ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ:୨ ମୃତ, ୪ ଗୁରୁତର

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନ୍ୟୁଜ୍): ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ମେଡିକାଲ ଯାଉଥିବା ଏକ ଆମ୍ବୁଲାନ୍ସ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ସ୍ଥିତ ଟୋଲପ୍ଲାଜାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣାରୁ ପ୍ରକାଶ, ରବିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ବାଙ୍କୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରୁ ୬ଜଣ ରୋଗୀଙ୍କୁ ନେଇ ଏକ ଘରୋଇ ଆମ୍ବୁଲାନ୍ସ(ଅଡବ୍ଲୁବି୬୭ବି୩୫୧୩) କଟକ ଅଭିମୁଖେ ଆସୁଥିଲା । ଆଜି ଭୋର ସମୟରେ ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ଠାରେ ଆଗରେ ଚାଲିଥିବା ଏକ ଟ୍ରକ (ଓଡି୦୧ଏସି-୦୫୨୫) ହଠାତ୍ ବ୍ରେକ୍ ଦେବାରୁ ଆମ୍ବୁଲାନ୍ସଟି ତା’ ପଛରେ ପିଟି ହୋଇଯାଇିଥିଲା । ଫଳରେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ସମସ୍ତ ୬ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ସେକ୍ ଅହିନୁରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେଥିରେ ଥିବା ୨୫ବର୍ଷୀୟା ଶିଳ୍ପା ଦାନ୍ଙ୍କ ହାତ, ଗୋଡ଼ ଭାଙ୍ଗିଯାଇଛି । ତାଙ୍କ ମାଆ ମାମନି ଦାନ ଚେତା ହରାଇ ପଡ଼ିଛନ୍ତି । ଜାତୀୟ ରାଜପଥ ଆମ୍ବୁଲାନ୍ସରେ ଅନ୍ୟ ଗୁରୁତର ୩ଜଣଙ୍କୁ ନେଇ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ ସେଠାରେ ଜଣକର ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେକ୍ ବଦ୍ରୁତ୍ ଙ୍କର ମୃତ୍ୟ ହୋଇଥିବା ଜଳେଶ୍ୱର ପୁଲିସ୍ ପକ୍ଷରୁ ପ୍ରକାଶ କରିଛି । ଟ୍ରକକୁ ପୁଲିସ୍ ଜବତ୍ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଅନ୍ୟ ୪ଜଣ ଗୁରୁତରଙ୍କୁ ତାଙ୍କ ପରିବାର ଲୋକେ କୋଲକାତା ଅଭିମୁଖେ ଚିକିତ୍ସା ପାଇଁ ନେଇଥିବା ଜଣାଯାଇଛି । ଏ ନେଇ ଜଳେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ଘଟଣାର ତଦନ୍ତ କରାଯାଉଛି ବୋଲି ଏଏସ୍ଆଇ ସତ୍ୟନାରାୟଣ ବଳ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons