ଢେଙ୍କାନାଳରେ ଯୋଡ଼ା ଶିଶୁକନ୍ୟା ଜନ୍ମ

Get real time updates directly on you device, subscribe now.

ଢେଙ୍କାନାଳ, (ବି.ବି.ନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଯୋଡ଼ା ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳର ଜଣେ ମହିଳା ଏହି ଯୋଡ଼ା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଶିଶୁ ଦ୍ୱୟଙ୍କ ଶରୀରର ଛାତିଠାରୁ ପେଟ ପର୍ଯ୍ୟନ୍ତ ଯୋଡ଼ି ହୋଇରହିଛି । ଶିଶୁକନ୍ୟା ଦ୍ୱୟଙ୍କର ଅଧିକ ଚିକିତ୍ସା ନିମନ୍ତେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି । କନ୍ଧମାଳ ଜିଲ୍ଲାର ଯୋଡ଼ା ଶିଶୁ ଜଗା-କାଳିଆଙ୍କ ନୂଆଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର ହୋଇ ସଂପ୍ରତି ଘର ବାହୁଡ଼ା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଢେଙ୍କାନାଳରେ ଜନ୍ମିତ ଯୋଡ଼ା ଶିଶୁକନ୍ୟାଙ୍କ ଚିକିତ୍ସା ଏକ ଆହ୍ୱାନ ସୃଷ୍ଟି କରିଛି ।
ପରଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ପତ୍ନୀ ରେଣୁବାଳା ବେହେରା (୨୨)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଅସ୍ତ୍ରୋପଚାର କରାଯାଇ ରେଣୁବାଳାଙ୍କର ଏହି ଯୋଡ଼ା ଶିଶୁକନ୍ୟା ପ୍ରସବ କରାଯାଇଥିଲା । ଶିଶୁକନ୍ୟା ଦ୍ୱୟ ଜନ୍ମ ନେବା ପରେ ସେମାନଙ୍କ ମୁଣ୍ଡ ଓ ଗୋଡ଼ହାତ ଅଲଗା ରହିଥିବା ବେଳେ ପେଟଠାରୁ ଛାତି ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିଛି । ଦୁଇ ଶିଶୁଙ୍କର ଓଜନ ସାଢ଼େ ୪ କିଲୋଗ୍ରାମ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି ।
ଦୁଇ ବର୍ଷର ବ୍ୟବଧାନ ପରେ ଶିଶୁ ଭବନରେ ଆଜି ଛାତି ଯୋଡ଼ା ଦୁଇ ନବଜାତ ଶିଶୁ କନ୍ୟା ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏହି ନବଜାତକ ଦ୍ୱୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କଟକ ଚାନ୍ଦିନୀଚୌକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ)କୁ ପଠାଇ ଦିଆଯାଇଥିଲା । ଶିଶୁଭବନର ଆଉଟ୍ଡୋର୍ ସମୟ ନିର୍ଘଣ୍ଟ ପରେ ଶିଶୁ ଦ୍ୱୟ ପହଞ୍ଚିଥିବାରୁ ସେମାନଙ୍କୁ ପ୍ରଥମେ ଆଶୁଚିକିତ୍ସା କେନ୍ଦ୍ରରେ ଜରୁରୀ ଚିକିତ୍ସା କରାଯିବା ପରେ ନବଜାତକଙ୍କ ସ୍ୱତନ୍ତ୍ର ଚିକିତ୍ସା ଲାଗି ନିର୍ମିତ ଆଡଭାନ୍ସ କେୟାର ରିସର୍ଚ୍ଚ ସେଣ୍ଟର(ଏସିଆରସି)ରେ ଭର୍ତ୍ତି କରାଯାଇଛି । ସର୍ଜରୀ ବିଭାଗ ବିଶେଷଜ୍ଞ ପ୍ରଫେସର ହିରଣ୍ୟ ମହାନ୍ତିଙ୍କ ୟୁନିଟ୍ରେ ଏବେ ଏହି ନବଜାତକ ଦ୍ୱୟ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେମାନଙ୍କ ଚିକିତ୍ସା ପାଇଁ ଆସନ୍ତାକାଲି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହେବେ ।
ନବଜାତ ଶିଶୁକନ୍ୟା ଦ୍ୱୟଙ୍କର ଛାତି ଯୋଡ଼ି ହୋଇ ଯାଇଥିବାରୁ ସେମାନଙ୍କ ଶରୀରରେ ରକ୍ତ ସଞ୍ଚାଳନଠାରୁ ଆରମ୍ଭ କରି ଶ୍ୱାସକ୍ରିୟା ଆଦିରେ ସମସ୍ୟା ରହିଛି । ମା’ର ଗର୍ଭାଶୟରେ ପିଲା ଯୋଡ଼ି ହୋଇରହିଥିବାରୁ ଉଭୟଙ୍କ ଶରୀରରେ ଅନେକ ଜନ୍ମଗତ ତ୍ରୁଟି ରହିଥିବା ଡାକ୍ତର କହିଛନ୍ତି । ବିଶେଷ କରି ହୃତ୍ପିଣ୍ଡ ଯୋଡ଼ି ହୋଇଥିବାରୁ ଶରୀରରେ ଏକାଧିକ ତ୍ରୁଟି ଥାଇପାରେ ବୋଲି ଶିଶୁ ଶଲ୍ୟ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଆଜି ସମ୍ପୃକ୍ତ ଯୋଡ଼ା ନବଜାତକଙ୍କୁ ଜରୁରି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଆସନ୍ତାକାଲି ସେମାନଙ୍କର ଶରୀରର ଗଠନ ଓ ତ୍ରୁଟି ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ ସୂଚନା ଦେଇଛନ୍ତି । ସମସ୍ୟା ଜଣାପଡ଼ିଯିବା ପରେ ଆସନ୍ତାକାଲି ସମ୍ଭବତଃ ଡାକ୍ତରଖାନା ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯିବ । ଉକ୍ତ ଟିମ୍ରେ ସର୍ଜରୀ ବିଭାଗ ଡାକ୍ତରଙ୍କ ନେତୃତ୍ୱରେ ମେଡିସିନ୍,କାର୍ଡିଓଲୋଜି, କାର୍ଡିଓଥୋରାସିସ୍, ନିଶ୍ଚେତନ ଆଦି ବିଭିନ୍ନ ବିଭାଗର ଅଭିଜ୍ଞ ବିଶେଷଜ୍ଞମାନେ ଛାତି ଯୋଡ଼ା ନବଜାତକଙ୍କର ଚିକିତ୍ସାରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons