କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ରବିବାର କୋଟିଆ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସହିତ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ବିଡ଼ିଓ କରୁଣାକର ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଓ ଆରଡ଼ି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ପ୍ରଥମେ ବିଭିନ୍ନ ଉନ୍ନୟନ କାମ ପରିଦର୍ଶନ କରିଥିଲେ । ପରେ କାମଗୁଡିକର ସମୀକ୍ଷା କରିଥିଲେ । ଅଞ୍ଚଳରେ ଚାଲିଥିବା ସରକାରୀ ଗୃହଗୁଡିକର ନିର୍ମାଣ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିଲେ । କୋଟିଆ ସଦର ସହିତ ତଳଗଞ୍ଜେଇପଦର, ଉପରଗଞ୍ଜେଇପଦର, ଥୁରିଆ ଆଦି ଗାଁରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମ ପରିଦର୍ଶନ କରିଥିଲେ । ମାଡ଼କାର ନଦୀ ପର୍ଯ୍ୟନ୍ତ ଯାଇ ରାସ୍ତାର ଉନ୍ନତି ଓ ମାଡ଼କାର ପୋଲ ନିର୍ମାଣ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ସୂଚନା ଅନୁସାରେ, ସରକାର ଦେଢ଼ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ କୋଟିଆରେ କରୁଛନ୍ତି । ଏଥିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଛାତ୍ରୀ ନିବାସ, ଡାକ୍ତରଖାନା ଗୃହ ରହିଛି । ଅନ୍ୟପକ୍ଷରେ ଏଠାରେ ବିଭିନ୍ନ ରାସ୍ତା କାମ ଏବେ ବନ୍ଦ ରହିଛି । ମାଡ଼କାର ରାସ୍ତା, କୋଟିଆ-ଉପରସେମ୍ବି, ବ୍ରିଟିଶ ରୋଡ କାମ ମଧ୍ୟ ଧୀମେଇ ଯାଇଛି । ସେହିପରି, କୋଟିଆରୁ ମାଡ଼କାର ନଦୀ ଦେଇ ଫଗୁଣ ସିନେରୀ ରାସ୍ତାକାମ ଅଧାରେ ଅଟକିଛି । ଏହି ରାସ୍ତା କାମ ସରି ନଥିବାରୁ ମାଡ଼କାର, ଫାଟୁସିନେରୀ, ହରମାଣ୍ଡିଂ, ବର୍ଣ୍ଣାପାଡ଼ୁ ସଲପଗୁଡ଼ା, ଡେ଼ାଳିଆମ୍ବ ଆଦି ୮ ଖଣ୍ଡ ଗ୍ରାମର ଲୋକେ କୋଟିଆ ପଞ୍ଚାୟିତ ସଦର ମହକୁମାକୁ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି । ଜିଲ୍ଲାପାଳ ରାସ୍ତା ସ୍ଥିତି ନିରୀକ୍ଷଣ କରି ଏହାର ବିକାଶ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ଅନ୍ୟପକ୍ଷେ, ଏଠାରେ ବିଭିନ୍ନ ଉନ୍ନୟନ କାମ ଆରମ୍ଭ ହୋଇଥିବା ବେଳେ ତାଡ଼ିବାଲସାଠାରୁ ପଟ୍ଟାଙ୍ଗି ବ୍ରିଟିଶ ରୋଡ଼, କୋଟିଆ-ସେମ୍ବି, ମାଡ଼କାର-ଫାଟୁସିନେରୀ ରାସ୍ତା ନିର୍ମାଣ କାମ ଏବେ ବର୍ଷା ପାଇଁ ପ୍ରଭାବିତ ହୋଇଛି । ତେବେ କୋଟିଆ ପଞ୍ଚାୟତ ସଦରସ୍ଥିତ କ୍ଲଷ୍ଟର ଗୃହ, ମେଡ଼ିକାଲ ଗୃହ, ସ୍କୁଲ ଗୃହ, ଛାତ୍ରୀ ନିବାସ, ଛାତ୍ରାବାସ ଏବଂ କର୍ମଚାରୀଙ୍କ ବାସଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏ ସମସ୍ତ କାମକୁ ଜିଲ୍ଲାପାଳ ପରିଦର୍ଶନ କରିବା ସହ ବାକି କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି । ଥୁରିଆ ହାଇସ୍କୁଲ ଓ କଲେଜ ଯାଇ ଛାତ୍ରଛାତ୍ରୀଙ୍କ ସମସ୍ୟା ମଧ୍ୟ ଜିଲ୍ଲାପାଳ ବୁଝିଛନ୍ତି ।


Comments are closed, but trackbacks and pingbacks are open.