ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ଛାତର ସେଣ୍ଟ୍ରିଂ ବାହାର କରିବା ସମୟରେ ଅଘଟଣ । ୧୧ କେ.ଭି ତାର ସଂସ୍ପର୍ଶରେ ଆସି ପ୍ରଥମେ ଠିକାଦାର ଅରୁଣ କୁମାର ସାବତ (୩୮) ଓ ପରେ ଘର ମାଲିକ ସାଉଥ୍କୋର ଆକାଉଣ୍ଟାଣ୍ଟ୍ ଶରତ ଚନ୍ଦ୍ର ବେହେରା (୪୪)ଙ୍କ ମୃତ୍ୟୁ ହୋଇଛି । ରବିବାର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଳକାପୁରୀ ୬ଷ୍ଠ ଗଳିରେ ଘଟିଛି ଏଭଳି ଅଭାବନୀୟ ବିଦ୍ୟୁତ୍ ଦୁର୍ଘଟଣା । ସଦର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଉଭୟଙ୍କ ଶବ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକ ପୁରୀରେ ଅନ୍ତିମ ସକ୍ରାର କରିଛନ୍ତି । ବଡ଼ ଡାକ୍ତରଖାନାକୁ ଶତାଧିକ ସାଉଥ୍କୋ କର୍ମଚାରୀ ଆସି ଆକାଉଣ୍ଟାଣ୍ଟ୍ଙ୍କ ଶେଷ ଦର୍ଶନ କରିଛନ୍ତି ।
ପୁଲିସ ସୂଚନା ପ୍ରକାରେ ଖଲ୍ଲିକୋଟ ଧୋବା ସାହିରେ ଶରତ ଚନ୍ଦ୍ର ବେହେରାଙ୍କ ଘର । ସେ ସାଉଥ୍କୋରେ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟ କରିବା ସହ ବ୍ରହ୍ମପୁର ଅଳକାପୁରୀରେ ଘର କରି ରହୁଥିଲେ । ଘରର ପ୍ରଥମ ମହଲା ତିଆରି ଚାଲିଥିଲା । ଏଠାରେ ସେଣ୍ଟ୍ରିଂ ପକାଇବାକୁ ଠିକା ନେଇଥିଲେ ଗୋସାଇଁନୂଆଗାଁ ଅଞ୍ଚଳର ଅରୁଣ କୁମାର ସାବତ । ଅରୁଣ ନିଜେ ସେଠାରେ କାମ ତଦାରଖ କରୁଥିଲେ । ଶନିବାର ମଧ୍ୟାହ୍ନ ୧୨ଟାରେ ପ୍ରଥମ ମହଲାର ସେଣ୍ଟ୍ରିଂ ବାହାର କରାଯାଉଥିଲା । ଏହି ସମୟରେ ଲୁହା ରଡ୍ (ଛଡ଼) ଘର ଆଗରେ ଯାଇଥିବା ୧୧ କେ.ଭି ତାର ଉପରେ ପଡ଼ିଯାଇଥିଲା । ସେହି ଲୁହା ରଡ୍କୁ ଅରୁଣ ଧରିଥିବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେ ତଳକୁ ଛିଟିକି ପଡ଼ିଯାଇଥିଲେ । ପାଖରେ ଥିବା ଘର ମାଲିକ ଶରତ କାଠ ବାଡ଼ି ଧରି ବିଦ୍ୟୁତ୍ ତାର ଉପରୁ ଲୁହା ରଡ୍ ବାହାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଧରିଥିବା ବାଡ଼ିରେ ପାଣି ଲାଗିଥିବାରୁ ଶରତ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳେ ପଡ଼ି ଯାଇଥିଲେ । ଶରତ ଓ ଅରୁଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଦର ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଥିଲା । ଏ ନେଇ ଥାନାରେ କେସ୍ ନମ୍ବର ୨୬/୨୦୧୯ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା କହିଛନ୍ତି ଆଇଆଇସି ଭାବାନନ୍ଦ ପ୍ରଧାନ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଶୋକର ବାତାବରଣ ଖେଳିଯାଇଛି । ଶବ ଗୃହ ନିକଟରେ ଶରତଙ୍କ ଦୁଇ ଝିଅ ସହ ପରିବାର ଲୋକ ଏବଂ ସାଉଥ୍କୋ କର୍ମଚାରୀମାନେ ପହଞ୍ଚି ବ୍ୟାକୁଳ ହୋଇ କାନ୍ଦିଥିଲେ । ଅକାଳରେ ଦୁଇଟି ଜୀବନ ଚାଲିଯାଇଥିବାରୁ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ଗୋସାଇଁନୂଆଗାଁ ଅଞ୍ଚଳରୁ ମଧ୍ୟ ବହୁ ଲୋକ ଆସି ଏଠାରେ ଦୁଃଖ ପ୍ରକାଶ କରିଥିଲେ । ଶରତଙ୍କ ଦୁଇ ଝିଅ ନାବାଳିକା ଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ପୁନଃଚାକିରିରେ ଥଇଥାନ କରିବାକୁ ଦାବି କରିଛନ୍ତି ବିଭାଗୀୟ କର୍ମଚାରୀ । ସେପଟେ ଅରୁଣଙ୍କ ଦୁଇ ବର୍ଷର ପୁଅଟିଏ ରହିଛି । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.