ନୀଳଗିରି,(ବି.ବି.ନୁ୍ୟଜ): ମୃତୁ୍ୟ ବି ଏମିତି ଆସେ । ଜେଜେବାପାଙ୍କ ଦଶାହକର୍ମ ବେଳେ ପାଣିରେ ବୁଡ଼ି ଉଚ୍ଚ ଶିକ୍ଷିତ ନାତିଙ୍କ ପ୍ରାଣହାନି ଘଟିଛି । ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଧୀନ ବାଲିଗୋହିରୀ ଅଞ୍ଚଳରେ ଘଟିଛି । ମୃତକ ହେଉଛନ୍ତି ସଂଜୀବ କୁମାର ମହାପାତ୍ରଙ୍କ ବଡ଼ପୁଅ ଓଁକାର(୨୦) । ଏ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ବାଲିଗୋହିରୀ ଗ୍ରାମର ଇଂ. ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ ହୋଇଥିବା ବେଳେ ଶୁକ୍ରବାର ତାଙ୍କର ଦଶାହକର୍ମ ଚାଲିଥିଲା । ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଖିଅର ହୋଇ ଗାଧୋଉଥିଲେ । ଏହି ସମୟରେ ତାଙ୍କ ନାତି ଓଁକାର ଗାଡ଼ିଆରେ ବୁଡ଼ ପକାଉଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା । ସେ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ । ପହଁରା ଜାଣି ନଥିବାରୁ ସେ ଆଉ ଆସି ପାରି ନଥିଲେ । ଫଳରେ ଗଭୀର ଜଳ ମଧ୍ୟରେ ସେ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି କରାଯାଇଥିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ନୀଳଗିରି ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ୧୦ ଦିନ ବ୍ୟବଧାନରେ ପରିବାର ଦୁଇ ଜଣ ଚାଲିଗଲେ । ଏହି ଘଟଣା ପରେ ଘର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ।
ସୂଚନାଯୋଗ୍ୟ, ମୃତ ଓଁକାର ଥିଲେ ଜଣେ ମେଧାବୀ ଛାତ୍ର । ତିରୁପତି ସ୍ଥିତ ଆଇଜରରେ ବିଜ୍ଞାନ ଉପରେ ସେ ଗବେଷଣା କରୁଥିଲେ । ୨୦୨୨ରେ ତାଙ୍କର ପଢ଼ା ସରିଥା’ନ୍ତା । ଏହାପରେ ସେ ବୈଜ୍ଞାନିକ ଭାବେ ନିଯୁକ୍ତ ପାଇଥା’ନ୍ତେ । ପରିବାର ଓ ନିଜର ସ୍ୱପ୍ନ ସାକାର କରିବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ । ତାଙ୍କର ଏଭଳି ଅକାଳ ବିୟୋଗରେ ବାପା ସଂଜୀବ ଓ ମାଆ ଚନ୍ଦ୍ରିକା ହତବାକ୍ ହୋଇ ଯାଇଛନ୍ତି ।
Comments are closed, but trackbacks and pingbacks are open.