ଖୋର୍ଦ୍ଧା; ଡ୍ରଗ୍ସ୍ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ାକୁ ବ୍ରାଉନ୍ସୁଗାର ଯୋଗାଉଥିବା ୩ଜଣ ନିଶା ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସେମାନଙ୍କ ଠାରୁ ୩୫ଗ୍ରାମ୍ ବ୍ରାଉନସୁଗାର ଏବଂ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଖୋର୍ଦ୍ଧାରେ କିଛି ରାଜନେତା ଓ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ପୃଷ୍ଠପୋଷକତାରେ ଦୀର୍ଘ ଦିନ ଧରି ବେଧଡ଼କ ଭାବେ ନିଶା କାରବାର ଚଳାଇଆସୁଥିଲା ଛୋଟା । ତେବେ ଛୋଟା ସହ ଯାହାର ବି ସମ୍ପୃକ୍ତି ସାମ୍ନାକୁ ଆସିବ ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଏସଟିଏଫ୍ ଏସପି ।
ଖୋର୍ଦ୍ଧାରୁ ପୁଣି ୩ ନିଶା ବେପାରୀଙ୍କୁ ବାନ୍ଧିଲା STF । ସେମାନଙ୍କ ପାଖରୁ ୩୫ଗ୍ରାମ୍ ବ୍ରାଉନସୁଗାର ସହ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଏମାନେ ସମସ୍ତେ ଡ୍ରଗ୍ସ୍ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା ଲିଙ୍କ୍ରେ ଥିଲେ । ଖୋର୍ଦ୍ଧା ସମେତ ନୟାଗଡ଼, ପୁରୀ, କଟକକୁ ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ଚଳାଇଥିଲେ । ରାଜ୍ୟ ବାହାରକୁ ମଧ୍ୟ ଏମାନଙ୍କ କାରବାରର ଚେର ଲମ୍ବିଥିବା ଜାଣିବାକୁ ପାଇଛି ଏସଟିଏଫ୍ । ଛୋଟା ଲିଙ୍କ୍ରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଧରାଯିବ ବୋଲି କହିଛନ୍ତି ଏସଟିଏଫ୍ ଏସପି ।
ଗଲା କାଲି ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତିପୁରରେ ଥିବା ଛୋଟାର ଏକ ବେଆଇନ୍ କୋଠାକୁ ଭାଙ୍ଗିଥିଲା ପ୍ରଶାସନ । ହେଲେ ଏବେ ବି ଖୋର୍ଦ୍ଧାର ବିଭିନ୍ନ ଅଂଚଳରେ ଛୋଟାର ଏଭଳି ଏକାଧିକ ଆଡ୍ଡା ଥିବା କୁହାଯାଉଛି । ସେଗୁଡ଼ିକୁ ମଧ୍ୟ ଖୁବ୍ ଶୀଘ୍ର ଭଙ୍ଗାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଜଣେ ସାଧାରଣ ପରିବା ବ୍ୟବସାୟୀରୁ ନିଶା କାରବାରର ବାଦ୍ଶାହା ପାଲଟିଯାଇଥିବା ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା କିଛି ଦିନ ତଳେ ଏସଟିଏଫ୍ ଏନକାଉଣ୍ଟର ଭୟରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲା । ହେଲେ ଖୋର୍ଦ୍ଧା ଅଂଚଳରେ କିଛି ରାଜନେତା ଓ କିଛି ଅସାଧୁ ଅଫିସରଙ୍କ ପୃଷ୍ଠପୋଷକତାରେ ବେଶ୍ ଲମ୍ବା ସମୟ ଧରି ସେ ତା’ର ବେପାର ଜମାଇଥିବା ଚର୍ଚ୍ଚା ହେଉଛି ।
କେମିତି ଏତେ ବର୍ଷ ଧରି ଖୋର୍ଦ୍ଧାରେ ବେଧଡ଼କ ଭାବେ ଛୋଟା ତା’ର ଅପରାଧର ସାମ୍ରାଜ୍ୟ ଚଳାଇଆସିଥିଲା ତା’ର ଖୋଳତାଡ଼ ଚାଲିଛି । ତେବେ ଛୋଟା ଲିଙ୍କ୍ରେ ଥିବା କେବଳ ନିଶା ବ୍ୟବସାୟୀଙ୍କୁ ଧରି ଏସଟିଏଫ ତା’ ଅପରେସନ ସାରିଦେବ ନା’ ଛୋଟା ସହ ସମ୍ପର୍କରେ ଥିବା ରାଜନେତା ଓ ଅସାଧୁ ଅଫିସରଙ୍କୁ ବି ବାନ୍ଧିବ ତାହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।
Comments are closed, but trackbacks and pingbacks are open.