ସୋରଡ଼ା, (ବି.ବି.ନ୍ୟୁଜ୍): ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ସୋରଡ଼ା ପୁଲିସ । ଲାଠିପଡ଼ା ଗ୍ରାମ ହାଇସ୍କୁଲ ପଡ଼ିଆରେ ଡକାୟତି ଯୋଜନା କରୁଥିôବା ସମୟରେ ପୁଲସ ଅତର୍କିତ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି । ପୁଲିସକୁ ଦେଖି ଘଟଣା ସ୍ଥଳରୁ ୩ ଜଣ ଚମ୍ପଟ୍ ମାରିଥିଲେ । ଗିରଫ ଅଭିଯୁକ୍ତ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଟଣା ସାମନ୍ତରା ସାହିର ଅକ୍ଷୟ ନାୟକ ଓରଫ ପଣ୍ଡା(୨୫), ବଡ଼ଆଗୁଳ ତୋଟା ସାହିର ତନୁଜ ସ୍ୱାଇଁ(୨୫), କବିସୂର୍ଯ୍ୟନଗର ହରିଜନ ସାହିର ପପୁ ନାୟକ(୨୨), ଗୁଣ୍ଠପଡ଼ା ବନ୍ଧ ସାହିର ଅଜିତ୍ କୁମାର ସ୍ୱାଇଁ(୨୮) ଓ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ମେନ୍ ରୋଡ଼ର ଶତ୍ରୁଘ୍ନ ସ୍ୱାଇଁ ଓରଫ ବାପି(୨୫) । ଚମ୍ପଟ ମାରିଥିବା ଅଭିଯୁକ୍ତ ହେଲେ ଆସିକା ନିକଟ କୋଟିବାଡ଼ି ଗ୍ରାମର ସୂର୍ଯ୍ୟ ପାତ୍ର, ପଥରା ଗ୍ରାମର ବୁଲୁ ବେହେରା ଓ ଜଗନ୍ନାଥପ୍ରସାଦ କଇଠପଲ୍ଲୀର ବିନ ପାତ୍ର । ଏହି ସୂଚନା ଦେଇଛନ୍ତି ସୋରଡ଼ା ଥାନା ଭାରପ୍ରାପ୍ତ ଆଇଆଇସି ପ୍ରଭାତ ସାହୁ ।
ଆଇଆଇସିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲାଠିପଡ଼ା ସ୍କୁଲ ପଡ଼ିଆରେ ଶନିବାର ବିଳମ୍ବିତ ରାତିରେ ଏହି ଅଭିଯୁକ୍ତମାନେ ଏକତ୍ରିତ ହୋଇ ଡକାୟତ ଯୋଜନା କରୁଥିବା ସମୟରେ ପୁଲିସ ପାଟ୍ରୋଲିଂ ଗାଡ଼ି ହାବୁଡ଼ରେ ପଡ଼ିଥିଲେ । ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ବୋମା, ଦୁଇଟି ଭୁଜାଲି, ଦୁଇଟି ଲୁହା ରଡ୍ ଓ ମଦ ବୋତଲ ଜବତ କରିଛି । ଥାନା କେସ୍ ନଂ ୧୦୩/୧୯ରେ ଏକ ମାମଲା ରୁଜୁ କରି ଗିରଫ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ପୁଲିସ ଦେଖି ଚମ୍ପଟ୍ ମାରିଥିବା ୩ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି । ଅଭିଯୁକ୍ତ ଶତ୍ରୁଘ୍ନ ସ୍ୱାଇଁଙ୍କ ନାମରେ ଜଗନ୍ନାଥପ୍ରସାଦ ଥାନାରେ ୧୨ଟି ଫୌଜଦାରି ମାମଲା ବିଚାରାଧୀନ ରହିଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.