ଡେମୋ ଦେଖାଇଲା ଅଭିଯୁକ୍ତ ଶାରଦା

Get real time updates directly on you device, subscribe now.

ଜଗତପୁର,(ବି.ବି.ନୁ୍ୟଜ୍): କିଶନନଗର କଲେଜ ଡାଟା ଏଣ୍ଟ୍ରି ଅପରେଟର ବିନୋଦ ମଣ୍ଡଳଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାସ୍ ପରେ ଆଜି ଅଭିଯୁକ୍ତ ଶାରଦା କୁଣ୍ଡୁ ପୁଲିସ ଆଗରେ ହତ୍ୟାର ପୂରା ଘଟଣାକ୍ରମ ଦର୍ଶାଇଛନ୍ତି । ଏଥିପାଇଁ ପୁଲିସ୍ ଶାରଦାକୁ ନେଇ କ୍ରାଇମ୍ ସିନ୍ ତିଆରି କରିଥିଲା । ଅଭିଯୁକ୍ତ ଶାରଦା କିପରି ବିନୋଦକୁ ହତ୍ୟା କଲା, ଘଟଣା ଦିନ ସେ କେଉଁଆଡେ ଯାଇଥିଲା ତାହାର ଗୋଟି ଗୋଟି ଡେମୋ କରି ଦେଖାଇଛି । ଏହିକ୍ରମରେ ହତ୍ୟାକାଣ୍ଡ ସ୍ଥଳ, ଜଗତପୁର ଗୋଲେଇ ଛକରେ ବିନୋଦଙ୍କ ମୋଟର ସାଇକେଲ ରଖିବା, ପାଗା ପେଟ୍ରୋଲ ପମ୍ପରେ ନିଜ ବାଇକ୍ରେ ତେଲ ଭରିବା, ରକ୍ତ ଲଗା ରୁମାଲକୁ ଫିଙ୍ଗିବା ଓ ଶେଷରେ ନିଜ ଗାଁ ପୋଖରୀରେ ମୋବାଇଲ ଏବଂ ପର୍ସ ଫିଙ୍ଗିବାର ଅବିକଳ ଦୃଶ୍ୟକୁ ତଦନ୍ତକାରୀ ପୁଲିସ ଟିମ୍ ସମ୍ମୁଖରେ ପ୍ରଦର୍ଶନ କରିଥିଲା । ହତ୍ୟାକାଣ୍ଡକୁ ନେଇ ପୁଲିସ ହାତରେ ଲାଗିଥିବା ତଥ୍ୟକୁ ପ୍ରମାଣିତ କରିବାରେ ଏହା ଅଧିକ ସାହାଯ୍ୟ କରିବ ବୋଲି କୁହାଯାଉଛି । ଏହାଛଡ଼ା ଗାଁ ପୋଖରୀରୁ ବିନୋଦଙ୍କ ମୋବଇଲ୍ ଉଦ୍ଧାର କରିଛି । ଫଳରେ ଏହି ହତ୍ୟା ମାମଲାରେ ପୁଲିସ ଏକ ବଡ ପ୍ରମାଣ ଯୋଗାଡ କରିବାରେ ସକ୍ଷମ ହୋଇପାରିଛି ।
ଗତକାଲି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ତୃତୀୟ ଅଭିଯୁକ୍ତ ଭାବେ ବିନୋଦଙ୍କ ପତ୍ନୀ ମାନସୀକୁ ପୁଲିସ ଗିରଫ କରିଥିଲା । ତେବେ ବିନୋଦଙ୍କ ନିଖୋଜ ଦିନ ଠାରୁ ଗାଏବ୍ ହୋଇଥିବା ତାଙ୍କ ମୋବାଇଲ ଠାବ କରିବା ତଦନ୍ତକାରୀ ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ହୋଇପଡିଥିଲା । ତଦନ୍ତକାରୀ ପୁଲିସ ଟିମ୍ ଓ ବରିÂ ପୁଲିସ ଅଧିକାରୀ ଆଜି ଦିନ ୧୧ଟାରେ ଶାରଦାକୁ କଡା ସୁରକ୍ଷା ମଧ୍ୟରେ ପ୍ରଥମେ ହତ୍ୟାକାଣ୍ଡ ସ୍ଥଳ ନିକଟ ବାରବୋଡିଆ ଲିଙ୍କ୍ କେନାଲ ନିକଟକୁ ଅଣାଯାଇଥିଲା ।ସେଠାରେ ପହଁଞ୍ଚି ବା ପରେ ଶାରଦା ହତ୍ୟାକାଣ୍ଡ ସ୍ଥାନ ଦେଖାଇବା ସହ କିଭଳି ହତ୍ୟାକାଣ୍ଡ ଘଟାଇଥିଲା ତାହା ଗୋଟି ଗୋଟି କରି ବଖାଣିଥିଲା । ଶାରଦା କହିବା ମୁତାବକ, ଲିଙ୍କ୍ କେନାଲ ବନ୍ଧ ଉପରେ ହିଁ ହେଲମେଟ୍ ଯୋଗେ ବିନୋଦଙ୍କ ମୁଣ୍ଡକୁ ଖୁବ୍ ଜୋର୍ରେ ପିଟି ଦେଇଥିଲା । ମୋଟରସାଇକେଲ ସହ ବିନୋଦ ତଳେ ପଡିଯିବା ପରେ ଶାରଦା ଲଗାତର ଆକ୍ରମଣ କରି ତାଙ୍କୁ ଅଚେତ କରିଦେଇଥିଲା । ଏହାପରେ କେନାଲ ବନ୍ଧର ତଳ ନଦୀ ପଠା ଖରିବୁଦାକୁ ଘୋଷାରି ନେଇ ସେଠାରେ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ନିଜକୁ ପୁଲିସ ନଜରରୁ ବଞ୍ଚାଇବା ପାଇଁ ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଲାଗି ପଡିଥିଲା । ବିନୋଦଙ୍କ ମୃତୁ୍ୟ ପରେ ତାଙ୍କ ମୋବାଇଲ ଓ ପର୍ସ ସହ ମୋଟର ସାଇକେଲ ଧରି କେନାଲ ବନ୍ଧ ଦେଇ ଜଗତପୁର ଅଭିମୁଖେ ବାହାରିଥିଲା । ହତ୍ୟାକାଣ୍ଡର କିଛି ଦୂରରେ ଅଟକି ନିଜ ରୁମାଲରେ ଦେହରେ ଲାଗିଥିବା ରକ୍ତ ଛିଟା ଓ ଝାଳ ସଫା କରିଥିଲା । ପରେ ବିନୋଦଙ୍କ ମୋଟରସାଇକେଲରେ ଗୋଲେଇଛକ ନିକଟକୁ ଆସିଥିଲା । ସେଠାରେ କିଛି ସମୟ ବୁଲାବୁଲି କରିବା ପରେ ଗୋଲେଇଛକ ସ୍ଥିତ ମିନି ଟ୍ରକ ଆସୋସିଏସନ୍ ମାର୍କେଟ ବିଲ୍ଡିଂ ରାସ୍ତା ପାଶ୍ୱର୍ରେ ଥିବା ଏକ କ୍ୟାବିନ କଡ଼ରେ ମୋଟରସାଇକେଲ ରଖି ଦେଇ ପାଗା ଛକକୁ ଆସିଥିଲା । ତେବେ ଜଗତପୁରରୁ ପାଗା ଛକ ଯାଏ ଶାରଦା ନିଜ ଗାଡ଼ିରେ ସିଲୁ ସହ ନିଜ ଗାଡ଼ିରେ ଫେରିଥିଲା । ଘରକୁ ଫେରିବା ସମୟରେ ପାଗା ଛକ ଆଗରୁ କଟକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ ଶାଖା କେନାଲକୁ ରୁମାଲ ଫିଙ୍ଗି ଦେବା ସହ ପାଗା ପେଟ୍ରୋଲ ପମ୍ପରେ ତେଲ ପକାଇଥିଲା ।
ତେବେ ସାଙ୍ଗରେ ନେଇଆସିଥିବା ବିନୋଦଙ୍କ ମୋବାଇଲ ଓ ପର୍ସକୁ ନେଇ ଶାରଦା ଚିନ୍ତାରେ ପଡିଯାଇଥିଲା । ଏପରିକି ମୋବାଇଲ ଟ୍ରାକିଂରେ ଧରା ପଡିଯିବା ଭୟରେ ଅସ୍ତବ୍ୟସ୍ତ ହୋଇପଡିଥିଲା । ଶେଷରେ ମୋବାଇଲକୁ ନଷ୍ଟ କରିଦେବା ପାଇଁ ନିଜ ଗାଁ ଲକ୍ଷ୍ମୀନାରାୟଣପୁର ସ୍କୁଲ ପାଖରେ ଥିବା ପୋଖରୀରେ ମୋବାଇଲ,ପର୍ସକୁ ଫିଙ୍ଗି ଦେଇଥିଲା । ଯାହାକି ଅପରାଧୀମାନଙ୍କୁ ଠାବ କରିବା ପାଇଁ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏପରିକି ଜେରା ସମୟରେ ଅତି ଚତୁରତାର ସହ ହତ୍ୟାକାଣ୍ଡରେ ତା’ର କୌଣସି ସମ୍ପୃକ୍ତି ନଥିବା କହି ମୋବାଇଲ ପ୍ରସଙ୍ଗକୁ ସଂପୂର୍ଣ୍ଣ ଏଡାଇ ଯାଉଥିଲା । ତେବେ ତୃତୀୟ ଥର ରିମାଣ୍ଡରେ ଆସିବା ପରେ ଶାରଦା ଗତକାଲି ମୋବାଇଲ ଓ ପର୍ସ ସମ୍ପର୍କରେ କହିବା ପରେ ବଳିÂ ପ୍ରମାଣ ଯୋଗାଡ ପାଇଁ ପୁଲିସ ପକ୍ଷରୁ ଯୋଜନା ପ୍ରସ୍ତୃତି କରାଯାଇଥିଲା । ଏଥିସହ ମୋବାଇଲ ଠାବ ପାଇଁ ଓଡ୍ରାଫ୍ ଟିମ୍ ସହାୟତା ଲୋଡାଯାଇଥିଲା । ଛାନ୍ଭିନ୍ ବେଳେ ସବୁ ଜାଗା ବୁଲାଇବା ପରେ ଦିନ ପ୍ରାୟ ଗୋଟାଏ ବେଳେ ତାକୁ ମୋବାଇଲ ଫିଙ୍ଗି ଥିବା ପୋଖରୀ ନିକଟକୁ ନିଆଯାଇଥିଲା । ଓଡ୍ରାଫ୍ ଟିମ୍ ପୋଖରୀରେ ବୁଡ଼ି ତନ୍ନ ତନ୍ନ କରି ଖୋଜିଥିଲେ । ପ୍ରାୟ ଏକ ଘଣ୍ଟା ପରେ ବୁଡାଳି ଦଳ ପାଣି ମଧ୍ୟରୁ ମୋବାଇଲ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons