ସୋର,(ବି.ବି.ନୁ୍ୟଜ): ଝିଅ ବାହାଘର ପାଇଁ ୬ଟି ଗ୍ରୁପ୍ରୁ ଋଣ ଆଣିଥିଲେ ବାପା । ଶେଷରେ ଋଣ ସୁଝି ନପାରିବାରୁ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ । ଏହିପରି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ଗ୍ରାମରେ । ଏହି ଗ୍ରାମ ଅନ୍ତର୍ଗତ ମହନ୍ତସାହିର ଶ୍ରୀଧର ପରିଡ଼ାଙ୍କ ପୁତ୍ର ରବୀନ୍ଦ୍ର (୫୧) ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି । ଗତ ମାର୍ଚ୍ଚ ମାସ ୧୧ ତାରିଖରେ ନିଜ ଝିଅ ବାହାଘର ପାଇଁ ୬ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେବା ସହିତ ହାତ ଉଧାରି ୫୦ ହଜାର ଟଙ୍କା ନେଇ ସର୍ବମୋଟ ୨ ଲକ୍ଷ ଟଙ୍କା ଋଣ କରିଥିଲେ । ଏହା ପରେ କରୋନା ପାଇଁ ଲକ୍ଡାଉନ୍, ସଟ୍ଡାଉନ୍ରେ ମାସ ମାସ ବିତିଯିବା ସହିତ କାମଧନ୍ଦା ମିଳି ନଥିଲା । କଟକଣା ହଟିବା ପରେ ଦୈନିକ ମାତ୍ର ୩୦୦ଟଙ୍କା ମଜୁରିରେ ପରିବାର ଚଳେଇବା କଷ୍ଟକର ହୋଇପଡ଼ିଲା । ଫଳରେ ସେ ଆଣିଥିବା ଋଣ ପରିଶୋଧ କରିବା ସମ୍ଭବପର ହୋଇପାରିନଥିଲା । ଏଣେ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କର ଜୁଲମ୍ ଆରମ୍ଭ ହେଲା । ଏଣୁ ରବୀନ୍ଦ୍ର ମାନସିକ ଭାରାକ୍ରାନ୍ତ ହୋଇପଡ଼ିଲେ । ହାତ ଉଧାରି ଦେଇଥିବା ଲୋକମାନେ ମଧ୍ୟ ଟଙ୍କା ପାଇଁ ତାଗିଦ୍ କଲେ । ଗତ ଶନିବାର ସନ୍ଧ୍ୟାରେ ରବୀନ୍ଦ୍ର ଘରୁ କୁଆଡେ଼ ନିଖୋଜ ହୋଇଗଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ରବିବାର ସକାଳେ ତାଙ୍କ ବାଡ଼ିରେ ଥିବା ବାଉଁଶ ବୁଦାରେ ଏକ ରଶି ଦ୍ୱାରା ଝୁଲନ୍ତା ଅବସ୍ଥାରେ ଥିବା ଲୋକମାନେ ଦେଖଥିଲେ । ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ପକ୍ଷରୁ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ସୋର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅପମୃତୁ୍ୟ ମାମଲା ରୁଜୁ ସହିତ ମୃତଦେହ ବ୍ୟବଚ୍ଛେଦ କରାଇଛି ।


Comments are closed, but trackbacks and pingbacks are open.