ଜେଲ ଗଲେ ୪ ଶିକାରୀ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ବନ ବିଭାଗ ପକ୍ଷରୁ ରବିବାର ଏକ ବଡ଼ଧରଣର ଧରପଗଡ଼ ହୋଇଛି । କପିଳାସ ଅଭୟାରଣ୍ୟରୁ ଜନ୍ତୁ ଶିକାର କରିବା ନେଇ ୪ ଜର ଶିକାରୀଙ୍କୁ କାବୁ କରିଛି ବନ ବିଭାଗ । ସେମାନଙ୍କଠାରୁ ହରିଣ ଚମଡ଼ା, ଶିଙ୍ଗ ସମେତ ତିନିଟି ଦେଶୀ ବନ୍ଧୁକ ଜବତ ହୋଇଛି । ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ବି ବନବିଭାଗ ହାବୁଡ଼ରେ ପଡ଼ିଛି । ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ୍ଚାଲାଣ କରାଯାଇଛି ।
ଢେଙ୍କାନାଳ ଡିଏଫ୍ଓ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସୂଚନା ଅନୁସାରେ, ଗତ ବିଳମ୍ବିତ ରାତି ପ୍ରାୟ ସାଢେ଼ ୩ଟା ବେଳେ କପିଳାସ ଅଭୟାରଣ୍ୟର କମ୍ପାର୍ଟମେଣ୍ଟ୍ ନଂ-୨୭ରେ ଦୁଇ ଜଣ ଶିକାରୀ ଘୂରି ବୁଲୁଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରାପଡ଼ିଥିଲେ । ଦୁଇ ଶିକାରୀ ଗଁଦିଆ ଥାନା ରମେଇ ଖମାର ଗ୍ରାମର କାମାକ୍ଷା କପିଳେଶ୍ୱର ପିଙ୍ଗୁଆ (୨୨) ଓ ପିର ଭଦ୍ରା (୨୪) ବୋଲି ଜଣାପଡ଼ିଛି । ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୨ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଓ ଏକ ଟର୍ଚ୍ଚ ଲାଇଟ୍ ଜବତ କରାଯାଇଛି ।
ସେହିପରି ଷଡ଼ଙ୍ଗୀ ରେଞ୍ଜ୍ ନିହଲପ୍ରସାଦ ଥାନା ଅନ୍ତର୍ଗତ ଫୁଲିଝର ଗ୍ରାମର ଜାନୁମ୍ ସିଂ କୁଞ୍ଜଲ (୪୬) ଶିକାର ଉଦେ୍ଧଶ୍ୟରେ ଜଙ୍ଗଲରେ ବୁଲୁଥିବା ବେଳେ ତାକୁ ଗିରଫ କରାଯାଇଥିଲା । ଅନ୍ୟ ଏକ ମାମଲାରେ ଗଁଦିଆ ଥାନା ରମେଇଖମାର ପଧାନିଟାଙ୍ଗର ଗ୍ରାମର ଅଶୋକ କୁମାର ନାଥ (୪୪) ଘରେ ଚଢ଼ଉ କରାଯାଇ ୫ଟି ହରିଣ ଚମଡ଼ା, ଚଉଶିଙ୍ଘା ସମ୍ବରର ଦୁଇଟି ଶିଙ୍ଘ, ଗୋଟିଏ ଗୁଳି ଭର୍ତ୍ତି ଦେଶୀବନ୍ଧୁକ, ୯ଟି ଶାଗୁଆନ୍ ବହ୍ଲା, ୨ଟି ଶାଗୁଆନ୍ ଗଣ୍ଡି, ୨୫ଟି ଶାଗୁଆନ୍ ପଟା, ୫୨ଟି ଗମ୍ଭାରୀ ପଟା ଜବତ ହୋଇଥିଲା ।
ଶିକାର ପରେ ହରିଣ ମାଂସ ସ୍ଥାନୀୟ ଅଞ୍ଚଳରେ ବିକ୍ରିବଟା କରୁଥିଲେ ଶିକାରୀ । ଚାହିନ୍ଦା ଯଥେଷ୍ଟ ରହିଥିବାରୁ ହରିଣ ଚମଡ଼ା ଓ ଶିଙ୍ଗ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ବନବିଭାଗ ଜାଣିବାକୁ ପାଇଛି । ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଜନ୍ତୁ ଶିକାର କରିବା ପରେ ପଡୋଶୀ ଯାଜପୁର, କେନ୍ଦୁଝର, ଜଗତସିଂହପୁର ଜିଲ୍ଲାକୁ ଚାଲାଣ କରିଥାନ୍ତି । ଏ ସମ୍ପର୍କରେ ଡିଏଫ୍ଓ ଶ୍ରୀ ଗୋଗିନେନୀ କହିଛନ୍ତି ଯେ, ଜନ୍ତୁ ଶିକାରରେ ଅନେକ ଲୋକ ସଂପୃକ୍ତ ରହିଥିବା ସୂଚନା ମିଳିଛି । ବିଶେଷ କରି ଶୀତଦିନେ ଜନ୍ତୁ ଶିକାରୀମାନେ ସକ୍ରିୟ ହୋଇ ଉଠନ୍ତି । ପର୍ଯ୍ୟାୟକ୍ରମେ ଚଢ଼ାଉ କରାଯାଇ ଜଙ୍ଗଲରୁ ଶତ ପ୍ରତିଶତ ଜନ୍ତୁ ଶିକାର ଲୋପ କରାଯିବାକୁ ଆମର ଟାର୍ଗେଟ୍ ରହିଥିବା ଡିଏଫ୍ଓ ପ୍ରକାଶ କରିଛନ୍ତି ।
ଡିଏଫ୍ଓ ଶ୍ରୀ ଗୋଗୀନେନୀ, ଏସିଏଫ୍ ରଶ୍ମୀରଂଜନ ସ୍ୱାଇଁଙ୍କ ନିଦେ୍ର୍ଧଶକ୍ରମେ ହୋଇଥିବା ଏହି ଚଢ଼ାଉରେ କପିଳାସ ରେଞ୍ଜର ଗୌତମ ପ୍ରଧାନ, ଡେପୁଟି ରେଞ୍ଜର ଗିରୀଶ ନାୟକ, ଫରେଷ୍ଟର ଆଦ୍ୟରଂଜନ ସାହୁ, ବନରକ୍ଷୀ ଗାୟତ୍ରୀ ବେହେରା, ଖଙ୍କିରା ବନପାଳ ରଶ୍ମୀରଂଜନ ଦାସ ପ୍ରମୁଖ ସାମିଲ ଥିଲେ । ଗିରଫ ୪ ଶିକାରୀଙ୍କୁ ବନ୍ୟପ୍ରାଣୀ ଅପରାଧ ଆଇନ୍ ଅନୁସାରେ କୋର୍ଟଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons