, ଶ୍ରୀ ପଟେଲ ସ୍କ୍ରାପ୍ ଲୁହା ବିକ୍ରି କରିଥିବା ରିପୋର୍ଟରେ ଦର୍ଶାଇଥିବା ବେଳେ ପରିବହନ ପାଇଁ ଯେଉଁ ନମ୍ବର ଗୁଡ଼ିକ ଦେଇଛନ୍ତି ସେସବୁ ମଧ୍ୟ ଜାଲ ବୋଲଇ ଜଣାପଡ଼ିଛି । ଉକ୍ତ ନମ୍ବର ଗୁଡ଼ିକର ଯାଞ୍ଚ ପରେ ତାହା କୌଣସି ମାଲବାହୀ ଗାଡ଼ି ନୁହେଁ ବରଂ, ଦୁଇ ଚକିଆ ଯାନ, ଯାତ୍ରୀବାହୀ ବସ, କ୍ରେନ ଓ କାର ଆଦିର ନମ୍ୱର ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.