ତାଳଚେର କୋଇଲା ଖଣି ଦୁର୍ଘଟଣା:ଆଉ ଦୁଇ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ତାଳଚେର, (ବି.ବି.ନ୍ୟୁଜ୍): ଦୁର୍ଘଟଣାର ଆଜି ତୃତୀୟ ଦିନରେ ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଧସିଥିବା ମାଟି ଓ କୋଇଲା ଗଦା ମଧ୍ୟରୁ ଆଉ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ଆଉ ଜଣକର ମୃତଦେହ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରିବାକୁ ଏନ୍ଡିଆର୍ଏଫ୍ ଓ ଏମ୍ସିଏଲ୍ ଉଦ୍ଧାରକାରୀ ଦଳ ପ୍ରାଣମୂର୍ଚ୍ଛା ପ୍ରୟାସ ଜାରି ରଖିଛନ୍ତି ।
ଶୁକ୍ରବାର ଉଦ୍ଧାର ହୋଇଥିବା ଦୁଇ ମୃତଦେହ ସୁପର୍ଭାଇଜର ରଶ୍ମିରଞ୍ଜନ ବେହେରା ଓ ପମ୍ପ୍ ଖଲାସି ରାଜକିଶୋର ମହାପାତ୍ରଙ୍କର ବୋଲି ଚିହ୍ନଟ ହୋଇଛି । ରଶ୍ମିରଞ୍ଜନଙ୍କ ଘର ତାଳଚେର ବ୍ଲକ୍ର ଗୋବରା ଓ ରାଜକିଶୋରଙ୍କ ଘର କଣିହାଁ ବ୍ଲକ୍ର ଶିବରାମପୁର ଗ୍ରାମରେ ବୋଲି ଜଣାପଡ଼ିଛି । ଏବେ ବି ସୁରକ୍ଷା କର୍ମୀ ତାଳଚେର ଲକେଇପଶି ଗ୍ରାମର ରମେଶ ଦାସଙ୍କ ମୃତଦେହ ପୋତି ହୋଇରହିଛି । ବୁଧବାର ଅପରାହ୍ନରେ ଅପରେଟର୍ କୁକୁଡାଙ୍ଗ ଗ୍ରାମର ପପୁନ୍ ବିଶ୍ୱାଳଙ୍କ ମୃତଦେହ ମାଟିଗଦା ତଳୁ ଉଦ୍ଧାର ହୋଇଥିଲା । ଅଦ୍ୟାବଧି ଖଣିରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣା ଅତି ଦୁଃଖଦାୟକ ବୋଲି କହିଛନ୍ତି । ପ୍ରତି ମୃତକଙ୍କ ପରିବାର ପିଛା ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
୩୦ ଜଣିଆ ଏନ୍ଡିଆର୍ଏଫ୍ ଟିମ୍ ସମେତ ଏମ୍ସିଏଲ୍ର ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗତକାଲି ଓ ଆଜି ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ବେଳେ ବର୍ଷା ଛାଡ଼ିବା ପରେ ଆଜି ସକାଳେ ରଶ୍ମିରଞ୍ଜନ ଓ ମଧ୍ୟାହ୍ନରେ ରାଜକିଶୋରଙ୍କ ମୃତଦେହ ଠାବ ହୋଇଥିଲା । ତେବେ ଘଟଣାର ତିନି ଦିନ ପରେ ବି ରମେଶଙ୍କୁ ଉଦ୍ଧାର କରାଯାଇ ପାରି ନଥିବାରୁ ସମ୍ପୃକ୍ତ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ତିନି ଦିନ ଧରି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି ।
ଆଜି ସଂଧ୍ୟାରେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତାଳଚେର ବିଧାୟକ ଶ୍ରୀ ପ୍ରଧାନଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଏମ୍ସିଏଲ୍ର ବୈଷୟିକ ନିର୍ଦ୍ଦେଶକ ଓ.ପି. ସିଂହ, ଖଣି ସୁରକ୍ଷା ନିର୍ଦ୍ଦେଶକ ସୁବ୍ରତ ବାଗ୍ଚି, ମହାପ୍ରବନ୍ଧକ ମୁରାରୀ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ । କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ସହାୟତା ସାଙ୍ଗକୁ ଖଣି ନିର୍ଦ୍ଦେଶକ ତଦନ୍ତ ରିପୋର୍ଟ ଦାଖଲ କଲେ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ ମୃତକଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।
ପୋତି ହୋଇଥିବା ଶ୍ରମିକଙ୍କ ଉଦ୍ଧାର, ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି, ସିକଲ କମ୍ପାନୀ ଓ ଏମ୍ସିଏଲ୍ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ, ଖଣି ଅଞ୍ଚଳରେ ଶ୍ରମିକମାନଙ୍କର ସୁରକ୍ଷା ନିଶ୍ଚିତ କରିବା ଦାବିରେ ତିନି ଦିନ ହେଲା ଖଣି ବନ୍ଦ ଆନ୍ଦୋଳନ ଅବ୍ୟାହତ ରହିଛି । ଫଳରେ ତାଳଚେର ଇଲାକାର ସମସ୍ତ କୋଇଲା ଖଣି ଉତ୍ପାଦନ ଓ ଓ ପରିବହନ ବାଧାପ୍ରାପ୍ତ ହୋଇଛି । ଶୁକ୍ରବାର ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, କାଳନ୍ଦି ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରି ମୃତାହତଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ସଭାପତି ରାଜ କିଶୋର ସାହୁ ଧାନବାଦ ସ୍ଥିତ ଖଣି ସୁରକ୍ଷା ମହାନିର୍ଦ୍ଦେଶକଙ୍କୁ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଅପରପକ୍ଷରେ ଅଖିଳ ଭାରତୀୟ ଖାଦାନ ମଜଦୁର ସଂଘର ସୁରକ୍ଷା ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, ସଭାପତି ନଗେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଏମ୍ସିଏଲ୍ ସୁରକ୍ଷା ବୋର୍ଡ ସଦସ୍ୟ ସୁଦର୍ଶନ ମହାନ୍ତି, ବିଏମ୍ଏସ୍ ସାଧାରଣ ସମ୍ପାଦକ ସଞ୍ଜୟ ମାଝୀ, ବିଭୁତି ପ୍ରଧାନ, ଶମ୍ଭୁନାଥ ନାହାକ, ଶ୍ରମିକ ନେତା ଶ୍ରୀନିବାସ ରାଓ, ବାଦଲ ମହାରଣା ପ୍ରମୁଖ ଦୁର୍ଘଟଣା ସ୍ଥଳ ପରିଦର୍ଶନ ସଙ୍ଗେ ସଙ୍ଗେ ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ଓ ଖଣି ସୁରକ୍ଷା ନିର୍ଦ୍ଦେଶାଳୟର ପରିଦର୍ଶନ ଅଭାବ କାରଣରୁ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଭରତପୁର ଖଣିର ଓବିଡମ୍ପ୍ର ୧୦୦ ଫୁଟ ଉଚ୍ଚରୁ ପ୍ରାୟ ୫୦୦ ମିଟର ଚଉଡ଼ାରେ କୋଇଲା ମିଶ୍ରିତ ମାଟି ଅତଡ଼ା ଧସି ପଡିବାରୁ ନନ୍ଦିଘୋଷ ଫେସ୍ରେ କାର୍ଯ୍ୟରତ ୧୩ ଜଣ ଶ୍ରମିକ ପୋତି ହୋଇଯାଇଥିଲେ । ୯ ଜଣ ଶ୍ରମିକ ଉଦ୍ଧାର ହୋଇଥିଲା ବେଳେ ୪ ଜଣ ପୋତି ହୋଇଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons