ବ୍ରହ୍ମପୁର,(ବି.ବି.ନୁ୍ୟଜ): ବ୍ରହ୍ମପୁର ମଙ୍ଗଳବାରମ୍ ପେଟା-୨ ସାହିରେ ଅଙ୍ଗନବାଡି କର୍ମୀ ନମିତା ଦଳାଇ ଆଜି ଜେଲ୍ ଯାଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କର ଜାମିନ୍ ନାମଞ୍ଜୁର କରିବା ପରେ ତାଙ୍କୁ ୧୪ଦିନ ପାଇଁ ବ୍ରହ୍ମପୁର ଜେଲ୍କୁ ପଠାଇଦିଆଯାଇଥିବା ଭିଜିଲାନ୍ସ ଏସ୍ପି ଅନିଲ ପାତ୍ର ସୂଚନା ଦେଇଛନ୍ତି ।
ଏସ୍ପିଙ୍କ ସୂଚନା ଅନୁସାରେ ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ନଗର ୧ମ ଲାଇନ୍ରେ ଥିବା ତିନି ମହଲା ବିଶିଷ୍ଟ କୋଠା, ସେହି ସାହିରେ ହିଁ ଥିବା ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠା, ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ ନାମରେ ଥିବା ଗଣେଶ ନଗର କୋଠା, ଭୁବନେଶ୍ୱର ଗୌତମ ନଗର ଶ୍ରୀଏନ୍କ୍ଲାଭ୍ରେ ଗ୍ରାଉଣ୍ଡ ଫ୍ଲେର୍ରେ ଥିବା ୨ବିଏଚ୍କେ ଫ୍ଲାଟ, ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ତାଙ୍କ ଭଉଣୀଙ୍କ ନାମରେ ଥିବା ଦଳୁଆ ସାହି ଘରେ ଏବଂ ଗଣେଶ ନଗର ଅଙ୍ଗନବାଡି କାର୍ଯ୍ୟାଳୟରେ ଚଢ଼ାଉ କରି ୨.୨୫ କୋଟି ଟଙ୍କାର ସମ୍ପତ୍ତି ଆକଳନ କରାଯାଇଥିଲା । ଆଜି ଆଉ ୬, ୩୩, ୨୬୯ ଟଙ୍କା ବଢ଼ିଥିବା ପ୍ରେସ୍ ବିବୃତିରେ ଦର୍ଶାଯାଇଛି । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମୋଟ ୨, ୩୨, ୨୯, ୯୧୬ ହୋଇଛି । ଏଥିରୁ ୨, ୨୦, ୪୬, ୫୮୫ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୂତ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଅନିଲ କୁମାର ପାତ୍ର ଏକ ପ୍ରେସ୍ବିବୃତିରେ ସୂଚନା ଦେଇଛନ୍ତି । ୩୦ ବର୍ଷ ମଧ୍ୟରେ ଦରମା, ଘରଭଡ଼ା ଓ ଋଣ ବାବଦରେ ତାଙ୍କର ରୋଜଗାର ୭୪, ୬୩, ୧୯୫ ଟଙ୍କା ରହିଥିବା ବେଳେ ୬୨, ୭୯, ୮୬୪ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ହିସାବ ପ୍ରକାରେ ଠାବ ହୋଇଥିବା ସମ୍ପତ୍ତି ଓ ଖର୍ଚ୍ଚ କରିଥିବା ସମ୍ପତ୍ତିର ମୂଲ୍ୟ ମିଶାଇବା ପରେ ସେଥିରୁ ରୋଜଗାର ବିୟୋଗ କରି ୨, ୨୦, ୪୬, ୫୮୫ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୂତ ଆକଳନ ହୋଇଥିବା ସୂଚନା ଦିଆଯାଇଛି ।
ନଭେମ୍ବର ୧୯୯୦ରୁ ୨୨ ଡିସେମ୍ବର ୨୦୨୦ ମଧ୍ୟରେସେ ୭, ୫୩, ୫୭୫ ଟଙ୍କା ଦରମା ପାଇଛନ୍ତି, ଘରଭଡ଼ାରୁ ୩୩, ୯୫, ୫୦୦ ଟଙ୍କା, କାର୍ରୁ ୬, ୩୯, ୦୦୦ ରୋଜଗାର କରିଥିବା ବେଳେ ୧୩ ଲକ୍ଷ ଟଙ୍କା ଘରକାମ ପାଇଁ ଋଣ ଆଣିଛନ୍ତି, କାର୍ ପାଇଁ ୫, ୩୨, ୦୦୦ଟଙ୍କାର ଋଣ, ମନିବ୍ୟାକ୍୍ ଏଲ୍ଆଇସି ପଲିସିରୁ ୩୦ହଜାର ଟଙ୍କା, ଖୋଡ଼ାସିଙ୍ଗିରେ ଜାଗା ବିକ୍ରି କରି ୮, ୧୩, ୧୨୦ଟଙ୍କା ପାଇଛନ୍ତି । ଏଭଳିଭାବେ ମୋଟ ତାଙ୍କର ୭୪, ୬୩, ୧୯୫ ଟଙ୍କା ରୋଜଗାର ରହିଛି । ଭିଜିଲାନ୍ସ ଏସ୍ପି ଅନିଲ ପାତ୍ରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ନମିତା ଦଳାଇ ୧୯୯୦ରୁ ଚାକିରିରେ ଯୋଗ ଦେଇଥିବା ବେଳେ ୨୦୧୮ ପର୍ଯ୍ୟନ୍ତ ୬ହଜାର ଟଙ୍କା ଦରମା ଥିଲା ଏବେ ୭୫୦୦ଟଙ୍କା ମାସିକ ଦରମା ପାଉଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ୨, ୦୧, ୬୧, ୪୫୧ ଟଙ୍କାର ସ୍ଥାବର ଓ ୩୦, ୬୮, ୪୬୫ଟଙ୍କାର ଅସ୍ଥାବର ମୋଟ ୨, ୩୨, ୨୯, ୯୧୬ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛି ।


Comments are closed, but trackbacks and pingbacks are open.