ଡ୍ୟୁଟି ବେଳେ କର୍ମଚାରୀଙ୍କ ମଦ୍ୟପାନ

Get real time updates directly on you device, subscribe now.

ଯାଜପୁର,(ବି.ବି.ନ୍ୟୁଜ୍):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀଙ୍କୁ ୫-ଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ପ୍ରଶାସନକୁ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ନବୀନଙ୍କ ପଞ୍ଚମନ୍ତ୍ର ଉଦ୍ଦିଷ୍ଟ ବୋଲି ଆଲୋଚନା ହେଉଛି । ପଞ୍ଚମନ୍ତ୍ରର ପ୍ରଭାବ ଜିଲ୍ଲା ପ୍ରଶାସନରେ ଦେଖିବାକୁ ମିଳିଲାଣି । ଆଜି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟର କର୍ମଚାରୀ ସଠିକ୍ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ସେ ସମ୍ପର୍କରେ ତଦନ୍ତ କରିବା କରିବା ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ନଜରକୁ ଆସିଥିଲା । ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଉପସ୍ଥାନ ଖାତାରେ ହାଜିରା ମାରି ୩ ଜଣ କର୍ମଚାରୀ ଏକ ବାର୍ରେ ଘଣ୍ଟାଘଣ୍ଟା ଧରି ମଦ ପିଉଥିବାର ଜିଲ୍ଲାପାଳ ଜାଣିବାକୁ ପାଇଥିଲେ । ଜିଲ୍ଲାପାଳ ଶ୍ରୀ ଦାସ ନିଜେ ବାରକୁ ଯାଇ ଏହି ୩ ଜଣ କର୍ମଚାରୀଙ୍କୁ ମଦ୍ୟପାନ ଅବସ୍ଥାରେ ଧରିବା ସହ, ସେମାନଙ୍କୁ ଦାୟିତ୍ୱରେ ଅବହେଳା ଦର୍ଶାଇ ନିଲମ୍ବିତ କରିଥିବାର ଜଣାପଡ଼ିଛି ।
ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୨ଟା ବେଳେ ଜିଲ୍ଲା ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଆକାଉଣ୍ଟାଣ୍ଟ୍ ଗୌତମ ରାୟ ଓ ପିଅନ ପ୍ରଭାକର ନାଥ ଯାଜପୁର ସହରର ଏକ ବାର୍ରେ ବହୁଘଣ୍ଟା ପର୍ଯ୍ୟନ୍ତ ମଦ୍ୟପାନ କରୁଥିଲେ । ଜିଲ୍ଲାପାଳ ଅଚାନକ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥାନ ସମ୍ପର୍କରେ ତନଖି କରିଥିବା ବେଳେ ୩ ଜଣ କର୍ମଚାରୀ ଉପସ୍ଥାନ ଖାତାରେ ଦସ୍ତଖତ ମାରି ଅଫିସ୍ରୁ ଖସି ପଳାଇଯାଇଥିବାର ଜଣା ପଡ଼ିଥିଲା । ଜିଲ୍ଲାପାଳ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଯାଜପୁର ସହରର ଏକ ବାର୍ ମଧ୍ୟରେ ଯୋଗାଣ ବିଭାଗର ୩ ଜଣ କର୍ମଚାରୀଙ୍କୁ ମଦ୍ୟପାନ କରୁଥିବା ବେଳେ ଠାବ କରିଥିଲେ । ବାର୍ ମଧ୍ୟରୁ ଗୌତମ ରାୟ ଓ ପ୍ରଭାକର ନାଥଙ୍କୁ ଜିଲ୍ଲାପାଳ ଧରିବାକୁ ସମର୍ଥ ହୋଇଥିବା ବେଳେ ଲକ୍ଷ୍ମୀଧର ନନ୍ଦ ବାରର ପଛପଟେ ଖସି ପଳାଇଥିଲେ । ପରେ ଲକ୍ଷ୍ମୀଧର ଜିଲ୍ଲାପାଳଙ୍କ ପାଖରେ ହାଜର ହୋଇଥିବାର ଦେଖିବାକୁ ମିଳିଥିଲା ।
ଅପରାହ୍ଣରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ୩ ଜଣ କର୍ମଚାରୀଙ୍କୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ମଦ୍ୟପାନ ସମ୍ପର୍କରେ ପ୍ରମାଣ ସଂଗ୍ରହ ପାଇଁ ପରୀକ୍ଷା କରାଯାଇଥିଲା । ଡାକ୍ତରୀ ପରୀକ୍ଷାରୁ ସେମାନେ ମଦ୍ୟପାନ କରିଥିବାର ପ୍ରମାଣ ମିଳିବା ପରେ ଜିଲ୍ଲାପାଳ ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିବାର ଘୋଷଣା କରିଥିଲେ । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ ସମ୍ପାଦନ ଜନିତ କାର୍ଯ୍ୟକଳାପକୁ ଜିଲ୍ଲାପାଳ ସ୍ୱତନ୍ତ୍ର ଏଜେନ୍ସି ମାଧ୍ୟମରେ ନଜର ରଖିଥିବାର ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons