ତମାଣ୍ଡୋରେ ସିନ୍ଧି ଚୋରଙ୍କ ଉତ୍ପାତ : ଝରକା ତାଡ଼ି ଚୋରି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ସିନ୍ଧିଚୋର ଉତ୍ପାତ ଚଳାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ତମାଣ୍ଡୋ ଫାର୍ମାସୀ କଲେଜ ନିକଟରେ ୨ଟି ଘରୁ ଚୋରି କରିଛନ୍ତି । ଏଠାରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଓ ଅବସରପ୍ରାପ୍ତ ବିଏସ୍ଏନ୍ଏଲ୍ ଅଧିକାରୀଙ୍କ ଘରର ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ କରି ଫେରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍ ପାଇନାହିଁ ।
ମିଳିଥିବା ଅଭିଯୋଗ ଅନୁଯାୟୀ, ବିଜିପୁର ପ୍ଲଟ୍ ନଂ-୭୩୫/୮୫୬/୧୩୧୪ରେ ରହୁଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଧୀରେନ୍ଦ୍ର କୁମାର ସାହୁଙ୍କ ପରିବାର । ଗତକାଲି ରାତିରେ ଧୀରେନ୍ଦ୍ର ଓ ତାଙ୍କ ପତ୍ନୀ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଅନ୍ୟଘରର ପଛପଟ ଝରକା ଗ୍ରୀଲ ତାଡ଼ି ଦୁର୍ବୃତ୍ତମାନେ ଘର ଭିତରେ ପଶି ଦୁଇଟି ଆଲମିରା ତାଡ଼ି ସେଥିରୁ ୨୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଆଜି ସକାଳେ ସେମାନେ ଉଠିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଧୀରେନ୍ଦ୍ର ଏନେଇ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ପହଞ୍ଚି ତଦନ୍ତ କରି ଫେରିଛି ।
ସେହିପରି ତାଙ୍କ ଘର ନିକଟ ପ୍ଲଟ୍ ନଂ-୭୩୫/୮୯୯/୧୦୨୪ରେ ରହୁଛନ୍ତି ଅବସରପ୍ରାପ୍ତ ବିଏସ୍ଏନ୍ଏଲ୍ ଅଧିକାରୀ ଧନଞ୍ଜୟ ମହାନ୍ତିଙ୍କ ପରିବାର । ତାଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଛି । ଧନଞ୍ଜୟ ଓ ପତ୍ନୀ ଗୋଟିଏ ଘରେ ଶୋଇଥିବା ବେଳେ ଅନ୍ୟ ଘରର ପଛ ଝରକା ଗ୍ରୀଲ ତାଡ଼ି ଦୁର୍ବୃତ୍ତ ଘର ଭିତରେ ପଶିଛନ୍ତି । ଦୁଇଟି ଆଲମିରା ତାଡ଼ି ୧୫ ହଜାର ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏନେଇ ଧନଞ୍ଜୟ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଘରେ ମଧ୍ୟ ପହଞ୍ଚି ତଦନ୍ତ କରି ଫେରିଛି । ଗୋଟିଏ ଗ୍ୟାଙ୍ଗ୍ ସମାନ ଦୁଇଟି ଘରୁ ଚୋରି କରିଥିବା ସନ୍ଦେହ କରାଯାଉଛି ।
ଏଠାରେ ସୂଚନା ଥାଉକି, ବିଗତ ୧୫ ଦିନ ଭିତରେ ତମାଣ୍ଡୋ ଥାନା ଅଞ୍ଚଳରୁ ୪ଟି ଘରୁ ଚୋରି ହେଲାଣି । ଗତ ମାସ ୨୭ ତାରିଖରେ ତମାଣ୍ଡୋ ବାଲୁଙ୍କେଶ୍ୱର ବିହାରରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାମଚନ୍ଦ୍ର ବାରିକଙ୍କ ଘରୁ ଡକାୟତି ହୋଇଥିଲା । ଦୁର୍ବୃତ୍ତମାନେ ଶ୍ରୀ ବାରିକଙ୍କୁ ହାଣି ତାଙ୍କ ଘରୁ ସୁନାଗହଣା ଓ ୧୦ ହଜାର ଟଙ୍କା ଲୁଟି ନେଇଥିଲେ । ଚଳିତମାସ ୩ ତାରିଖରେ ଫାର୍ମାସୀ କଲେଜ ନିକଟ ବିଜିପୁରରେ ରହୁଥିବା ବ୍ୟବସାୟୀ ରଣଜିତ ମିଶ୍ରଙ୍କ ଘରୁ ଚୋରି ହୋଇଥିଲା । ଦୁର୍ବୃତ୍ତମାନେ ଦ୍ୱିତୀୟ ମହଲାରେ ଶୋଇଥିବା ରଣଜିତଙ୍କୁ ନିଶା ଶୁଙ୍ଘାଇ ଆଲମିରା ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଉକ୍ତ ମାମଲାରେ ପୁଲିସ ଆଜି ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ଗତକାଲି ରାତିରେ ପୁଣି ଦୁଇଟି ସ୍ଥାନରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons